ଆମେ ଗଢିବା ଆମ ସହର: ବିଏମ୍‌ସି ୱାର୍ଡ ନମ୍ବର ୬୪, ଠକି ଦେଇଛି କୋ-ଅପରେଟିଭ୍‌ ସୋସାଇଟି

ବିଏମ୍‌ସି ୱାର୍ଡ ନମ୍ବର ୬୪

‘ସମ୍ବାଦ’ ପକ୍ଷରୁ ‘ଆମେ ଗଢ଼ିବା ଆମ ସହର’ ଅଭିଯାନର ଚଳିତବର୍ଷର ପ୍ରଥମ ବୈଠକ ମଙ୍ଗଳବାର ୬୪ନଂ ୱାର୍ଡ ପଞ୍ଚସଖାନଗରସ୍ଥିତ ବେଲେଶ୍ବର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ପଞ୍ଚସଖାନଗର, ଡୁମୁଡୁମା, ଯଦୁପୁର ଓ ବେଗୁନିଆ ଆଦି ଅଞ୍ଚଳର ବାସିନ୍ଦାମାନେ ବୈଠକରେ ସାମିଲ ହୋଇ ନିଜ ଅଞ୍ଚଳର ସମସ୍ୟା ବାବଦରେ ଆଲୋଚନା କରିବା ସହ ସମାଧାନ ପାଇଁ ସ୍ବର ଉଠାଇଥିଲେ।

୨୦ ବର୍ଷ ତଳେ ଗଢ଼ି ଉଠିଥିଲା ପଞ୍ଚସଖା ନଗର। ଘରୋଇ ବିଲ୍ଡର୍ସଙ୍କଠାରୁ ଘର ବା ପ୍ଲଟ୍‌ ନ କିଣି ଏଠାକାର ଲୋକମାନେ ସରକାରଙ୍କ ଦ୍ବାରା ପଞ୍ଜୀକୃତ ସମବାୟ ସଂସ୍ଥା ‘କ୍ୟାପିଟାଲ ଅର୍ବାନ୍‌ ହାଉସବିଲଡିଂ କୋ-ଅପରେଟିଭ୍‌ ସୋସାଇଟି’ରୁ ଜମି କିଣିବାକୁ ପସନ୍ଦ କରିଥିଲେ। ମାତ୍ର ଏବେ ସେମାନେ ଫସି ଯାଇଛନ୍ତି। ଉକ୍ତ କୋ-ଅପରେଟିଭ୍‌ ସଂସ୍ଥା କଲୋନିର ବହୁ ଖୋଲାସ୍ଥାନକୁ ବେଆଇନ ଭାବେ ବିକି ଦେଇଛି। ଏମିତିକି ଖେଳ ପଡ଼ିଆ ଓ ପାର୍କ ପାଇଁ ଦେଖାଇଥିବା ଜମିକୁ ବିକି ଦେଇଛି। ଫଳରେ ଏବେ ନଗର ଲୋକଙ୍କ ସାମାଜିକ ଅନୁଷ୍ଠାନ ପାଇଁ ସ୍ଥାନାଭାବ ଏକ ବଡ଼ ସମସ୍ୟା ହୋଇ ମୁଣ୍ଡ ଟେକିଛି। ଏହି ସମସ୍ୟାରୁ ସ୍ଥାନୀୟ ଅଞ୍ଚଳରେ ଏକ କମ୍ୟୁନିଟି ହଲ୍‌ ନିର୍ମାଣ ହୋଇପାରୁନାହିଁ। ‌ତେଣୁ କୌଣସି ମେଳା ମହୋତ୍ସବ ପାଇଁ ବେଲେଶ୍ବର ମନ୍ଦିର ଉପରେ ନିର୍ଭର କରିବାକୁ ପଡ଼ୁଛି। ତେବେ ମନ୍ଦିର ପରିସରରେ ମହିଳାଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମକୁ କିଛି‌ ଲୋକ ବିରୋଧ କରୁଥିବାରୁ ଦୂରରେ ଥିବା ମଣ୍ଡପ ଉପରେ ନିର୍ଭର କରିବାକୁ ପଡ଼ୁଛି। ଆଜି ଏମିତି ଭାବରେ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ ୱାର୍ଡ ବାସିନ୍ଦା।

