ଭୁବନେଶ୍ୱର: ଆଜିକାଲିର ଦୁନିଆରେ ମାନବିକତାର ଘୋର ଅଭାବ ଦେଖା ଦେଇଥିବା ବେଳେ ଏଠି ବୁଲା ଜୀବଜନ୍ତୁଙ୍କୁ କିଏ ବା ପଚାରେ। କିନ୍ତୁ ସମାଜରେ ଏବେ ବି କିଛି ହୃଦୟବାନ୍ ଲୋକ ଅଛନ୍ତି, ଯେଉଁମାନେ ଜୀବଜନ୍ତୁଙ୍କ ପାଇଁ କିଛି ଅଭିନବ ଉପାୟ ବାହାର କରୁଛନ୍ତି। କିଏ ଡହଡହ ଖରାରେ ତୃଷାର୍ତ ପକ୍ଷୀଙ୍କୁ ପାଣି ପିଆଇବାକୁ ବଗିଚା ଓ ଛାତରେ ପାଣି ପାତ୍ର ରଖୁଛି ତ’ ପୁଣି କିଏ ବୁଲା ଗାଈଗୋରୁଙ୍କ ସେବା କରୁଛି। କିନ୍ତୁ ଆଜି ରାଜଧାନୀରେ ଏକ ନିଆରା ଆମ୍ବୁଲାନ୍ସ ଉଦ୍ଘାଟିତ ହୋଇଛି। ବୁଲା କୁକୁରମାନଙ୍କୁ ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ଫେସନ୍ ଡିଜାଇନର୍ ଶ୍ୱେତା ପାରେଖ ଆରମ୍ଭ କରିଛନ୍ତି ‘ଡଗ୍ ଆମ୍ବୁଲାନ୍ସ’ ସେବା।
ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କଟକ ରୋଡ୍ ହିନ୍ଦୁସ୍ଥାନୀ ଜୁଏଲର୍ସ ନିକଟସ୍ଥ ପଡ଼ିଆରେ ଆୟୋଜିତ କାର୍ଯ୍ୟକ୍ରମରେ ଏହାକୁ ଉଦ୍ଘାଟନ କରିଥିଲେ। ଏଥିରେ ସମାଜସେବୀ ନମ୍ରତା ଚଢ଼ା ଓ ମୀରା ପରିଡ଼ା ମଧ୍ୟ ଉପସ୍ଥିତ ଥିଲେ। ଖାଲି କୁକୁର ନୁହେଁ, ଅନ୍ୟ ବୁଲା ପଶୁକୁ ଏଥିରେ ନିଆଯାଇ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ବୋଲି ଡିଜାଇନର୍ ପାରେଖ କହିଛନ୍ତି। ଅସୁସ୍ଥ କୁକୁରମାନଙ୍କୁ ଓୟୁଏଟି କିମ୍ବା କୌଣସି ପଶୁ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଯିବ। ଏହି ଆମ୍ବୁଲାନ୍ସ ସେବା ଭୁବନେଶ୍ୱର ଓ କଟକରେ କାର୍ଯ୍ୟ କରିବ। ତେବେ ଏଥିରେ ପୋଷା କୁକୁରଙ୍କୁ ନେବା ନିମନ୍ତେ ଭୁବନେଶ୍ୱର ପାଇଁ ୫୦୦ ଟଙ୍କା ଓ କଟକ ପାଇଁ ୮୦୦ ଟଙ୍କା ପଡ଼ିବ।
ଏଭଳି ଏକ ଅଭିନବ ଆମ୍ବୁଲାନ୍ସ ଆରମ୍ଭ ପଛର କାହାଣୀ ବିଷୟରେ ଡିଜାଇନର୍ ପାରେଖ୍ କୁହନ୍ତି, ତାଙ୍କ କୁକୁରର ପ୍ରସବ ସମୟରେ ସେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏଥିପାଇଁ ଆମ୍ବୁଲାନ୍ସଟିଏ ନିହାତି ଆବଶ୍ୟକ ଭାବିବା ସହ ବୁଲା କୁକୁରଙ୍କ ସ୍ୱାସ୍ଥ୍ୟ କିମ୍ବା ଦୁର୍ଘଟଣା ସମୟରେ ଏହା ସାହାଯ୍ୟ କରିବ ବୋଲି ଭାବି ଆଜି ଏହାର ଆରମ୍ଭ କରିଛନ୍ତି। ଖାଲି ସେତିକି ନୁହେଁ, ବୁଲା କୁକୁରଙ୍କ କିଛି ସ୍ୱତନ୍ତ୍ର ଅନୁଭବ ଦେବା ପାଇଁ ଆଜିର ଦିନ ତଥା ପ୍ରତ୍ୟେକ ବର୍ଷ ଏପ୍ରିଲ୍ ୧୫କୁ ‘ରୁଟି ଦିବସ’ ଭାବେ ପାଳନ କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ପୁଣି ଆଜି କାର୍ଯ୍ୟକ୍ରମ ଶେଷରେ ରୁଟି ପ୍ୟାକେଟ୍ କରି ୧୦୦ ଜଣ ସ୍ୱେଚ୍ଛାସେବୀ ସହରର ବିଭିନ୍ନ ଅଞ୍ଚଳର ବୁଲା କୁକୁରମାନଙ୍କୁ ବାଣ୍ଟିଥିଲେ। ପ୍ରତିଦିନ ବୁଲା କୁକୁରମାନଙ୍କୁ ଖାଇବାକୁ ଦେବା ସହ ପ୍ରତିବର୍ଷ ଏପ୍ରିଲ୍ ୧୫କୁ କିଛି ସ୍ୱତନ୍ତ୍ର ବ୍ୟଞ୍ଜନ କରି କୁକୁରମାନଙ୍କ ଆପ୍ୟାୟିତ କଲେ ସେମାନେ ବି ନିଜକୁ ସ୍ୱତନ୍ତ୍ର ଅନୁଭବ କରିପାରନ୍ତେ ବୋଲି ଡିଜାଇନର୍ ପାରେଖ୍ ଅନୁରୋଧ କରିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp