ଚାଳକଙ୍କ ବେପରୁଆ ଗାଡ଼ି ଚାଳନା, ଡିଭାଇଡର୍‌ରେ ଚଢ଼ିଗଲା ଆମ୍ବୁଲାନ୍ସ

ଭୁବନେଶ୍ୱର : ବେପରୁଆ ଗାଡ଼ି ଚାଳନା ଯୋଗୁଁ ବୁଧବାର ବିଳମ୍ବିତ ରାତିରେ ଏକ ଆମ୍ବୁଲାନ୍ସ ଭାରସାମ୍ୟ ହରାଇ ଡିଭାଇଡର୍‌ ଉପରେ ଚଢ଼ି ଯାଇଛି। ସ୍ଥାନୀୟ ୟୁନିଟ-୮ ଡିଏଭି ସ୍କୁଲ ଛକରେ ଏହି ଦୁର୍ଘଟଣା ଘଟିଛି। ସିଆର୍‌ପି ଛକ ଆଡ଼କୁ ଦ୍ରୁତ ଗତିରେ ଯାଉଥିବା ଏହି ଆମ୍ବୁଲାନ୍ସରେ ରୋଗୀ ନଥିଲେ। ତେବେ ଚାଳକଜଣଙ୍କ ମଧ୍ୟ ନିଶ୍ଚିତ ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ସ୍ଥାନୀୟ ଲୋକେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି। ଗାଡ଼ିଟି ରାସ୍ତାର ଉଭୟ କଡ଼କୁ ମାଡି ଏଭଳି ଦ୍ରୁତ ଗତିରେ ଆସୁଥିଲା ଯେ ଏକ ବଡ଼ ଅଘଟଣ ଘଟିଥା’ନ୍ତା ବୋଲି ଦେଖଣାହାରୀ କହିଛନ୍ତି। ପ୍ରଚୁର ମଦ ପିଇ ଚାଳକ ଗାଡ଼ି ଚଳାଉଥିବାରୁ ଏଭଳି ଘଟିଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ନୂଆପଲ୍ଲୀ ଥାନା ପୁଲିସ୍‌ ତଦନ୍ତ ଆରମ୍ଭ କରିଛି। ଚାଳକଙ୍କ ପରିଚୟ ଜଣାପଡ଼ିନାହିଁ।

ସମ୍ବନ୍ଧିତ ଖବର