ଚନ୍ଦ୍ରଶେଖରପୁର: ଡ୍ରେନ୍ ଏପାଖରୁ ସେପାଖକୁ ଯିବା ଲାଗି ପଡ଼ିଛି ଲୁହା ପାଇପ୍। ଦୁଇ ପାର୍ଶ୍ବରେ ବନ୍ଧା ଯାଇଛି ଦୁଇ ଖଣ୍ଡ ବାଉଁଶ। ଯାହାକୁ ଧରି ଯିବା ଆସିବା କରୁଛନ୍ତି ଲୋକେ। ହାଟ ବଜାରରୁ ସଉଦା କରିବା ଲାଗି ସେହି ବାଟ ହିଁ ପାଲଟିଛି ସାହାରା। ଏହା କୌଣସି ଉପାନ୍ତ କି ଗ୍ରାମାଞ୍ଚଳର ଦୃଶ୍ୟ ନୁହେଁ କି ଲୋକ ତିଆରି କରିଥିବା ବିକଳ୍ପ ରାସ୍ତା ନୁହେଁ। ବରଂ ରାଜଧାନୀ ଛାତି ଉପରେ ଜନଗହଳିପୂର୍ଣ୍ଣ ଚନ୍ଦ୍ରଶେଖରପୁରରୁ ନୀଳାଦ୍ରିବିହାରକୁ ସଂଯୋଗ କରୁଥିବା ରାସ୍ତାରେ ଏଭଳି ବିକଳ୍ପ ବ୍ୟବସ୍ଥା କରିଛି ପ୍ରଶାସନ।
ଦିନେ କି ଦୁଇ ଦିନ ନୁହେଁ, ପାଖାପାଖି ଦୁଇ ସପ୍ତାହ ହେଲା ଏଭଳି ବିପଦସଂକୁଳ ଅବସ୍ଥାରେ ଲୋକେ ଯିବା ଆସିବା କରୁଥିଲେ ମଧ୍ୟ ପ୍ରଶାସନର ନିଘା ନାହିଁ। ଯେଉଁଥିପାଇଁ କିଛି ଦିନ ମଧ୍ୟରେ ୩ଜଣ ଲୋକ ୧୫ ଫୁଟ୍ ଉଚ୍ଚତା ବିଶିଷ୍ଟ ଡ୍ରେନ୍ ଭିତରକୁ ଖସି ପଡ଼ିଲେଣି। ତଥାପି କାହାର ଚେତା ପଶୁନି। ସେମିତି ବିପଦସଂକୁଳ ଭାବେ ଦୈନିକ ହଜାର ହଜାର ଲୋକଙ୍କ ଲାଇଫ୍ଲାଇନ୍ ପାଲଟିଛି ଏହି ପାଇପ୍।
ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ବାରମ୍ବାର ଅଭିଯୋଗ ପରେ ଚନ୍ଦ୍ରଶେଖରପୁରରୁ ନୀଳାଦ୍ରିବିହାରକୁ ସଂଯୋଗ କରୁଥିବା ରାସ୍ତା ମଝିରେ ଥିବା ବିପଦସଙ୍କୁଳ ବ୍ରିଜ୍ ମରାମତି ଲାଗି ପ୍ରଶାସନ ପଦକ୍ଷେପ ନେଲା। ଟେଣ୍ଡର୍ ଡକାଯିବା ସହ ଆଗପଛ ବିଚାର ନ କରି ପୁରୁଣା ପୋଲକୁ ସମ୍ପୂର୍ଣ୍ଣ ଭାଙ୍ଗି ଦିଆଗଲା। ଯେଉଁଦିନ ପୋଲ ଭଙ୍ଗାଗଲା, ତା’ ପରଦିନ ହିଁ ସମସ୍ୟା ସୃଷ୍ଟି ହେଲା। ଡମଣା ଗାଁର ଜଣେ ୮୦ ବୟସ୍କ ବ୍ୟକ୍ତି ପୋଲ ନିର୍ମାଣକୁ ନେଇ ହାଇକୋର୍ଟରେ ମାମଲା କରିଛନ୍ତି। ସମ୍ପୃକ୍ତ ବ୍ୟକ୍ତି ଅଭିଯୋଗରେ ଦର୍ଶାଇଛନ୍ତି ଯେ ଉକ୍ତ ପୋଲ ତାଙ୍କ ନିଜସ୍ବ ଜାଗାରେ ଥିଲା।
