ଆମେ ଗଢିବା ଆମ ସହର: ବିଏମ୍‌ସି ୱାର୍ଡ ନମ୍ବର ୪୩, ଲକ୍ଷ୍ମୀସାଗରର ଦୁଃଖ ମଶାଣି ଓ ଡ୍ରେନ୍‌

ଭୁବନେଶ୍ବର: ‘ସମ୍ବାଦ’ ପକ୍ଷରୁ ‘ଆମେ ଗଢ଼ିବା ଆମ ସହର’ ଅଭିଯାନର ଦ୍ବିତୀୟ ବୈଠକ ସୋମବାର ୪୩ନଂ ୱାର୍ଡର ଲକ୍ଷ୍ମୀସାଗରସ୍ଥିତ ମେଳଣ ପଡ଼ିଆରେ ଅନୁଷ୍ଠିତ ହୋଇଥିଲା। ଲକ୍ଷ୍ମୀସାଗର ଗାଁ ଓ ଏହାର ଆଖପାଖ ଅଞ୍ଚଳର ବାସିନ୍ଦାମାନେ ବୈଠକରେ ସାମିଲ ହୋଇ ନିଜ ଅଞ୍ଚଳର ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହିତ ତୁରନ୍ତ ସମାଧାନ ପାଇଁ ସ୍ବର ଉଠାଇଥିଲେ। ରାଜଧାନୀ ଆରମ୍ଭ ହେବା ସମୟରେ ୩ଟି ଗ୍ରାମକୁ ନେଇ ବିଜ୍ଞାପିତ ଅଞ୍ଚଳ ପରିଷଦ ବା ଏନ୍‌ଏସି ପ୍ରତିଷ୍ଠା ହୋଇଥିଲା। ତହିଁରୁ ଗୋଟିଏ ଗ୍ରାମ ଥିଲା ଲକ୍ଷ୍ମୀସାଗର। ପୁରାଣରେ ମଧ୍ୟ ଲକ୍ଷ୍ମୀସାଗର ସଂପର୍କରେ ଉଲ୍ଲେଖ ରହିଛି। ତେବେ ଏହି ଐତିହ୍ୟ ଗ୍ରାମ ଲକ୍ଷ୍ମୀସାଗର ଏବେ ଅନେକ ସମସ୍ୟା ଦେଇ ଗତି କରୁଛି।

ମଶାଣିଠାରୁ ଆରମ୍ଭ କରି ବିଦ୍ୟାଳୟ ଓ ସ୍ବାସ୍ଥ୍ୟକେନ୍ଦ୍ର ସମସ୍ୟାରେ ଘାଣ୍ଟି ହେଉଛନ୍ତି ଲୋକ। ତେବେ ସବୁଠୁ ବଳିଯାଇଛି ଡ୍ରେନେଜ୍‌ ସମସ୍ୟା। ଲକ୍ଷ୍ମୀସାଗର ଦେଇ ଯାଇଥିବା ୫ନଂ ଡ୍ରେନ୍‌ ଲୋକଙ୍କ ପାଇଁ ଦୁଃଖ ପାଲଟିଛି। ପୂର୍ବରୁ ଏଥିରେ ଲୋକମାନେ ଗାଧୋଉଥିଲେ। ଏବେ କିନ୍ତୁ ପରିସ୍ଥିତି ସମ୍ପୂର୍ଣ୍ଣ ଓଲଟା। ଏବେ ନାଳ ନର୍ଦ୍ଦମା ପାଣି ଗାଁ ଲୋକଙ୍କ ଘରେ ପଶୁଛି। ପରିସ୍ଥିତି ‌ଏପରି ହୋଇଛି ଯେ, ବର୍ଷାଦିନେ ମୃତ ଜୀବଜନ୍ତୁ ପାଣିରେ ଭାସି ଆସି ଘର ଭିତରେ ଲାଗୁଛନ୍ତି। ଅନେକ ସମୟରେ ସ୍କୁଲ ପିଲାମାନେ ଅନ୍ୟ ଘରର ଛାତକୁ ଛାତ ଡେଇଁ ଯିବା ଆସିବା କରନ୍ତି। ସରକାରୀ ଅଧିକାରୀ ଡ୍ରେନ୍‌ର ଲେଭଲିଂକୁ ଗୁରୁତ୍ବ ନ ଦେଇ ମନଇଚ୍ଛା ଯୋଜନା କରୁ ଥିବାରୁ ଏଭଳି ସମସ୍ୟା ଉପୁଜୁଥିବା ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି। ବାରମ୍ବାର ଏ ସଂପର୍କରେ ବିଏମ୍‌ସିର ଦୃଷ୍ଟି ଆକର୍ଷଣ କରାଯାଇ ଥିଲେ ହେଁ, ଏହାର ସମାଧାନର ବାଟ ବାହାରି ପାରୁନାହିଁ। ସେହିପରି ଗ୍ରାମବାସୀଙ୍କ ପାଇଁ ଗାଁ ମଶାଣି ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି। ପୂର୍ବରୁ ମେଳଣ ପଡ଼ିଆ ନିକଟରେ ଗାଁ ମଶାଣି ଥିବା ବେଳେ ୭ମ ବାଟାଲିଅନ୍ ପ୍ରତିଷ୍ଠା ହେବା କାରଣରୁ ସରକାର ଏହାକୁ ଅନ୍ୟତ୍ର ସ୍ଥାନାନ୍ତର କରିଥିଲେ। ପରବର୍ତ୍ତୀ ସମୟରେ ସେଠାରୁ ମଧ୍ୟ ମଶାଣିକୁ ଉଠାଇ ନିଆଯାଇଥିଲା। ଏବେ ଯେଉଁ ସ୍ଥାନରେ ମଶାଣି ରହିଛି ସେଠାରେ ଶବ ଦାହକୁ ନେଇ ସମସ୍ୟା ଉପୁଜୁଛି। ଗ୍ରାମବାସୀଙ୍କ ମଧ୍ୟରେ ଏହାକୁ ନେଇ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ସବୁ ଲୋକ କ’ଣ ଶବ ଦାହ ପାଇଁ ସତ୍ୟନଗର କିମ୍ବା ପୁରୀ ସ୍ବର୍ଗଦ୍ବାର ଉପରେ ନିର୍ଭର କରି ପ‌ାରିବେ କି ବୋଲି ଅନେକ ପ୍ରଶ୍ନ କରିଛନ୍ତି।

ଏହାସହ ଲକ୍ଷ୍ମୀସାଗରର ଐତିହ୍ୟ ସମ୍ପନ୍ନ ବଡ଼ ପୋଖରୀର ପୁନରୁଦ୍ଧାର ମଧ୍ୟ ଗ୍ରାମବାସୀଙ୍କ ପାଇଁ ପ୍ରମୁଖ ସମସ୍ୟା ହୋଇ ରହିଛି। ପୋଖରୀ ଧୀରେ ଧୀରେ ପୋତି ହୋଇଯାଉଛି। ଏକାଧିକ ଥର ଏହାର ପୁନରୁଦ୍ଧାର ହୋଇଥିଲେ ମଧ୍ୟ ସୁଫଳ ମିଳୁ ନାହିଁ। କେବଳ ଏତିକି ନୁହେଁ, ଲକ୍ଷ୍ମୀସାଗର ଅଞ୍ଚଳରେ ଏବେ ଲୋକସଂଖ୍ୟାରେ ଯଥେଷ୍ଟ ବୃଦ୍ଧି ଘଟିଛି। ହେଲେ ଏତେ ଲୋକଙ୍କ ପାଇଁ ସରକାରୀ ସ୍ବାସ୍ଥ୍ୟ କେନ୍ଦ୍ରଟିଏ ନାହିଁ। ସ୍ବାସ୍ଥ୍ୟକେନ୍ଦ୍ର ପ୍ରତିଷ୍ଠା ପାଇଁ ଜାଗା ଚିହ୍ନଟ ହୋଇଥିଲେ ହେଁ, ସରକାରୀ ନାଲିଫିତା ତଳେ ଏହା ଚାପି ହୋଇଯାଇଛି। ତେଣୁ ସ୍ଥାନୀୟ ଲୋକଙ୍କୁ ସ‌ାଧାରଣ ଥଣ୍ଡା କାଶ ହେଲେ ବି କ୍ୟାପିଟାଲ ହସ୍ପିଟାଲ କିମ୍ବା ଘରୋଇ ଡାକ୍ତରଖାନା ଉପରେ ନିର୍ଭର କରିବାକୁ ପଡ଼ୁଛି। ସେହିପରି ଲକ୍ଷ୍ମୀସାଗର ଗାଁ ନିକଟରେ ଦୟାୱେଷ୍ଟ କେନାଲ ଯାଇଛି। ମାତ୍ର ଏଥିରେ ଏବେ ଡ୍ରେନ୍ ପାଣି ଯାଉଥିବାରୁ ମଶାମାନଙ୍କ ପାଇଁ ଏହା ଆବାସସ୍ଥଳୀ ପାଲଟିଛି। ତେଣୁ ଆଗକୁ ଗାଁ ପାଇଁ ବିକାଶମୂଳକ ଯୋଜନା କରାଯିବା ସମୟରେ ପ୍ରଶାସନ ଗାଁ ଲୋକମାନଙ୍କ ସହିତ ଏ ସଂପର୍କରେ ଆଲୋଚନା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି। ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମରେ ସଭାପତିତ୍ବ କରି କହିଲେ, ୨୦ ବର୍ଷ ତଳେ ରାଜଧାନୀର ଅବସ୍ଥା ଯାହା ଥିଲା ଏଥିରେ ଅନେକ ପରିବର୍ତନ ହୋଇଛି। ପୂର୍ବରୁ ଯିବା ଆସିବା ସମୟରେ ଯେତିକି ସମୟ ଲାଗୁଥିଲା ଏବେ ତାଠାରୁ ଯଥେଷ୍ଟ ଅଧିକ ସମୟ ଲାଗୁଛି। ଅବ୍ୟବସ୍ଥିତ ଭାବେ ସହର ବଢ଼ିଛି। ଏ ଅଞ୍ଚଳବାସୀଙ୍କ ରହିଥିବା ସମସ୍ୟାକୁ ସରକାରଙ୍କ ନିକଟରେ ପହଞ୍ଚାଇବାକୁ ଏହି କ‌ାର୍ଯ୍ୟକ୍ରମ ହେଉଛି ଏକ ପ୍ରକ୍ରିୟା। ବରିଷ୍ଠ ନାଗରିକମାନଙ୍କର ସହର ପ୍ରତି ଗୁରୁ ଦାୟିତ୍ବ ରହିଛି। ସହରକୁ କିଭଳି ଭାବେ ଗଢ଼ିଲେ ତାହା ସମସ୍ତଙ୍କ ପାଇଁ ଫଳପ୍ରଦ ହୋଇପାରିବ ସେ ବିଷୟରେ ଖୋଲା ଆଲୋଚନା ହେବା ଦରକାର ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ‘ଆମ ଓଡ଼ିଶା’ସଂପାଦକ ସ୍ବରାଜ ମିଶ୍ର କହିଥିଲେ, ସାଧାରଣ ନାଗରିକଙ୍କ ମୌଳିକ ସମସ୍ୟାରୁ ନଜର ହଟାଇ ଅନ୍ୟ ଘଟଣାକୁ ଲଦି ଦେବାକୁ ଚେଷ୍ଟା କରାଯାଉଛି। ଏଭଳି ପରିସ୍ଥିତିରେ ଗ୍ରାମବାସୀମାନେ ନିଜ ଅଞ୍ଚଳର ସମସ୍ୟାକୁ ନିଜ ମୁହଁରେ ପ୍ରକାଶ କରିବା ଲାଗି ଏହି ପ୍ରୟାସ କରାଯାଇଛି।

ସମ୍ବାଦର ମୁଖ୍ୟ ମହାପ୍ରବନ୍ଧକ(ବାର୍ତା) ଅରବିନ୍ଦ ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ସଂପର୍କରେ କହିଥିଲେ। ଶ୍ରୀ ଦାସ କହିଥି‌ଲେ, ଲୋକମାନଙ୍କ ସମସ୍ୟାକୁ ସରକାରୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ ଲାଗି ଏହି ଅଭିଯାନ ଆରମ୍ଭ ହୋଇଛି। ନିଜ ଅଞ୍ଚଳର ସମସ୍ୟା ଓ ଏହାର ସମାଧାନ ପାଇଁ ନାଗରିକମାନେ ନିଜର ଖୋଲା ମତ ରଖିବା ଦରକାର ବୋଲି ସେ କହିଥିଲେ। ପ୍ରାରମ୍ଭରେ ଉପ-ମହାପ୍ରବନ୍ଧକ(ବାର୍ତା) ଭବାନୀ ଶଙ୍କର ତ୍ରିପାଠୀ ସ୍ବାଗତ ଭାଷଣ ରଖିଥିବା ବେଳେ ଚିଫ୍ ରିପୋର୍ଟର ଚୌଧୁରୀ ଅମିତାଭ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସିନିଅର୍ ରିପୋର୍ଟର ବିଶ୍ବଜିତ ଦାଶ ଧନ୍ୟବାଦ ଦେଇଥିଲେ।

ସାମାନ୍ୟ ବର୍ଷାରେ ଗାଁ ବୁଡ଼ୁଛି
ପୁରାଣରେ ଲକ୍ଷ୍ମୀସାଗର ସଂପର୍କରେ ଉଲ୍ଲେଖ ରହିଛି। ରାଜଧାନୀ ଆରମ୍ଭ ସମୟରେ ଥିବା ଏନ୍‌ଏସିରେ ଲକ୍ଷ୍ମୀସାଗର ରହିଥିଲା। ମାତ୍ର ଏବେ ଏହି ଗାଁ ବହୁ ସମସ୍ୟା ଦେଇ ଗତି କରୁଛି। ଅସରାଏ ବର୍ଷା ହେଲେ ଗାଁରେ ଆଣ୍ଠୁଏ ପାଣି ହେଉଛି। ଗାଁରେ ମଶାଣିର ଆବଶ୍ୟକତା ଥିବା ବେଳେ ତାହା ଗ୍ରାମବାସୀଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ପୋଖରୀ ପୁନରୁଦ୍ଧାର ପାଇଁ ଲକ୍ଷାଧିକ ଟଙ୍କା ଆସୁଥିବା ବେଳେ ଅଳ୍ପ ଖର୍ଚ୍ଚ ‌ହୋଇ ବାକି ଟଙ୍କା ହରିଲୁଟ୍ ହେଉଛି। ୫ନଂ ଡ୍ରେନ୍‌ ପାଇଁ ଗାଁଲୋକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଡ୍ରେନ୍ ସମସ୍ୟା ପାଇଁ ବହୁବାର ପ୍ରତିଶ୍ରୁତି ମିଳୁଛି, ହେଲେ ସମାଧାନ ହୋଇପାରିନି।