ସେହିଭଳି କିଛି ପ୍ରଭାବଶାଳୀ ବ୍ୟକ୍ତିବିଶେଷ ପ୍ରାକୃତିକ ନାଳକୁ ପୋତି ପକାଇଛନ୍ତି। ଫଳରେ ବର୍ଷା ଦିନରେ ଜଳ ନିଷ୍କାସନ ବଡ଼ ସମସ୍ୟା ହେଉଛି। ତେବେ ଏହି ନଗରକୁ ଲମ୍ବିଥିବା ମୁଖ୍ୟ ରାସ୍ତାର ସମସ୍ୟା ସବୁକୁ ବଳି ଯାଇଛି। ମାତ୍ର ୫ ଫୁଟ୍‌ର ବ୍ୟକ୍ତିଗତ ମାଲିକାନାର ଜମି ପାଇଁ ୧୫ ଫୁଟିଆ ରାସ୍ତା ନିର୍ମାଣ କାର୍ଯ୍ୟ ଅଟକି ରହିଛି। ସେହିଭଳି ସ୍ଥାନୀୟ ଅଞ୍ଚଳରେ ରହୁଥିବା ଲୋକମାନେ ମଧ୍ୟ ନିଜ ଜାଗା ସମ୍ମୁଖ ରାସ୍ତାର କିଛି କିଛି ଅଂଶ ଜବରଦଖଲ କରିଥିବାରୁ ରାସ୍ତା ସଂକୀର୍ଣ୍ଣ ହୋଇ ପଡ଼ିଛି। କେବଳ ରାସ୍ତା କି ଡ୍ରେନେଜ୍ ସମସ୍ୟା ନୁହେଁ ସ୍ଥାନୀୟ ଅଞ୍ଚଳରେ ଚୋରି ଓ ଅସାମାଜିକ ଯୁବକଙ୍କ ଦୌରାତ୍ମ୍ୟ ମଧ୍ୟ ସୀମା ଲଂଘିଛି। ତେଣୁ ନିୟମିତ ପୁଲିସ ପାଟ୍ରୋଲିଂ ସହିତ ଏକ ପୁଲିସ ଫାଣ୍ଡି ନିର୍ମାଣ କରିବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ନିକଟରେ ସ୍ବାସ୍ଥ୍ୟକେନ୍ଦ୍ରଟିଏ ନ ଥିବାରୁ ବରିଷ୍ଠ ନାଗରିକମାନେ ବହୁ ସମସ୍ୟାରେ ପଡ଼ୁଛନ୍ତି।
ପଞ୍ଚସଖାନଗର ଉନ୍ନୟନ ପରିଷଦର ସଭାପତି ଦୀନବନ୍ଧୁ ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅଞ୍ଚଳବାସୀ ଏହି ପ୍ରମୁଖ ଦାବି ବାବଦରେ ଦୃଷ୍ଟି ଆକର୍ଷଣ କରିଥିଲେ। ‘ସମ୍ବାଦ’ ସଂପାଦକ ସୌମ୍ୟରଂଜନ ପଟ୍ଟନାୟକ କହିଲେ, ଆଲୁଅ-ପାଣି-ପବନକୁ ସମାନ ଭାବେ ବାଣ୍ଟିବାର ନାଁ ହେଉଛି ସହର। ଭୁବନେଶ୍ବର ସ୍ମାର୍ଟ ସହର ଘୋଷଣା ହୋଇଛି। କେବଳ ‌ପୋଷାକରେ ସ୍ମାର୍ଟ ହେଲେ ହେବ ନାହିଁ ଆଚରଣ, ଭାଷା ଓ ମାନସିକତାରେ ସ୍ମାର୍ଟ ହେବାକୁ ପଡ଼ିବ। ଖବରକାଗଜର କାମ ହେଉଛି ଲୋକଙ୍କୁ ଲୋକଙ୍କ ସହିତ ଯୋଡ଼ିବା। ଯେଉଁ ଖବରକାଗଜ ଲୋକଙ୍କୁ ଯୋଡ଼ିପାରେ ନାହିଁ, ତାହା ଚାଲେ ନାହିଁ। ୬୪ନଂ ୱାର୍ଡରେ ରହିଥିବା ସମସ୍ୟାକୁ ସରକାର ଓ କର୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାର ଗୁରୁଦାୟିତ୍ବ ଆମର। ସମସ୍ୟାକୁ ଭିନ୍ନ ଢଙ୍ଗରେ ଉପସ୍ଥାପନ କଲେ ତାହା ଯେତେ ଅରୁଚିକର ହେଲେ ମଧ୍ୟ ସରକାର ଏହାକୁ ଗ୍ରହଣ କରିବେ। ତେବେ ୬୦ ବର୍ଷ ଅତିକ୍ରମ କରିଥିବା ବ୍ୟକ୍ତିମାନେ ନିଜକୁ ଅଲୋଡ଼ା ନ ଭାବି ସହରକୁ ଗଢ଼ି ତୋଳିବାରେ ପ୍ରମୁଖ ଭୂମିକା ଗ୍ରହଣ କରନ୍ତୁ। ଜୀବନରେ ଥିବା ସେମାନଙ୍କ ଦୀର୍ଘ ଅନୁଭବ, ଚାପହୀନ ଜୀବନକୁ ପାଥେୟ କରି ସହର ନିର୍ମାଣ ପାଇଁ ଆଗେଇ ଆସିବା ଦରକାର। ସ୍ଥାନୀୟ ଲୋକମାନେ ଯଦି ଚାହିବେ, ତେବେ ସାହିତ୍ୟ ଅନୁଷ୍ଠାନ ଗଢ଼ି ତୋଳିବାକୁ ‘ଆମ ଓଡ଼ିଶା’ ପକ୍ଷରୁ ସହାୟତା ଯୋଗାଇ ଦିଆଯିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

