ଭୁବନେଶ୍ବର ଆଉ ଥରେ ତୁମେ କୃଷ୍ଣ ହୋଇଯାଅ... ଭଜନ ହେଉ କି ତୁମ ପାଇଁ ସାଥୀ ତୁମ ପାଇଁ... ଭଳି ରୋମାଣ୍ଟିକ ଗୀତ। ୨୦ ବର୍ଷ ଧରି ନିଜ କଣ୍ଠର ଯାଦୁରେ ଓଡ଼ିଆ ଶ୍ରୋତାଙ୍କୁ ମତୁଆଲା କରିଛନ୍ତି ଓଡ଼ିଶାର ସ୍ବନାମଧନ୍ୟା କଣ୍ଠଶିଳ୍ପୀ ଶୈଳଭାମା ମହାପାତ୍ର। ୩୦୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ କଣ୍ଠଦାନ କରି ଏବଂ ୧୮ ହଜାରରୁ ଅଧିକ ଗୀତ ଗାଇ ଓଡ଼ିଆ ସଙ୍ଗୀତ ଜଗତ ଭଣ୍ଡାରକୁ ସେ ଗରିମାମୟ କରିଛନ୍ତି। ୧୯୮୩ ମସିହାରେ ପ୍ରଥମେ ରେଡିଓରେ ଶିଶୁ କଣ୍ଠଶିଳ୍ପୀ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏକ ଭଜନ ସଙ୍ଗୀତ ଗାଇବା ପାଇଁ ସେ କଟକ ଆସିଥିଲେ। ଏହାପରେ ସଙ୍ଗୀତ ତାଙ୍କ ନିଶାରୁ ପେସା ମଧ୍ୟ ପାଲଟି ଯାଇଥିଲା। ୨୦୦୪ ମସିହାରେ ଓଡ଼ିଆ ଚଳଚ୍ଚିତ୍ର ‘ମା ଯାହାର ସାହା’ରେ କଣ୍ଠଦାନ କରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ପ୍ରବେଶ କରିଥିଲେ।

Advertisment

ଓଡ଼ିଆ ସଂଗୀତ ଜଗତରେ କ’ଣ ପରିବର୍ତ୍ତନ ଦେଖୁଛନ୍ତି?
ସଙ୍ଗୀତ ଜଗତରେ ୨୦ବର୍ଷ ତଳେ ବିବାଦ ଥିଲା ଓ ଏବେ ବି ରହିଛି। ବିବାଦ ଯୋଗୁଁ ହିଁ କିଛି ନୂଆ ନୂଆ ଗୀତ ବାହାରି ପାରୁଛି। କିଛି ଲୋକ ଭଲ ସୃଜନଶୀଳ ଗୀତ ପସନ୍ଦ କରନ୍ତି ତ’ ଆଉ କିଛି ଲୋକ ମସଲା ଥିବା ମେଲୋଡି ଗୀତ ପସନ୍ଦ କରନ୍ତି। ଏବେ ଅନେକ ଭଲ ଗୀତ ସୃଷ୍ଟି ହେଉଥିଲେ ମଧ୍ୟ ୭୦ ଓ ୮୦ ଦଶକରେ ପ୍ରସ୍ତୁତ ହୋଇଥିବା ଓଡ଼ିଆ ଗୀତଗୁଡ଼ିକ ହେଉଛି ଆମ ସଙ୍ଗୀତ ଜଗତର ମୂଳଦୁଆ। ଏବେ ପ୍ରସ୍ତୁତ ହେଉଥିବା ଗୀତଗୁଡ଼ିକ ଆସିବ, ଲୋକପ୍ରିୟ ହେବ ଓ ଦିନେ ହଜିଯିବ। କିନ୍ତୁ ଆମ ପୁରୁଣା ଗୀତ ସବୁ ଅମର।

