ଆମେରିକା ଆକ୍ସେସ କାର୍ଯ୍ୟକ୍ରମର ପ୍ରମାଣପତ୍ର ପ୍ରଦାନ ସମାରୋହ

ଭୁବନେଶ୍ବର: ଆମେରିକା ସରକାରଙ୍କ ପକ୍ଷରୁ କିସ୍‌ ସହଯୋଗରେ ହୋଇଥିବା ୨ ବର୍ଷିଆ ଆକ୍ସେସ୍ କାର୍ଯ୍ୟକ୍ରମର ପ୍ରମାଣପତ୍ର ପ୍ରଦାନ ସମାରୋହ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆମେରିକାର ହାଇଦ୍ରାବାଦସ୍ଥିତ ବାଣିଜ୍ୟ ଦୂତାବାସ କାର୍ଯ୍ୟାଳୟର ଲୋକସମ୍ପର୍କ ବ୍ୟାପାର ମୁଖ୍ୟ ଜେ. ଡ୍ରିଉ ଗିବ୍‌ଲିନ୍ ଯୋଗଦେଇ ଉତ୍ତୀର୍ଣ୍ଣ ଛାତ୍ରଛାତ୍ରୀମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରିଛନ୍ତି। ଏହି ଦୁଇ ବର୍ଷିଆ କାର୍ଯ୍ୟକ୍ରମରେ କିସ୍‌ର ଛାତ୍ରଛାତ୍ରୀମାନେ ଇଂରାଜୀ ଭାଷା ଶିକ୍ଷା ଲାଭ କରିବା ସୁଯୋଗ ପାଇଥିଲେ। ଏଥିଯୋଗୁଁ ଉକ୍ତ ଛାତ୍ରଛାତ୍ରୀମାନେ ସେମାନଙ୍କ ଜୀବନରେ ବହୁ ଆଗକୁ ଯିବାରେ ସକ୍ଷମ ହେବେ ବୋଲି ଗିବ୍‌ଲିନ୍ କହିଛନ୍ତି। ଏଥିସହିତ ଆମେରିକା ସରକାରଙ୍କ ଏକ୍ସଚେଞ୍ଜ କାର୍ଯ୍ୟକ୍ରମରେ ସାମିଲ ହୋଇ ପୂର୍ବରୁ ଆମେରିକା ଗସ୍ତ କରିଥିବା ଓଡ଼ିଶାର ପ୍ରାୟ ୨୫ ଜଣ ବ୍ୟକ୍ତିଙ୍କୁ ଗିବଲିନ୍‌ ସଂଧ୍ୟାରେ ବୋକା କାଫେଠାରେ ଭେଟି ସେମାନଙ୍କ ସହିତ ମତ ବିନିମୟ କରିଥିଲେ। ଆମେରିକା ଗସ୍ତ ସମ୍ପର୍କିତ ଅଭିଜ୍ଞତାକୁ ଏହି ଅବସରରେ ଉକ୍ତ ବ୍ୟକ୍ତିମାନେ ଗିବ୍‌ଲିନ୍‌ଙ୍କ ସମ୍ମୁଖରେ ବଖାଣିଥିଲେ। ଏଥିସହିତ ୟୁଏସ ଏଡ୍‌ ସହଯୋଗରେ ଭାରତରେ ଭିନ୍ନକ୍ଷମ ମହିଳା ଏବଂ ଝିଅମାନଙ୍କ ଦକ୍ଷତା ବିକାଶ ପାଇଁ ଚାଲିଥିବା କାର୍ଯ୍ୟକ୍ରମର ଜାତୀୟ ସମ୍ମିଳନୀ ମଧ୍ୟ ଆଜି ହୋଟେଲ ନିଉ ମାରିଅନ୍ ପରିସରରେ ଅନୁଷ୍ଠିତ ହୋଇଯାଇଛି। ସଂଧ୍ୟାରେ ସମ୍ବାଦକୁ ସୂଚନା ଦେଇ ଗିବଲିନ୍ କହିଥିଲେ, ଆମେରିକା ଏବଂ ଭାରତ ମଧ୍ୟ ଦ୍ବିପାକ୍ଷିକ ସମ୍ପର୍କ ଦିନକୁ ଦିନ ମଜବୁତ ହେଉଛି। ଓଡ଼ିଶା ସହିତ ସମ୍ପର୍କ ବୃଦ୍ଧିର ମଧ୍ୟ ଅନେକ ସୁଯୋଗ ରହିଛି। ଚଳିତବର୍ଷ ଜୁଲାଇରେ ଭୁବନେଶ୍ବରରେ ଆମେରିକାର ସ୍ବାଧୀନତା ଦିବସ ପାଳନ ହୋଇଛି ଏବଂ ଆସନ୍ତାବର୍ଷ ମଧ୍ୟ ଏହା ପାଳନ ହେବ ବୋଲି ସେ ସୂଚନା ଦେଇଥିଲେ। ବିଶେଷକରି ଶିକ୍ଷା, ମହିଳାଙ୍କ ନେତୃତ୍ବ ବୃଦ୍ଧି ଏବଂ ଉଦ୍ୟୋଗ ବିକାଶ କ୍ଷେତ୍ରରେ ଦୁଇ ଦେଶ ମିଳିତଭାବେ କାର୍ଯ୍ୟ କରୁଛନ୍ତି ବୋଲି ଗିବ୍‌ଲିନ୍‌ କହିଥିଲେ।

ସମ୍ବନ୍ଧିତ ଖବର