ଆମ୍ବୁଲାନ୍‌ସ କରିଡର୍‌ କଥା ଭୁଲିଗଲେ କମିସନରେଟ୍‌ ପୁଲିସ୍‌

ଭୁବନେଶ୍ବର: ୫ବର୍ଷ ତଳେ ଭୁବନେଶ୍ବରରେ ଆମ୍ବୁଲାନ୍‌ସଗୁଡ଼ିକର ସହଜ ଚଳାଚଳ ପାଇଁ ସ୍ବତନ୍ତ୍ର ଆମ୍ବୁଲାନ୍‌ସ କରିଡର୍‌ ନିର୍ମାଣ ପାଇଁ ସ୍ବପ୍ନ ଦେଖାଇଥିଲା କମିସନରେଟ୍‌ ପୁଲିସ୍‌। ରାଜଧାନୀର ସମସ୍ତ ସରକାରୀ ଓ ବେସରକାରୀ ଆମ୍ବୁଲାନ୍‌ସ ବିନା ବାଧାରେ ଚଳାଚଳ କରିପାରିବେ, ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଥିଲା। ବୈଠକ ପରେ ବୈଠକ ବସିଲା, ହେଲେ ଆଜି ପର୍ଯ୍ୟନ୍ତ ଏହି କରିଡର୍‌ ନିର୍ମାଣ ହୋଇପାରିଲା ନାହିଁ। ଏହା ଭିତରେ ଅନେକ କମିସନର୍‌ ବଦଳି ଗଲେଣି, ସ୍ବତନ୍ତ୍ର ଆମ୍ବୁଲାନ୍‌ସ କରିଡର୍‌ ଆଜି ବି ସ୍ବପ୍ନ ହୋଇରହିଛି। ଗତ କିଛି ବର୍ଷ ଭିତରେ ରାଜଧାନୀରେ ଆମ୍ବୁଲାନ୍‌ସ ଚଳାଚଳରେ ବାଧା ଉପୁଜିବା କାରଣରୁ ଅନେକ ମୁଣ୍ଡ ଗଡ଼ିଲାଣି, ତଥାପି ସରକାରଙ୍କ ଚେତା ଫେରୁନି।

ଭିଆଇପି ଯାଉଥିବା ସମୟରେ ବି ରାସ୍ତାରେ ଯେପରି ଆମ୍ବୁଲାନ୍‌ସ ଅଟକିବ ନାହିଁ, ସେଥିପାଇଁ ରାଜଧାନୀରେ ସ୍ବତନ୍ତ୍ର ଆମ୍ବୁଲାନ୍‌ସ କରିଡର୍‌ ନିର୍ମାଣ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ଏଥିପାଇଁ ଦୁଇ ଦୁଇଟି କମିଟି ଗଠନ କରାଯାଇଥିଲା। ଗୋଟିଏ କମିଟି କମିସନରେଟ୍ ପୁଲିସ, ଜାତୀୟ ରାଜପଥ କର୍ତୃପକ୍ଷ, ପୂର୍ତ ବିଭାଗ ଓ ବିଏମ୍‌ସର ଅଧିକାରୀଙ୍କୁ ନେଇ ଗଠିତ ହୋଇଥିଲା। ସେହିପରି ସବ୍‌ କମିଟିରେ ଘରୋଇ ହସ୍ପିଟାଲମାନଙ୍କର ପ୍ରତିନିଧିଙ୍କ ସମେତ ପୁଲିସ, ଆଇଟି ବିଶେଷଜ୍ଞ ଓ ୧୦୮ ଆମ୍ବୁଲାନ୍‌ସର ଅଧିକାରୀ ରହିଥିଲେ। କମିସନରେଟ୍ ପୁଲିସ ଏଥିପାଇଁ ଘନଘନ ବୈଠକ ଡାକିଥିଲା। ରାଜଧାନୀରେ ଚଳାଚଳ କରୁଥିବା ଘରୋଇ ହସ୍ପିଟାଲ ମାଲିକଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଘରୋଇ ଆମ୍ବୁଲାନ୍‌ସଗୁଡ଼ିକରେ ଜିପିଏସ୍‌ ଲଗାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ଫଳରେ ଆମ୍ବୁଲାନ୍‌ସ ଚଳାଚଳ କରିବା ସମୟରେ ପୁଲିସ କଣ୍ଟ୍ରୋଲ ରୁମ୍‌ ଜରିଆରେ ଆଗକୁ କେଉଁ ରାସ୍ତାରେ ଗଲେ ବିନା ବାଧାରେ ଯାତାୟାତ କରିପାରିବ। ତେବେ ଏସବୁ କମିଟି କି ରିପୋର୍ଟ ଦେଲା ଓ ଏହା ଉପରେ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା, ତାହା ଆଜି ବି ପ୍ରଶ୍ନବାଚୀ ହୋଇରହିଛି।

ରାଜଧାନୀରେ ୧୨୦ ଘରୋଇ ଆମ୍ବୁଲାନ୍‌ସ ରହିଥିବା ବେଳେ ୮ରୁ ଅଧିକ ୧୦୮ ଆମ୍ବୁଲାନ୍‌ସ ରାଜଧାନୀରେ ଚଳାଚଳ କରୁଛି। ୧୦୮ ଆମ୍ବୁଲାନ୍‌ସରେ ପୂର୍ବରୁ ଜିପିଏସ୍‌ ବ୍ୟବସ୍ଥା ରହିଥିବା ବେଳେ ଘରୋଇ ଆମ୍ବୁଲାନ୍‌ସଗୁଡ଼ିକରେ ଜିପିଏସ୍‌ ଲଗାଇବା ଉପରେ ଗୁରୁତ୍ବ ଦିଆଯାଇଥିଲା। କ୍ୟାପିଟାଲ ହସ୍ପିଟାଲରୁ ୧୦୮ଆମ୍ବୁଲାନ୍‌ସ ପ୍ରତ୍ୟେକ ଦିନ ୩/୪ଟି ରୋଗୀଙ୍କୁ ଏସ୍‌ସିବିକୁ ସ୍ଥାନାନ୍ତର କରୁଥିବା ବେଳେ ରାଜଧାନୀର ବିଭିନ୍ନ ସ୍ଥାନରେ ଦୁର୍ଘଟଣାର ଶିକାର ହେଉଥିବା ବ୍ୟକ୍ତିଙ୍କୁ ମଧ୍ୟ କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରୁଛି। ଏହାସହ ଘରୋଇ ଆମ୍ବୁଲାନ୍‌ସ ମଧ୍ୟ ପ୍ରତ୍ୟେକ ଦିନ ଅନେକ ରୋଗୀଙ୍କୁ ସେବା ଯୋଗାଉଛନ୍ତି। ଏଭଳି ପରିସ୍ଥିତିରେ ରାଜଧାନୀରେ ଏକ ସ୍ବତନ୍ତ୍ର ଆମ୍ବୁଲାନ୍‌ସ କରିଡର୍‌ ନିର୍ମାଣ ଜରୁରୀ ହୋଇପଡ଼ିଛି। ଦେଶର ଚେନ୍ନାଇ, ବେଙ୍ଗାଲୁରୁ ଓ ଗୁରଗାଓଁରେ ଏଭଳି ବ୍ୟବସ୍ଥା ଆରମ୍ଭ ହୋଇସାରିଛି।

ସମ୍ବନ୍ଧିତ ଖବର