‘ସମ୍ବାଦ’ ମୁଖ୍ୟ ମହାପ୍ରବନ୍ଧକ(ବାର୍ତା) ଅରବିନ୍ଦ ଦାସ କହିଲେ, ‘ସମ୍ବାଦ’ କେବଳ ତାଜା ଖବର ପ୍ରକାଶ କରି ନ ଥାଏ, ଲୋକଙ୍କ ସହିତ ଲୋକଙ୍କୁ ଯୋଡ଼ିବା କାର୍ଯ୍ୟ କରିଥାଏ। ‘ସମ୍ବାଦ’ ଏକ ନିରବ ଆନ୍ଦୋଳନ। ନିଜ ଅଞ୍ଚଳରେ ନାଗରିକମାନଙ୍କୁ ସଂଗଠିତ କରିବା ଲାଗି ଏଭଳି କାର୍ଯ୍ୟକ୍ରମ କରାଯାଉଛି। ବ୍ୟକ୍ତିଗତ ସମସ୍ୟାକୁ ପଛରେ ରଖି ସାମୂହିକ ହିତ ଦୃଷ୍ଟିରୁ ସମସ୍ୟାକୁ ଉପସ୍ଥାପନ କରିବା ପାଇଁ ଆଗେଇ ଆସିବାକୁ ହେବ ବୋଲି ଶ୍ରୀ ଦାସ ମତ ରଖିଥିଲେ। ପ୍ରାରମ୍ଭରେ ‘ଆମ ଓଡ଼ିଶା’ ସଂପାଦକ ସ୍ବରାଜ ମିଶ୍ର ସ୍ବାଗତ ଭାଷଣ ପ୍ରଦାନ କରିଥିବା ବେଳେ ‘ସମ୍ବାଦ’ର ଖଣ୍ଡଗିରି ଜୋନ୍‌ ପ୍ରତିନିଧି ଅର୍ଜୁନ ପାଇକରାୟ ଧନ୍ୟବାଦ ଦେଇଥିଲେ। ଚିଫ୍‌ ରିପୋର୍ଟର ଚୌଧୁରୀ ଅମିତାଭ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ନାଗରିକ ଯୋଗ ଦେଇଥିଲେ।

 

ସମ୍ବନ୍ଧିତ ଖବର