ଅଧୀରଜ ନାୟକ, ଗ୍ରାମବାସୀ
ସମସ୍ୟାର ସମାଧାନ ନ ହେଲେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ
ଲକ୍ଷ୍ମୀସାଗର ଗାଁରେ ସ୍ବେରେଜ୍ ବ୍ୟବସ୍ଥା ଅତ୍ୟନ୍ତ ନିମ୍ନ ମାନର। ସାମାନ୍ୟ ବର୍ଷାରେ ଗାଁ ବୁଡ଼ି ଯାଉଛି। ଡ୍ରେନେଜ୍ ସୁବିଧା ନ ଥିବାରୁ ଏଭଳି ସମସ୍ୟା ଉପୁଜୁଛି। ତେବେ ଆସନ୍ତା ୨/୩ମାସ ଭିତରେ ସରକାରଙ୍କ ପକ୍ଷରୁ ପଦକ୍ଷେପ ନିଆ ନ ଗଲେ ଗ୍ରାମବାସୀମାନେ ଶାନ୍ତିପୂର୍ଣ୍ଣ ଆନ୍ଦୋଳନ କରିବେ। ଗ୍ରାମବାସୀଙ୍କ ସରଳତାକୁ ଦୁର୍ବଳତା ଭାବେ ଗ୍ରହଣ କରା ନ ଯାଉ।
କ୍ଷମାକର ସ୍ବାଇଁ, ବରିଷ୍ଠ ନାଗରିକ
ଗାଁ ମଶାଣିକୁ ଛଡ଼େଇ ନେବାକୁ ଯୋଜନା ଚାଲିଛି
ଲକ୍ଷ୍ମୀସାଗର ଗାଁରେ ଥିବା ଫିସରି ପୋଖରୀ ହେଉଛି ଗାଁର ଆତ୍ମା ଓ ଇତିହାସ। ପୂର୍ବରୁ ୨୫ଏକରର ଥିବା ଏହି ପୋଖରୀକୁ ଏବେ ପୋତି ଦିଆଯାଇଛି। ଜନସଂଖ୍ୟା ବୃଦ୍ଧି ନାଁରେ ଏହାକୁ ପୋତି ଦେବାକୁ ଉଦ୍ୟମ ଚ‌ାଲିଛି। ତେଣୁ ଏହାର ପୁନରୁଦ୍ଧାର ନିତାନ୍ତ ଆବଶ୍ୟକ। ଗ୍ରାମବାସୀମାନେ ମଶାଣି ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଶବ ଦାହ ସମୟରେ ପାଣି ପକାଇ ଲିଭାଇ ଦିଆଯାଉଛି। ଶ୍ମଶାନ କିସମକୁ କୌଣସି ମତେ ପରିବର୍ତନ କରାଯାଇ ପାରିବ ନାହିଁ ବୋଲି ସୁପ୍ରିମକୋର୍ଟଙ୍କ ନିର୍ଦେଶ ରହିଛି। ଏହାସତ୍ତ୍ବେ ଗାଁ ମଶାଣିକୁ ଛଡ଼େଇ ନେବା ଲାଗି ଯୋଜନା ଚାଲିଛି। ଗାଁରେ ଏକ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ପ୍ରତିଷ୍ଠା ହେବା ଲାଗି ୩/୪ବର୍ଷ ତଳେ ନିଷ୍ପତ୍ତି ହୋଇଥିଲା। ଭୁବନେଶ୍ବର ସାଂସଦଙ୍କ ପାଣ୍ଠିରୁଏହାକୁ ନିର୍ମାଣ କରାଯିବ ବୋଲି ଯୋଜନା ହୋଇଥିଲା। ମାତ୍ର ଆଜି ପର୍ଯ୍ୟନ୍ତ ତାହା ପ୍ରତିଷ୍ଠା ହୋଇ ପାରିଲା ନାହିଁ। ବର୍ଷାଦିନେ ଲୋକମାନଙ୍କୁ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଲୋକମାନେ ଘରୁ ବାହାରି ପାରୁ ନାହାନ୍ତି।