ସଙ୍ଗୀତ ଜଗତ ଓଡ଼ିଆ ଚଳଚ୍ଚିତ୍ର ଦ୍ବାରା କେମିତି ପ୍ରଭାବିତ ହେଉଛି?
‘କୱା ଚଲେ ହଂସ୍‌ କି ଚାଲ୍‌’। ଏହି ନ୍ୟାୟରେ ଆଜି ଆମ ଓଡ଼ିଆ ଚଳଚ୍ଚିତ୍ର ଜଗତ ଅନ୍ୟକୁ ନକଲ କରି ଚାଲିଛି। ଫଳରେ ଓଡ଼ିଆ ସିନେମାର ଆଉ କ୍ରେଜ୍‌ ନାହିଁ। କିନ୍ତୁ ଓଡ଼ିଆ ଗୀତ ଏକ ବହି ଯାଉଥିବା ନଦୀ ଭଳି। ଓଡ଼ିଆ ଗୀତ ସବୁବେଳେ ଶ୍ରୋତାଙ୍କ ଚାହିଦାରେ ରହିଥିବା‌ ବେଳେ ସିନେମା ନ ଚାଲିଲେ ବି ଗୀତ ଭଲ ଚାଲେ। ଗୀତ ଦମ୍‌ରେ ସିନେମା ହିଟ୍‌ ହୋଇଯିବାର ବି ଅନେକ ନଜିର ରହିଛି। ଏଣୁ ଓଡ଼ିଆ ସିନେମା ଜଗତର ବୁଡ଼ି ଯାଉଥିବା ଡଙ୍ଗା ସଙ୍ଗୀତକୁ ବୁଡ଼ାଇ ପାରିବନି।

ସଙ୍ଗୀତଭିତ୍ତିକ ସିନେମା କରିବାକୁ କେବେ ଚାହିଛନ୍ତି କି?
ସଙ୍ଗୀତ ସବୁବେଳେ ପ୍ରାଧାନ୍ୟ ପାଉ, ଏହା ଜଣେ କଣ୍ଠଶିଳ୍ପୀ ହିସାବରେ ମୋର ଇଚ୍ଛା ଓ ସ୍ବପ୍ନ। ଓଡ଼ିଶାର ନିଜସ୍ବ ସଙ୍ଗୀତ ରହିଛି, ଓଡ଼ିଶାରେ ସଙ୍ଗୀତକୁ ନେଇ ବହୁ ପ୍ରାଚୀନତା ରହିଛି। ଏଣୁ ଓଡ଼ିଶାର ସଙ୍ଗୀତ, ଏହାର ପରମ୍ପରା ଓ ସବିଶେଷ ତଥ୍ୟକୁ ନେଇ ଏକ ଚଳଚ୍ଚିତ୍ର ହେଉ ତାହା ମୋର ଇଚ୍ଛା।

ଓଡ଼ିଶୀ ସଙ୍ଗୀତର ପ୍ରଚାରପ୍ରସାର ଦିଗରେ ଆମେ କେତେ ସଫଳ?
ମୁଁ ଓଡ଼ିଶୀ ସଙ୍ଗୀତ ପ୍ରଶିକ୍ଷଣ ନେବା ପରେ ହିନ୍ଦୁସ୍ତାନୀ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା କରିଛି। ଏହାକୁ ନେଇ ହିଁ ମୋ ସଙ୍ଗୀତ ଜୀବନ ଓ ଯାତ୍ରା ଗଢ଼ି ହୋଇଛି। ଓଡ଼ିଶା ସଙ୍ଗୀତ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ହୋଇଥିବା ବେଳେ ଦିଗଗ୍‌ଜମାନେ ଏଥିରେ ମତମନ୍ତବ୍ୟ ଦେବା ଠିକ୍‌ ହେବ। ସଙ୍ଗୀତକୁ ନେଇ ବ୍ୟାବସାୟିକ କ୍ଷେତ୍ରରେ ମୁଁ କ୍ୟାରିୟର୍‌ କରିଥିବାରୁ ଏ ସମ୍ପର୍କରେ କହିବା ଠିକ୍‌ ହେବ ନାହିଁ।

