ଭୁବନେଶ୍ବର: ଏକ ଦଳିତ ପରିବାରରୁ ଆସି ଭାରତୀୟ ସମ୍ବିଧାନର ମୁଖ୍ୟ ସଂରଚକ ହେବା ପର୍ଯ୍ୟନ୍ତ ଡକ୍ଟର ଆମ୍ବେଦକରଙ୍କ ଜୀବନ ଯାତ୍ରା ଆଗାମୀ ପିଢ଼ି ପାଇଁ ନିରନ୍ତର ପ୍ରେରଣାର ଉତ୍ସ ପାଲଟିଛି। ଆମ୍ବେଦକର, କେବଳ ଏକ ନାମ ନୁହେଁ, ଏହା ଏକ ବିଚାରଧାରା। ଭାରତରେ ଏକ ସୁସ୍ଥ ଭେଦଭାବରହିତ, ସମାବେଶୀ ସମାଜ ପ୍ରତିଷ୍ଠା କରିବା ସଂଘର୍ଷର ନାମ ହେଉଛି ଆମ୍ବେଦକର। ଡକ୍ଟର ଆମ୍ବେଦକରଙ୍କ ଜୀବନ ସଂଘର୍ଷମୟ ଥିଲା। ଏହି ସଂଘର୍ଷ ତାଙ୍କୁ ସମାଜରେ ପରିବର୍ତ୍ତନ ଆଣିବା ପାଇଁ ପ୍ରେରିତ କରିଥିଲା। ସେ ଏକାଧାରରେ ଜଣେ ଅର୍ଥନୀତିଜ୍ଞ, ଆଇନଜ୍ଞ, ସମାଜ ସଂସ୍କାରକ, ଗବେଷକ, ଦକ୍ଷ ପ୍ରଶାସକ, ଜନନେତା ଓ ରାଷ୍ଟ୍ରନାୟକ ଥିଲେ। ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଡକ୍ଟର ଆମ୍ବେଦକର ଜୟନ୍ତୀ ସମାରୋହରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହା କହିଛନ୍ତି। ଡକ୍ଟର ଆମ୍ବେଦକରଙ୍କ ସମ୍ମାନାର୍ଥେ ଭୁବନେଶ୍ବରରେ ଏକ ଭବନ ନିର୍ମାଣ ହେବା ସହିତ ଏହି ଭବନରେ ଏକ ଗ୍ରନ୍ଥାଗାର ଓ ସଭାଗୃହ ରହିବ ବୋଲି ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ସେହିଭଳି ଭୁବନେଶ୍ବରର ଏକ ରାସ୍ତା ଓ ଏକ ପାର୍କକୁ ତାଙ୍କ ନାମରେ ନାମିତ କରାଯିବା ନେଇ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

Advertisment

‘ଭୁବନେଶ୍ବରରେ ଭବନ ନିର୍ମାଣ ହେବ, ରାସ୍ତା ଓ ପାର୍କ ନାମିତ ହେବ’

ସମ୍ମାନିତ ଅତିଥି ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଲେ, ସବୁ ବାଧାବିଘ୍ନକୁ ସାମନା କରି ଆଗକୁ ବଢ଼ିବାର ଉଦାହରଣ ହେଉଛନ୍ତି ଡକ୍ଟର ଆମ୍ବେଦକର। ଆମ୍ବେଦକର ଯେଉଁମାନଙ୍କ ଉତ୍‌ଥାନ ପାଇଁ ଲଢ଼େଇ କରୁଥିଲେ ଏବଂ ଯାହା ତାଙ୍କ ସ୍ବପ୍ନ ଥିଲା ତାକୁ ସାକାର କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରୟାସରତ ଅଛନ୍ତି ବୋଲି ମନ୍ତ୍ରୀ କହିଥିଲେ। ଯାଜପୁର ସାଂସଦ ରବୀନ୍ଦ୍ର ନାରାୟଣ ବେହେରା ଡକ୍ଟର ଆମ୍ବେଦକରଙ୍କୁ ଜଣେ ଯୋଗଜନ୍ମା ବୋଲି କହିବା ସହିତ ତାଙ୍କ ନୀତି ଓ ଆଦର୍ଶକୁ ଗାଁ ଗାଁରେ ଘରେ ଘରେ ପହଞ୍ଚାଇବା ପାଇଁ ଆହ୍ବାନ ଦେଇଥିଲେ। ସାହିତ୍ୟିକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ କହିଲେ, ଗଣତନ୍ତ୍ର ଉପରେ ଡକ୍ଟର ଆମ୍ବେଦକରଙ୍କ ଅଖଣ୍ଡ ବିଶ୍ବାସ ଥିଲା। ଭେଦଭାବହୀନ ଏକ ସୁସ୍ଥ ସମାଜ ଗଠନ ପାଇଁ ତାଙ୍କ ଜୀବନ ଉତ୍ସର୍ଗୀକୃତ ଥିଲା। ଏହି ଅବସରରେ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେଇଥିବା ବିଭିନ୍ନ ବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଥିଲେ। ସୂଚନା ଓ ଲୋକସମ୍ପର୍କ ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ର ନାଥ ପରିଡ଼ା ସ୍ବାଗତ ଭାଷଣ ଦେଇଥିଲେ। ଉପନିର୍ଦ୍ଦେଶକ ସୁଚେତା ପ୍ରିୟଦର୍ଶିନୀ ଧନ୍ୟବାଦ ଦେଇଥିଲେ।