ସଂଯୁକ୍ତା ନାୟକ, ପୂର୍ବତନ କର୍ପୋରେଟର ତଥା ଆଇନଜୀବୀ
ଆମକୁ ଶ୍ମଶାନ ଦରକାର
ଗାଁକୁ ନେଇ ସହରର ପରିକଳ୍ପନା କରାଯାଇଥାଏ। ହେଲେ ଗ୍ରାମବାସୀମାନେ ମଶାଣି ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଡ୍ରେନ୍‌ଠାରୁ ଡାକ୍ତରଖାନା ଭଳି ଅନେକ ସମସ୍ୟା ରହିଛି ଏହି ଅଞ୍ଚଳରେ। ଏ ସଂପର୍କରେ ବିଧାନସଭାରେ ଆଲୋଚନା କରାଯିବା ସହିତ ‘୫-ଟି’ ସଚିବଙ୍କ ଦୃଷ୍ଟି ଆକର୍ଷଣ କରାଯିବାର ଆବଶ୍ୟକତା ରହିଛି।
ଯୋଗେନ୍ଦ୍ର ସାହୁ, ଗ୍ରାମବାସୀ
ଡ୍ରେନେଜ୍ ସମସ୍ୟାର ସ୍ଥାୟୀ ପ୍ରତିକାର ଜରୁରୀ
୫ନଂ ‌ଡ୍ରେନ୍‌ ଲକ୍ଷ୍ମୀସାଗର ଦେଇ ଯିବା ପରେ ଗଙ୍ଗୁଆରେ ମିଶିଛି। ବର୍ଷାଦିନେ ଲକ୍ଷ୍ମୀସାଗର ଗ୍ରାମବାସୀମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ଉପରସାହିର ଲୋକମାନେ ଜଳବନ୍ଦୀ ହୋଇ ରହୁଛନ୍ତି। ପୂର୍ବରୁ ଡ୍ରେନ୍‌ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀମାନେ ବହୁବାର ଚେଷ୍ଟା କରିଛନ୍ତି। ଡ୍ରେନ୍‌ର ପ୍ରଶସ୍ତୀକରଣ ପାଇଁ ଅର୍ଥ ବ୍ୟୟବରାଦ ହୋଇଛି। ମାତ୍ର ଏହା ଉପରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ତେଣୁ ଡ୍ରେନ୍‌ ସମସ୍ୟାର ସ୍ଥାୟୀ ପ୍ରତିକାର ଜରୁରୀ। ବିଏମ୍‌ସି ପକ୍ଷରୁ ୱାର୍ଡ କାର୍ଯ୍ୟାଳୟ ଖୋଲାଯାଇଥିବା କୁହାଯାଉଛି। ହେଲେ ଲୋକମାନେ ଏ ସଂପର୍କରେ ଜାଣି ନାହାନ୍ତି।
ରାକେଶ ପାତ୍ର, ଗ୍ରାମବାସୀ
ସରକାରଙ୍କ ହୀନମନ୍ୟତା ବାରି ହୋଇପଡ଼ୁଛି
ଲକ୍ଷ୍ମୀସାଗର ଗାଁ ଏବେ ସମସ୍ୟାର ସମୁଦ୍ର ଭିତରେ ରହିଛି। ଗାଁରେ ଶିକ୍ଷା, ସ୍ବାସ୍ଥ୍ୟ, ପରିମଳ ବ୍ୟବସ୍ଥା ଅତ୍ୟନ୍ତ ଦୟନୀୟ। ପରିସ୍ଥିତି ଏପରି ହୋଇଛି ଯେ, ଗାଁ ଶ୍ରୀହୀନ ହୋଇଗଲାଣି। ରାସ୍ତା, ଡ୍ରେନ୍, ଶ୍ମଶାନ, ପୋଖରୀ ଓ ସ୍କୁଲ ସମସ୍ୟାର ସମାଧାନ ହୋଇପାରୁ ନାହିଁ। ଲକ୍ଷ୍ମୀସାଗର ଗାଁ ପ୍ରତି ସରକାରଙ୍କ ହୀନମନ୍ୟତା ବାରି ହୋଇପଡ଼ୁଛି।
ବଳରାମ ‌ବେହେରା, ଅବସରପ୍ରାପ୍ତ ସରକାରୀ କର୍ମଚାରୀ
ଐତିହ୍ୟ ତୋରଣରେ ଇଟା ଖଣ୍ଡେ ବି ଯୋଡ଼ି ହୋଇ ପାରିଲାନି
