ପୁରୀରେ ଆମିକସ୍‌ କ୍ୟୁରିଙ୍କ ସହାୟକ

ଗୁପ୍ତରେ ପରଖୁଛନ୍ତି ବ୍ୟବସ୍ଥା, ପୁରୀ ହିଂସା, ୨୮ ତାରିଖ ନୀତି ବନ୍ଦ ନେଇ କ୍ଷୁବ୍ଧ

ପୁରୀ: ପୁରୀରେ ପହଞ୍ଚିଛନ୍ତି ଆମିକସ୍‌ କ୍ୟୁରିଙ୍କ ସହାୟକ ତଥା ସୁପ୍ରିମ୍‌କୋର୍ଟର ଆଇନ୍‌ଜୀବୀ ପ୍ରିୟା ହିଙ୍ଗରାନୀ। ପହଞ୍ଚିବା ପରେ ସେ ବିଭିନ୍ନ ବର୍ଗଙ୍କ ସହ ଆଲୋଚନା କରିଛନ୍ତି। ଗୁପ୍ତରେ ମନ୍ଦିର ସମେତ କିଛି ବ୍ୟବସ୍ଥା ପରଖିଛନ୍ତି। ବରିଷ୍ଠ ଲୋକଙ୍କ ସହ ମିଶି ତଥ୍ୟ ସଂଗ୍ରହ କରିଛନ୍ତି। ଧାଡ଼ି ଦର୍ଶନ ବିରୋଧରେ ସଂଘଟିତ ହିଂସା ଓ ଡିସେମ୍ବର ୨୮ ତାରିଖରେ ଠାକୁରଙ୍କ ନୀତି ବନ୍ଦ ଘଟଣାକୁ ଗୁରୁତର ଭାବେ ଗ୍ରହଣ କରିଛନ୍ତି।
ଆଜି ରାତିରେ ପ୍ରିୟା ଶ୍ରୀମନ୍ଦିର ଯାଇ ସ୍ଥିତି ପରଖିଥିଲେ। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ କ’ଣ ରହିଛି, କି କି ସଂସ୍କାର ହୋଇଛି ତାହା ବୁଲି ଦେଖିଛନ୍ତି। କେଉଁଠି କି ପ୍ରକାର ଅବ୍ୟବସ୍ଥା ତାହା ବି ଅନୁଧ୍ୟାନ କରିଛନ୍ତି। ପରେ ପ୍ରଶାସନର ବରିଷ୍ଠ ଅଧିକାରୀ ଓ କିଛି ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ସହ ସେ ଆଲୋଚନା କରିଥିବା ଜଣାପଡ଼ିଛି। ଶ୍ରୀମନ୍ଦିରରେ କାର୍ଯ୍ୟରତ ସେବାୟତ, ଧାଡ଼ି ଦର୍ଶନକୁ ବିରୋଧ କରି ଗତବର୍ଷ ଅକ୍ଟୋବର ୩ ତାରିଖ ହୋଇଥିବା ହିଂସାକାଣ୍ଡ ଏବଂ ଡିସେମ୍ବର ୨୮ ତାରିଖରେ ଠାକୁରଙ୍କ ନୀତି ବନ୍ଦ ଓ ୧୨ ଘଣ୍ଟା ଧରି ମହାପ୍ରଭୁ ଉପାସ ରହିବା ଘଟଣା ‌ନେଇ ଆଲୋଚନା କରିଥିଲେ। ଆସନ୍ତାକାଲି ପ୍ରଶାସନିକ ଅଧିକାରୀ, ସେବାୟତମାନଙ୍କ ସହ ସେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଶ୍ରୀମନ୍ଦିର ପ୍ରଶାସନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ୨୩ ତାରିଖରେ ଆମିକସ୍‌ କ୍ୟୁରି ରଞ୍ଜିତ କୁମାର ପୁରୀ ଆସିବେ। ପୁରୀରେ ପହଞ୍ଚିବା ପରେ ଅପରାହ୍ନରେ ପ୍ରଶାସନିକ ଅଧିକାରୀ, ସେବାୟତ ପ୍ରତିନିଧି ତଥା ନିଯୋଗ ପ୍ରତିନିଧିମାନଙ୍କ ସହ ସେ ଆଲୋଚନା କରିବେ। ଏହା ପରଦିନ ପରିଚାଳନା କମିଟି ବୈଠକରେ ଆଲୋଚନା କରିବେ। ଏଥିପାଇଁ ସବୁ ପ୍ରସ୍ତୁତି କରାଯାଇଥିବା ଲୋକସମ୍ପର୍କ ଅଧିକାରୀ ଲକ୍ଷ୍ମୀଧର ପୂଜାପଣ୍ଡା କହିଛନ୍ତି।

ସମ୍ବନ୍ଧିତ ଖବର