ସଙ୍ଗୀତକୁ ନେଇ କ’ଣ ଯୋଜନା ରହିଛି?
ମୁଁ ଆଜି ଯାଏ ଜଣେ କଣ୍ଠଶିଳ୍ପୀ ହୋଇ ଶ୍ରୋତାଙ୍କ ମଧ୍ୟରେ ରହିଆସିଛି। ଓଡ଼ିଶାରେ ଆଜି ଯାଏ କେହି ଜଣେ ବି କଣ୍ଠଶିଳ୍ପୀ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇନାହାନ୍ତି। ମୁଁ ‘ସତମିଛ’ ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛି। ଆଗକୁ ସଙ୍ଗୀତକୁ ନେଇ ଅଧିକ ଗବେଷଣା ଜାରି ରହିବ। ଆଗକୁ ଏକ ପ୍ରଯୋଜନା ସଂସ୍ଥା ଖୋଲିବାକୁ ଯୋଜନା କରିଛି।

ଦ୍ବିଅର୍ଥବୋଧ ସଙ୍ଗୀତକୁ ନେଇ କ’ଣ କହିବେ?
‘ଦେଲେ ଧରା କଥା ସରେ, ଥାଏ ମଜା ଦୂରେ ଦୂରେ’ ଏହି ସଙ୍ଗୀତର ଗଭୀରତାକୁ ଗଲେ ଜଣାପଡ଼ିବ ଏହା କେତେ ଅଶ୍ଳୀଳ। ଏ ଗୀତ ଏବେ ବି ଲୋକଙ୍କ ଚାହିଦାରେ ରହିଛି। କିନ୍ତୁ ଏହି ସଙ୍ଗୀତରେ ଶାଳୀନତାର ସହ ଶବ୍ଦ ସଂଯୋଜନା କରାଯାଇଛି। ଦ୍ବିଅର୍ଥବୋଧ ସଙ୍ଗୀତ ଆଗରୁ ଥିଲା ଓ ଏବେ ବି ରହିଛି। ଭାବନା ଓ ଅଶ୍ଳୀଳତା ଆମ ମୁଣ୍ଡରେ ହିଁ ରହିଛି। ଶବ୍ଦ କେବେ ଅଶ୍ଳୀଳ ହୋଇପାରେନା।

ରିୟଲିଟି ସୋ’ଗୁଡ଼ିକ ଦ୍ବାରା କଣ୍ଠଶିଳ୍ପୀମାନେ ଅଧିକ ସୁଯୋଗ ପାଇପାରୁଛନ୍ତି। ଆପଣ ଏହାକୁ କେମିତି ଦେଖନ୍ତି?
ମୋ ମତରେ ସଙ୍ଗୀତ ଏକ ସାଧନା। ସାଧନାରେ ଲିପ୍ତ କଣ୍ଠଶିଳ୍ପୀଙ୍କୁ ଅଧିକ ସୁଯୋଗ ମିଳିବା ଜରୁରୀ। ଆଜି ସାମାଜିକ ଗଣମାଧ୍ୟମ ବହୁ ଶକ୍ତିଶାଳୀ ହୋଇଯାଇଥିବାରୁ ରାତାରାତି ସମସ୍ତେ ଷ୍ଟାର ହୋଇଯାଉଛନ୍ତି। ଆଉ ପ୍ରକୃତ ପ୍ରତିଭା କେଉଁଠି ନା କେଉଁଠି ଲୁଚିଯାଉଛନ୍ତି। ରିୟଲିଟି ସୋ’ଗୁଡ଼ିକ ଦ୍ବାରା ପ୍ରତିବର୍ଷ ନୂଆନୂଆ‌ ଷ୍ଟାର ତିଆରି ହେଉଛନ୍ତି। ଫଳରେ ପୁରୁଣାଙ୍କ ପ୍ରତିଭା ଲୁଚିଯାଉଛି ଓ ଗାଇବାର ସମୟ ସୀମା ଏବେ ୧ରୁ ୨ ବର୍ଷକୁ କମି ଆସିଛି। ଆଗଭଳି ଜଣେ କଣ୍ଠଶିଳ୍ପୀ ୧୦ରୁ ୨୦ ବର୍ଷ ଆଉ ଗୀତ ଗାଇ ପାରୁନି।