ରାଜ୍ୟ ସରକାରଙ୍କ ପକ୍ଷରୁ ଲକ୍ଷ୍ମୀସାଗରରେ ଏକ ଐତିହ୍ୟ ତୋରଣ ପାଇଁ ଶୁଭ ଦିଆଯାଇଥିଲା। ହେଲେ ଏହା ଭିତରେ ଦୁଇ ବର୍ଷ ବିତିଗଲାଣି। ଏ ପର୍ଯ୍ୟନ୍ତ ଐତିହ୍ୟ ତୋରଣରେ ଇଟା ଖଣ୍ଡେ ଯୋଡ଼ି ହୋଇପାରି ନାହିଁ। ଏଥିରୁ ଲକ୍ଷ୍ମୀସାଗର ଗାଁ ପ୍ରତି ସରକାରଙ୍କ ଅବହେଳା ବାରି ହୋଇପଡ଼ୁଛି।
ରାଜକିଶୋର ସାହୁ, ଗ୍ରାମବାସୀ
ଦୟା କେନାଲକୁ ପୋତାଯାଉ କିମ୍ବା ପୁନରୁଦ୍ଧାର ହେଉ
ଲକ୍ଷ୍ମୀସାଗର ଗାଁ ନିକଟରେ ଯାଇଥିବା ଦୟା କେନାଲ ଏବେ ପ୍ରାୟ ମୃତ। କେନାଲ ଏବେ ଅପରିଷ୍କାର ହୋଇଯାଇଛି। ଯାହାଫଳରେ ମଶାଙ୍କ ପାଇଁ ଏହା ଆବାସସ୍ଥଳୀ ପାଲଟିଛି। ତେଣୁ ରାଜ୍ୟ ସରକାର ଏହାକୁ ପୋତି ଦିଅନ୍ତୁ ନଚେତ୍ ଏହାର ପୁନରୁଦ୍ଧାର କରନ୍ତୁ।
ପ୍ରଶାନ୍ତ ପରିଡ଼ା, ଗ୍ରାମବାସୀ
କେନାଲ ପାଖରେ ଡଷ୍ଟବିନ୍ ରଖାଯାଉ
ଦୟା କେନାଲ ପାଇଁ ଲକ୍ଷ୍ମୀସାଗର ଲୋକମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ମଶାମାନେ କଲବଲ କରୁଛନ୍ତି। ତେଣୁ କେନାଲକୁ ସଫା ରଖିବାକୁ ହେଲେ ଏହାର ନିକଟରେ ଡଷ୍ଟିବନ୍ ରଖାଯାଉ। ଯାହାଫଳରେ ଲୋକମାନେ କେନାଲରେ ଅଳିଆ ନ ପକାଇ ଡଷ୍ଟିବନ୍‌ରେ ପକାଇବେ।
ଦୁଲନ୍ ପାଲ, ଗ୍ରାମବାସୀ
ଗାଁକୁ ଆମ୍ବୁଲାନ୍ସ ଆସିପାରୁନି
ଲକ୍ଷ୍ମୀସାଗର ଗାଁରେ ଥିବା ସରକାରୀ ବିଦ୍ୟାଳୟରୁ ପାଠପଢ଼ି ଅନେକ ଉଚ୍ଚ ପଦପଦବିରେ ଚାକିରି କରିଛନ୍ତି। ଅଥଚ ଏବେ ପରିସ୍ଥିତି ସଂପୂର୍ଣ୍ଣ ବଦଳି ଯାଇଛି। ଗାଁ ଲୋକମାନେ ସରକାରୀ ସ୍କୁଲରେ ନିଜ ପିଲାଙ୍କୁ ପଢ଼ାଇବାକୁ ଚାହୁଁ ନାହାନ୍ତି। ସରକାରୀ ସ୍କୁଲରେ ଶିକ୍ଷକମାନଙ୍କ ଦାୟିତ୍ବବୋଧ ରହୁ ନ ଥିବାରୁ ସରକାରୀ ବିଦ୍ୟାଳୟ ପ୍ରତି ଛାତ୍ରଛାତ୍ରୀମାନେ ଆକୃଷ୍ଟ ହେଉ ନାହାନ୍ତି। ଗାଁରେ ରାସ୍ତାଠାରୁ ଡ୍ରେନ୍‌ ପର୍ଯ୍ୟନ୍ତ ଅନେକ ସମସ୍ୟା ରହିଛି। କୌଣସି ସମୟରେ ୧୦୮ ଆମ୍ବୁଲାନ୍‌ସକୁ ଫୋନ୍ କଲେ ଠିକ୍ ସମୟରେ ଆମ୍ବୁଲାନ୍‌ସ ଆସୁନାହିଁ। ନୀଳକଣ୍ଠେଶ୍ବର ପୋଖରୀ ଦୁଇ ଦୁଇ ଥର ପୁନରୁଦ୍ଧାର ହୋଇଥିଲେ ହେଁ, ଆଜି ବି ତାହା ସମସ୍ୟା ଭିତରେ ରହିଛି।
ବିକ୍ରମ ପ୍ରଧାନ, ଗ୍ରାମବାସୀ
ପିଲାଙ୍କ ଖେଳିବା ପାଇଁ ପାର୍କଟିଏ ନାହିଁ
ଲକ୍ଷ୍ମୀସାଗର ଅଞ୍ଚଳରେ ପିଲାମାନଙ୍କ ଖେଳିବା ପାଇଁ ପାର୍କର ସୁବିଧା ନାହିଁ। ଗାଁରେ ଏକ ହୋମିଓପାଥିକ୍ ଡିସ୍‌ପେନସାରି ରହିଥିଲେ ହେଁ ତାହା ଯଥେଷ୍ଟ ନୁହେଁ। ତେଣୁ ଆଉ ଏକ ସରକାରୀ ଡିସ୍‌ପେନସାରି ପ୍ରତିଷ୍ଠା କରାଯାଉ। ତେବେ ଗାଁର ସମସ୍ୟା ପାଇଁ ସମସ୍ତଙ୍କୁ ଏକାଠି ହୋଇ କାମ କରିବାକୁ ହେବ।
