ଆମ୍ବୁଲାନ୍‌ସ ଧକ୍କାରେ ଜଣେ ଆହତ, ଡ୍ରାଇଭର ଫେରାର

ପୁରୁଣା ଭୁବନେଶ୍ବର: ଶ୍ରୀଲିଙ୍ଗରାଜ ଥାନା ଅଧୀନ ସ୍ଥାନୀୟ ମହାବୀର ଛକଠାରେ ୧୦୮ ଆମ୍ବୁଲାନ୍ସ ଧକ୍କାରେ ଜଣେ ଯୁବକ ଆହତ ହୋଇଛନ୍ତି। ଆହତ ଯୁବକଜଣଙ୍କ ହେଲେ, ବଡ଼ଗଡ଼ ଥାନା ଅଧୀନ ରତ୍ନାକରବାଗ ରୋଡ୍‌ ନମ୍ବର ୧ର ପ୍ଲଟ୍ ନଂ ୩୬ରେ ରହୁଥିବା କାନୁନ୍‌ଗୋ ମନୋଜ କୁମାର ନାୟକ(୪୫)। ପୁଲିସ ସୂଚନା ଅନୁଯାୟୀ, ସକାଳ ପ୍ରାୟ ସାଢ଼େ ୧୦ଟାରେ ମନୋଜ ତାଙ୍କ ପୁଅକୁ ନିଜ ବାଇକ୍‌ (ଓଡି୦୨ଏଏଲ୍‌୧୩୧୫)ରେ ବସାଇ ସାମନ୍ତରାପୁର ନିକଟ ଏକ ଘରୋଇ ସ୍କୁଲକୁ ଛାଡ଼ିବାକୁ ଯାଉଥିଲେ। ଏହି ସମୟରେ ମହାବୀର ଛକଠାରେ ଭୁଲ୍‌ ଦିଗରୁ ଆସୁଥିବା ଏକ ଆମ୍ବୁଲାନ୍‌ସ(ଓଡି୦୨ଇ୯୮୫୪) ତାଙ୍କ ବାଇକ୍‌କୁ ଧକ୍କା ଦେଇଥିଲା। ଏଥିରେ ମନୋଜଙ୍କ ବାମ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ତାଙ୍କ ପୁଅ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ମନୋଜଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ଏକ ଘରୋଇ ହସ୍ପିଟାଲ‌‌ରେ ଭର୍ତ୍ତି କରାଇଥିଲେ। ଅପରପକ୍ଷେ ଦୁର୍ଘଟଣା ଘଟାଇବା ପରେ ଆମ୍ବୁଲାନ୍‌ସ ଡ୍ରାଇଭର୍‌ ଘଟଣାସ୍ଥଳରୁ ଫେରାର୍‌ ହୋଇଯାଇଥିଲା।

ସମ୍ବନ୍ଧିତ ଖବର