ସେଠାରେ ପ୍ରଶାସନ ନୂତନ ପୋଲ ନିର୍ମାଣ କରିପାରିବ ନାହିଁ। ବାସ୍, ଏବେ ସବୁ କିଛି ଅଟକିଗଲା। ପୋଲ କାର୍ଯ୍ୟ ଆଉ ଆଗେଇ ପାରୁନାହିଁ। ସାଧାରଣ ଲୋକଙ୍କ ପାଇଁ ଯେଉଁ ପ୍ରଶାସନ ଏଭଳି ପଦକ୍ଷେପ ନେଇଥିଲା, ସେହି ପ୍ରଶାସନ ଏବେ ଆଇନ ଜାଲ୍ରେ ଛନ୍ଦି ହୋଇଯାଇଛି। ମାମଲାର କେବେ ସମାଧାନ ହେବ ଏବଂ ଲୋକେ କେବେ ନୂଆ ପୋଲରେ ଯିବେ ତାହାକୁ ନେଇ ଅନିଶ୍ଚିତତା ଦେଖାଦେଇଛି।
ନୀଳାଦ୍ରିବିହାରରୁ ଚନ୍ଦ୍ରଶେଖରପୁରକୁ ଚାଲି ଚାଲି ଆସୁଥିବା ଲୋକଙ୍କ ଲାଗି ଲୁହା ପାଇପ୍ ବିକଳ୍ପ ରାସ୍ତା ପାଲଟିଥିବା ବେଳେ ଗାଡ଼ି ଚାଳକମାନେ ୨୦ ଦିନ ହେଲା ହୀନସ୍ତା ଭୋଗୁଛନ୍ତି। ଅଢ଼େଇ କିମି ବୁଲି ବୁଲି ରାସ୍ତା ଏପାଖରୁ ସେପାଖକୁ ଯାଉଛନ୍ତି। ପୋଲ କାର୍ଯ୍ୟ କେବେ ଶେଷ ହେବ, ତାହାକୁ ଚାହିଁ ରହିଛନ୍ତି ଅଞ୍ଚଳବାସୀ। ନିର୍ମାଣଧୀନ ପୋଲ ନିକଟରେ ନୀଳାଦ୍ରିବିହାର ହାଟ ରହିଥିବାରୁ ବ୍ୟବସାୟୀମାନେ କ୍ଷତି ସହୁଛନ୍ତି। ଦୈନିକ ଯେଉଁ ହିସାବରେ ବ୍ୟବସାୟ ହେଉଥିଲା, ତାହା ବହୁ ପରିମାଣରେ ପ୍ରଭାବିତ ହୋଇଛି। ଲୋକଙ୍କ ଅଭିଯୋଗ ହେଉଛି ଯେ ପ୍ରଶାସନର ଦୂରଦୃଷ୍ଟି ଅଭାବ ଯୋଗୁଁ ହଜାରହଜାର ଲୋକେ ହିନସ୍ତା ଭୋଗୁଛନ୍ତି। ଯଦି ଘରୋଇ ଜାଗା ରହିଥିଲା, ପ୍ରଶାସନ ଆଗରୁ ଜାଣିପାରିଲା ନାହିଁ କେମିତି? ଯିବା ଆସିବା ଲାଗି ଉପଯୁକ୍ତ ବିକଳ୍ପ ବ୍ୟବସ୍ଥା କରାଯିବାର ଆବଶ୍ୟକତା ଥିଲା। ଏଭଳି ଅଧାପନ୍ତରିଆ କାମ ଆଦୌ ଠିକ୍ ନୁହେଁ।
ସହକାରୀ ଯନ୍ତ୍ରୀ ରାଜକିଶୋର ଜେନା କହିଛନ୍ତି ଯେ ବିପଦସଂକୁଳ ଏହି ବ୍ରିଜ୍ ନିର୍ମାଣ ଲାଗି ପଦକ୍ଷେପ ନିଆଯାଇଥିଲା। ବର୍ଷା ଦିନ ପୂର୍ବରୁ କାମ ସାରିବା ଲକ୍ଷ୍ୟ ଥିଲା। ମାତ୍ର ବ୍ରିଜ୍ ଭାଙ୍ଗିବା ଦିନ ଡମଣାର ଜଣେ ବ୍ୟକ୍ତି ହାଇକୋର୍ଟରୁ ମାମଲା କରିବାରୁ କାମ ଅଧାରୁ ବନ୍ଦ ରହିଯାଇଛି। ଏ ଦିଗରେ ପଦକ୍ଷେପ ନିଆଯାଇଛି। ବହୁ ପୁରୁଣା ବ୍ରିଜ୍ ହୋଇଥିବାରୁ କାଗଜପତ୍ର ପ୍ରସ୍ତୁତ କରାଯାଉଛି। ଖୁବ୍ଶୀଘ୍ର ସମସ୍ୟାର ସମାଧାନ ହେବ ବୋଲି ଆଶା ରଖିଛୁ। ଲୁହା ପାଇପ୍ରେ ହୋଇଥିବା ବିକଳ୍ପ ରାସ୍ତା ସମସ୍ୟାର ସମାଧାନ କରାଯିବ।