ଭୁବନେଶ୍ବର: ବ୍ୟାଡ୍ ସାଲ୍ସାରେ ପୁଣି ନିଜ ନୃତ୍ୟ ଚକ୍ରରେ ବିଚାରକଙ୍କୁ ତାଜୁବ କରି ଦେଇଛନ୍ତି ଓଡ଼ିଆ ପୁଅ ସୁମନ୍ତ। ଆମେରିକାଜ ଗଟ୍ ଟାଲେଣ୍ଟ୍(ଏଜିଟି)ରେ ସୁମନ୍ତ-ସୋନାଲି ଯୋଡ଼ିଙ୍କ ୨ ମିନିଟ୍ ୨୦ ସେକେଣ୍ଡ୍ର ନୃତ୍ୟ ଆଜି ଏଜିଟି ମଞ୍ଚରେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ନୃତ୍ୟ ଦେଖିବା ବେଳେ ଦର୍ଶକ ଓ ବିଚାରକଙ୍କ ପଲକ ପଡ଼ିନଥିଲା। ନିଆରା ନୃତ୍ୟଶୈଳୀ ପାଇଁ ଚର୍ଚ୍ଚିତ ଏହି ଯୋଡ଼ି ଆଜି ବି ଘୂରିଘୂରି ନୃତ୍ୟ କରି ମନ ଜିଣିଥିଲେ। ଭାରତୀୟ ସମୟ ମୁତାବକ ଆଜି ଅପରାହ୍ଣ ୪ଟା ପର୍ଯ୍ୟନ୍ତ ଭୋଟିଂ ଲାଇନ୍ ଖୋଲା ଥିଲା। ଗୁରୁବାର ଭୋର ସାଢ଼େ ୫ଟାରେ ଫଳାଫଳ ଘୋଷଣା ହେବାର ଥିବା ବେଳେ ଆମେରିକାଜ ଗଟ୍ ଟ୍ୟାଲେଣ୍ଟ୍ରେ ପ୍ରଥମ ଓଡ଼ିଆ ଭାବେ ପୁରସ୍କୃତ ହେବା ନେଇ ଆଶା ଦେଖାଯାଇଛି।
ଭାରତୀୟ ସମୟ ଅନୁସାରେ ଆଜି ଭୋର ସାଢ଼େ ୫ଟାରେ ଏନ୍ବିଟି ଚ୍ୟାନେଲରେ ପ୍ରସାରିତ ଆମେରିକାଜ ଗଟ୍ ଟ୍ୟାଲେଣ୍ଟ୍ର ଫାଇନାଲ୍ ରାଉଣ୍ଡରେ ୧୦ଟି କଳା ପରିବେଷଣ ଦେଖିବାକୁ ମିଳିଥିଲା। ସୁମନ୍ତ-ସୋନାଲି ଯୋଡ଼ି ‘ବଚ୍ନା ଏ ହସିନୋ ଲୋ ମେ ଆଗୟା...ଗୀତରେ ନୃତ୍ୟ ଭେଟି ଦେଇଥିଲେ। ଆଜି ବି ଦୁହେଁ ଚିରାଚରିତ ଢଙ୍ଗରେ ଘୂରିଘୂରି ନୃତ୍ୟ କରିଥିଲେ। ସୋନାଲିଙ୍କୁ ସୁମନ୍ତ ଗୋଟେ ଗୋଡ଼ରେ ନିଜ ମୁଣ୍ଡ ଉପରେ ଛିଡ଼ା କରାଇବାର ଦୃଶ୍ୟଠୁ ନେଇ ଗୋଟେ ହାତରେ ସୋନାଲିଙ୍କୁ ଉପରକୁ ଉଠାଇ ନଚାଇବାର କୌଶଳ ଦେଖି ଉପସ୍ଥିତ ଦର୍ଶକ ଓ ବିଚାରକ ହତବାକ୍ ହୋଇଯାଇଥିଲେ।
ସୁମନ୍ତଙ୍କ ନୃତ୍ୟ ପରିବେଷଣ ପରେ ଏଜିଟି ମଞ୍ଚରେ ଉପସ୍ଥିତ ବିଚାରକ ସିମନ କାୱେଲ୍, ସୋଫିଆ ଭର୍ଗରା, ହେଇଦି କ୍ଲମ୍ ଓ ହାଓଇ ମାଣ୍ଡେଲ୍ ବସିବା ସ୍ଥାନରୁ ଉଠି ତାଳି ମାରିବା ସହ ଉଚ୍ଚ ପ୍ରଶଂସା କରିଥିଲେ। ସୁମନ୍ତ-ସୋନାଲି ଭାରତୀୟ ହୋଇଥିବା ବେଳେ ଆମେରିକାରୁ ତାଙ୍କୁ ମିଳିଥିବା ଭୋଟିଂ ଉପରେ ହିଁ ଦୁହିଁଙ୍କ ଟ୍ରଫି ଜିତିବା ଭାଗ୍ୟ ନିର୍ଭର କରୁଛି। ସୁମନ୍ତଙ୍କ ବାପା ରେଲ୍ ବିହାରରେ ରହୁଥିବା ଏମ୍. ଜଗଦୀଶ୍ବର ରାଓଙ୍କ କହିବା ମୁତାବକ, ସୁମନ୍ତଙ୍କ ନୃତ୍ୟକୁ ଯଦିଓ ଭୂରି ପ୍ରଶଂସା ମିଳିଛି କିନ୍ତୁ ଭୋଟିଂ ଉପରେ ସବୁ ନିର୍ଭର କରୁଛି। ଭୋଟିଂ କେବଳ ଆମେରିକାରେ ସୀମିତ ଥିଲା। ଫଳାଫଳ ପରେ ସବୁକିଛି ସ୍ପଷ୍ଟ ହେବ। ୨୧ ବର୍ଷୀୟ ସୁମନ୍ତ କୋଲକାତାସ୍ଥିତ ବିଭାସ ଏକାଡେମିରୁ ନୃତ୍ୟ ତାଲିମ୍ ନେଉଥିବା ବେଳେ ୨୦୧୨ରେ ସୁମନ୍ତ-ସୋନାଲି ଯୋଡ଼ି ଇଣ୍ଡିଆଜ୍ ଗଟ୍ ଟାଲେଣ୍ଟ୍ ଟ୍ରଫି ଜିତିଥିଲେ। ଏହା ପରଠୁ ସେମାନଙ୍କର ବିଜୟ ଧାରା ଜାରି ରହିଛି। ନିଜର ଦ୍ରୁତ ନୃତ୍ୟଶୈଳୀ ପାଇଁ ଉଭୟ ଚର୍ଚ୍ଚାରେ ରହି ଆସିଛନ୍ତି।