ପର୍ଶୁରାମ ପରିଡ଼ା, ଗ୍ରାମବାସୀ
ବାରମ୍ବାର ଉଠାଯାଉଛି ଗାଁ ଶ୍ମଶାନ
ଚୋଡ଼ଗଙ୍ଗ ଦେବଙ୍କ ସମୟରେ ଲକ୍ଷ୍ମୀସାଗର ସଂପର୍କରେ ଉଲ୍ଲେଖ ରହିଛି। ରାଣୀଙ୍କ ନାଁରେ ଥିବା ପୋଖରୀ ଏବେ ବଡ଼ପୋଖରୀ ଭାବେ ପରିଗଣିତ। ହେଲେ ରାଜଧାନୀର ଅଧାରୁ ଅଧିକ ବର୍ଷା ପାଣି ଲକ୍ଷ୍ମୀସାଗର ଦେଇ ଯାଉଛି। ଯାହାଫଳରେ ଲୋକମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ୁଛି। ପୂର୍ବରୁ ଯେଉଁ ସ୍ଥାନରେ ଗାଁ ଶ୍ମଶାନ ରହିଥିଲା ସେଠାରେ ୭ମ ବାଟାଲିଅନ୍ ପ୍ରତିଷ୍ଠା ହେବା କାରଣରୁ ଏହାକୁ ଉଠାଯାଇଥିଲା। ପରେ ଏକ ନର୍ସରି ପାଖରେ ଏହା ଥିବା ବେଳେ ଏହାକୁ ମଧ୍ୟ ଉଠାଇ ଦିଆଯାଇଥିଲା। ତେଣୁ ଗାଁର ଶ୍ମଶାନ ଆବଶ୍ୟକତାକୁ ପ୍ରାଥମିକତା ଦିଆଯାଉ।
ଜଳନ୍ଧର ରାଉତ, ଗ୍ରାମବାସୀ
ଗ୍ରାମବାସୀଙ୍କ ସହିତ ଆଲୋଚନା କରି ଯୋଜନା କରାଯାଉ
ଲକ୍ଷ୍ମୀସାଗର ଗାଁ ପାଇଁ ଡ୍ରେନ୍‌ ଏକ ପ୍ରମୁଖ ସମସ୍ୟା ପାଲଟିଛି। ଗାଁ ରାସ୍ତା ଦେଇ ବର୍ଷାଦିନେ ପାଣି ଯାଉଛି। ‌ଡ୍ରେନ୍‌ ଲୋକମାନଙ୍କ ସମସ୍ୟାର ସମାଧାନ କରିବା ପରିବର୍ତେ ଆହୁରି ସମସ୍ୟାକୁ ଡାକି ଆଣିଛି। ନିକଟରେ କଟକ ରୋଡ୍‌ରୁ ବ୍ରିଜ୍ ପର୍ଯ୍ୟନ୍ତ ଏକ ନୂତନ ରାସ୍ତା ନିର୍ମାଣ କରାଯାଇଥିଲା। ହେଲେ ତାହା ନଷ୍ଟ ହୋଇଗଲାଣି। ସରକାରୀସ୍ତରରେ ଯେଉଁ ଅଧିକାରୀମାନେ ଯୋଜନା ପ୍ରସ୍ତୁତ କରୁଛନ୍ତି, ସେମାନଙ୍କ ନିକଟରେ ଯଥେଷ୍ଟ ଅଭିଜ୍ଞତାର ଅଭାବ ରହିଛି। ତେଣୁ ଆଗକୁ ଯୋଜନା ପ୍ରସ୍ତୁତ କରାଯିବା ସମୟରେ ଗ୍ରାମବାସୀଙ୍କ ସହିତ ଆଲୋଚନା କରାଯିବା ପରେ ହିଁ ନିଷ୍ପତ୍ତି ଗ୍ରହଣ କରାଯାଉ। ଗାଁ ଲୋକମାନେ ସଚେତନ ହେଲେ ସମସ୍ୟାର ସମାଧାନ ହୋଇପାରିବ।
ରଘୁନାଥ ମନ୍ତ୍ରୀ, ସଭାପତି, ଗୋପବନ୍ଧୁ କ୍ଲବ୍
ବସ୍ତିକୁ ଗୁରୁତ୍ବ ଦିଆଯାଉଛି, ଗାଁକୁ ‌ନୁହେଁ
