ଭୁବନେଶ୍ୱର: କ୍ରେତାଙ୍କ ସ୍ବାର୍ଥ ରକ୍ଷା ଉଦ୍ଦେଶ୍ୟରେ ଗତ ଜୁଲାଇ ୩ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତିକୁ ରେରା(ସ୍ଥାବର ସମ୍ପତ୍ତି ନିୟାମକ କର୍ତ୍ତୃପକ୍ଷ) ସଂଶୋଧନ କରିଛନ୍ତି। ସଂଶୋଧିତ ବିଜ୍ଞପ୍ତିରେ କ୍ରେତା ସଂଘ(ଆଲଟି ଆସୋସିଏସନ)କୁ କ୍ଷମତାସୀନ କରାଯାଇଛି। ଯାହାକୁ କେତ୍ରା ତଥା କ୍ରେତାଙ୍କ ସ୍ବାର୍ଥରକ୍ଷା ପାଇଁ ଲଢ଼େଇ କରୁଥିବା ସଂଗଠନ ସ୍ବାଗତ କରିଛନ୍ତି। ଅନ୍ୟପଟେ ପୂର୍ବରୁ ରେରା ସ୍ବୀକୃତିପ୍ରାପ୍ତ ‘୭୦% ଆକାଉଣ୍ଟ’ର ସମସ୍ତ ବଳକା ଅର୍ଥରାଶି ୫ ବର୍ଷ ପାଇଁ ଜମା ରଖିବାକୁ ସର୍ତ୍ତ ରହିଥିବା ବେଳେ ଏବେ ଏହାର ପରିମାଣ ପ୍ରକଳ୍ପ ଅର୍ଥର ୧%କୁ ପରିବର୍ତ୍ତନ କରାଯାଇଛି। 

Advertisment

ପୂର୍ବରୁ କର୍ତ୍ତୃପକ୍ଷ ନେଇଥିବା ନିଷ୍ପତ୍ତି ମୁତାବକ, ପ୍ରକଳ୍ପ ସମ୍ପୂର୍ଣ୍ଣ ପ୍ରମାଣପତ୍ର ପାଇବା ପାଇଁ ହେଲେ ପ୍ରମୋଟରଙ୍କୁ ୬ଟି ସର୍ତ୍ତ ପୂରଣ କରିବାକୁ ହେବ। ସର୍ତ୍ତ ମଧ୍ୟରୁ ଯଦି ଗୋଟିଏ ବି ପୂରଣ ନ ହୁଏ ତେବେ ତାହା ସମ୍ପୂର୍ଣ୍ଣ ପ୍ରକଳ୍ପ ବୋଲି ପ୍ରମାଣିତ କରାଯିବ ନାହିଁ। ସର୍ତ୍ତଗୁଡ଼ିକ ମଧ୍ୟରେ ସ୍ଥାବର ସମ୍ପତ୍ତି(ଆର୍‌ଇ) ଆଇନ-୨୦୧୬ ମୁତାବକ ‘କମ୍ପ୍ଲିସନ ସାର୍ଟିଫିକେଟ୍‌’ ଦାଖଲ, ଆ‌ର୍‌ଇ ଆଇନ ବଳରେ ଓସି(ଅକ୍ୟୁପାନ୍‌ସି ସାର୍ଟିଫିକେଟ୍‌‌) ଦାଖଲ, ଆସୋସିଏସନ ଅଫ୍‌ ଆଲଟି(କ୍ରେତା ସଂଘ) ଗଠନ, ଲେ ଆଉଟ୍‌ ପ୍ଲାନ୍‌ ସହ କମନ ଏରିଆ କ୍ରେତା ସଂଘ ନାମରେ କରିବା, ସଂଘକୁ ସର୍ବସାଧାରଣ ଅଞ୍ଚଳ(କମନ ଏରିଆ) ସ୍ଥାନାନ୍ତର ଡିଡ୍‌ ଦାଖଲ ପ୍ରଭୃତି ରହିଥିଲା। ଏ ସବୁ ସଂଶୋଧିତ ବିଜ୍ଞପ୍ତିରେ ବଳବତ୍ତର ରହିଛି। 

କ୍ଷମତାସୀନ ହେଲେ ଆଲଟି ଆସୋସିଏସନ୍‌
୫ ବର୍ଷ ପର୍ଯ୍ୟନ୍ତ ଜମା ରହିବ ପ୍ରକଳ୍ପ ମୂଲ୍ୟର ୧ ପ୍ରତିଶତ

ସଂଶୋଧିତ ବିଜ୍ଞପ୍ତିରେ ସଂଘକୁ ଗୁରୁତ୍ବ ଦିଆଯାଇଛି। ପ୍ଲାନ୍‌ ଓ ସର୍ବସାଧାରଣ ଅଞ୍ଚଳ ସଂଘକୁ ହସ୍ତାନ୍ତର ହୋଇଛି ବୋଲି ସଂଘର ସ୍ବୀକୃତିପତ୍ର ପ୍ରମୋଟର ଦାଖଲ କରିବ। ନଚେତ୍‌ ‘ପ୍ରକଳ୍ପ ପୂର୍ଣ୍ଣାଙ୍ଗ’ ପ୍ରମାଣପତ୍ର ମିଳିବ ନାହିଁ। ଏଣୁ ଏହାକୁ ସମସ୍ତ କ୍ରେତା ସଂଘ ସ୍ବାଗତ କରିଛନ୍ତି। ସେହିଭଳି ଆଉ ଏକ ବଡ଼ ପରିବର୍ତ୍ତନ ହୋଇଛି। ପୂର୍ବରୁ କ୍ରେତାମାନେ ଜମା କରୁଥିବା ଅର୍ଥର ୭୦ ପ୍ରତିଶତ ରେରାଙ୍କ ସ୍ବୀକୃତିପ୍ରାପ୍ତ ଆକାଉଣ୍ଟରେ ଜମା ରହୁଥିଲା। ଏହାକୁ ‘୭୦ ପ୍ରତିଶତ’ ଆକାଉଣ୍ଟ କୁହାଯାଉଥିଲା। ପ୍ରକଳ୍ପ ପ୍ରସ୍ତୁତ କରିବାରେ ଯେତେବେଳେ ଯାହା ଖର୍ଚ୍ଚ ହେବାକୁ ଥିଲା ତାହାର ଅଟକଳ ଜମା କରି ଅର୍ଥ ଉଠାଇବାକୁ ରେରାଙ୍କ ଠାରୁ ପ୍ରମୋଟର ସ୍ବୀକୃତି ନେଉଥିଲା। ପ୍ରକଳ୍ପ ଶେଷ ହେବା ପରେ ଯେଉଁ ବଳକା ଅର୍ଥ ରାଶି ରହୁଥିଲା ତାହା ୫ ବର୍ଷ ପର୍ଯ୍ୟନ୍ତ ସେମିତି ରହୁଥିଲା।

ଯାହା ମରାମତି ପାଇଁ ଅର୍ଥ ଆବଶ୍ୟକ ହେଉଥିଲା ତାହା ସେହି ଅର୍ଥରୁ ଭରଣା କରାଯାଉଥିଲା। କିନ୍ତୁ ସର୍ବାଧିକ ପ୍ରମୋଟର ଏହି ଆକାଉଣ୍ଟରେ ଟଙ୍କା ରଖୁ ନଥିଲେ। ଏଣୁ ମରାମତି ଆବଶ୍ୟକ ହେଲେ ପ୍ରମୋଟର ଧରାଛୁଆଁ ଦେଉନଥିଲା କି ଆକାଉଣ୍ଟରେ ଅର୍ଥ ବି ନଥିଲା ଯେଉଁଠୁ ଆଲଟି ଆସୋସିଏସନ ଅର୍ଥ ଖର୍ଚ୍ଚ କରିପାରିବେ। ଏଭଳି ସ୍ଥିତିକୁ ଆଖି ଆଗରେ ରଖି ରେରା ଏହି ଆକାଉଣ୍ଟରେ ପ୍ରକଳ୍ପ ମୂଲ୍ୟର ୧% ପାଞ୍ଚ ବର୍ଷ ପର୍ଯ୍ୟନ୍ତ ଜମା ରଖିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏ ନେଇ ଆକ୍ଟିଭିଷ୍ଟ ବିମଳେନ୍ଦୁ ପ୍ରଧାନ କହିଛନ୍ତି, କ୍ରେତା ସଂଘକୁ ରେରା କ୍ଷମତାଶାଳୀ କରିବା ଅତ୍ୟନ୍ତ ସ୍ବାଗତଯୋଗ୍ୟ। ନୂଆ ବିଜ୍ଞପ୍ତିରେ ଆପାର୍ଟମେଣ୍ଟ ଓନରସିପ୍‌ ଆକ୍ଟ ଓ ରେରା ମଧ୍ୟରେ ଏକ ସମନ୍ବୟ ରହିଛି। ଆଗକୁ କ୍ରେତାଙ୍କ ସ୍ବାର୍ଥରକ୍ଷା ନିଶ୍ଚିତ ହୋଇ ପାରିବ।