ଆଜିର ରାଜଧାନୀରେ ୫ଶହ ଗାଁ ମିଶିଯାଇଛି। ଯାହାଫଳରେ ଗାଁର ଐତିହ୍ୟ ଓ ପରମ୍ପରା ଧୀରେ ଧୀରେ ଲୋପ ପାଇବାକୁ ବସିଲାଣି। ତେବେ ରାଜଧାନୀରେ ଥିବା ବସ୍ତିକୁ ଯେତିକି ଗୁରୁତ୍ବ ଦିଆଯାଉଛି ସେହି ଅନୁପାତରେ ଗାଁଗୁଡ଼ିକୁ ଗୁରୁତ୍ବ ଦିଆଯାଉ ନାହିଁ। ବସ୍ତିବାସିନ୍ଦାମାନେ ସରକାରୀ ଜାଗାରେ ରହିଥିବା ବେଳେ ସେମାନଙ୍କୁ ଉଚ୍ଛେଦ ଚିନ୍ତା ସବୁବେଳେ ଘାରୁଛି। ହେଲେ ଗାଁ ଲୋକଙ୍କ ଏହି ସମସ୍ୟା ନାହିଁ। ଏହାସହ ବସ୍ତିରେ ସବୁ ରାଜନୈତିକ ଦଳମାନଙ୍କ ଭୋଟ ବ୍ୟାଙ୍କ ରହିଛି। ବସ୍ତିବାସିନ୍ଦଙ୍କ ଉପରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ସେମାନେ ମିଳିତଭାବେ ଏହାର ପ୍ରତିବାଦ କରୁଛନ୍ତି। ଯାହାଫଳରେ ରାଜଧାନୀରେ ଗାଁ ଯେତିକି ଗୁରୁତ୍ବ ପାଇବା କଥା ତାହା ପାଉନାହିଁ। ଏପରିକି ଦୃଷ୍ଟି ଆକର୍ଷଣ କରାଗଲେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ।
ବିଚିତ୍ରାନନ୍ଦ ସାହୁ, ବରିଷ୍ଠ ନାଗରିକ ତଥା ଲେଖକ
ପୂର୍ବରୁ ଝରଣାରେ ଲୋକମାନେ ଗାଧୋଉଥିଲେ
ଲକ୍ଷ୍ମୀସାଗର ପାଇଁ ଡ୍ରେନ୍‌ ପ୍ରମୁଖ ସମସ୍ୟା ପାଲଟିଛି। ଶ୍ରୀୟା ଟକିଜ୍‌ରୁ ଆରମ୍ଭ ହୋଇ ଏହି ଡ୍ରେନ୍‌ ଗଙ୍ଗୁଆରେ ମିଶିଛି। ଛୋଟ ଥିବା ବେଳେ ଏହା ଏକ ଝରଣା ଥିଲା। ‌ଏହି ଝରଣାରେ ଆମେ ଗାଧୋଉଥିଲୁ, ଏପରିକି ଅନେକ ଲୋକ ଏହାର ପାଣିକୁ ପିଉଥିଲେ। ହେଲେ ଆଜି ଏହି ଡ୍ରେନ୍‌ ଲୋକମାନଙ୍କ ପାଇଁ ସମସ୍ୟା ଡାକି ଆଣିଛି। ଅନେକ ସ୍ଥାନରେ ଡ୍ରେନ୍‌ ଜବରଦଖଲରେ ରହିଛି। ବିଏମ୍‌ସିର ତ୍ରୁଟି ଓ ଜବରଦଖଲ ଯୋଗୁଁ ଲୋକମାନେ ସମସ୍ୟା ଭୋଗୁଛନ୍ତି। ରାଜଧାନୀ ପ୍ରତିଷ୍ଠା ସମୟରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଯେଉଁ ଯୋଜନା କରିଥିଲେ ସେହି ଅନୁସାରେ କାମ ହେଲାନାହିଁ। ଲକ୍ଷ୍ମୀସାଗର ମେଳଣ ପଡ଼ିଆର କିସମ ଶ୍ମଶାନ ରହିଛି। ହେଲେ ଗାଁର ଶ୍ମଶାନକୁ ବାରମ୍ବାର ଉଠାଯାଉଛି। ମେଳଣ ପଡ଼ିଆର ସ୍ଥାୟୀ ରେକର୍ଡ ହୋଇପାରି ନାହିଁ। ଡିସ୍‌ପେନସାରି ପାଇଁ ଜାଗା ଚିହ୍ନଟ ହୋଇଥିଲା। ପୂର୍ବରୁ ମେୟର ଥିବା ଅନନ୍ତ ନାରାୟଣ ଏବେ ବିଧାୟକ ଅଛନ୍ତି। ଅନନ୍ତ ମଧ୍ୟ ଏହାକୁ ଯଥେଷ୍ଟ ପ୍ରାଥମିକତା ଦେଇଥିଲେ। ଏହାସତ୍ତ୍ବେ ଲକ୍ଷ୍ମୀସାଗରରେ ଡିସ୍‌ପେନସାରି ପ୍ରତିଷ୍ଠା ହୋଇପାରି ନାହିଁ। ଲକ୍ଷ୍ମୀସାଗର ହାଇସ୍କୁଲରେ ପରୀକ୍ଷା କେନ୍ଦ୍ର ପାଇଁ ଦାବି ହେଉଛି। ମାତ୍ର ତାହାକୁ ମଧ୍ୟ ଗୁରୁତ୍ବ ଦିଆଯାଉନାହିଁ।
ନରେନ୍ଦ୍ର ସାହୁ, ବରିଷ୍ଠ ନାଗରିକ

ସମ୍ବନ୍ଧିତ ଖବର