କଟକଣା ପାଇଁ ଫିକା ପଡ଼ିଲା ଆମିଷ ବେପାର

ଭୁବନେଶ୍ବର : ବର୍ଷର ଶେଷ ଦିନକୁ ବାର ବି ଭଲ ଥିଲା। ଆଶା ଥିଲା, ଆମିଷ ବେପାର ଜମିବ। କିନ୍ତୁ ସରକାରଙ୍କ କଟକଣା ବାଧକ ସାଜିଲା। ଅନ୍ୟ ଦିନ ଅପେକ୍ଷା ରାଜଧାନୀରେ ଶୁକ୍ରବାର ଦିନ ଆମିଷ ବେପାର ଅଧିକ ହୋଇଥିଲେ ହେଁ କରୋନା ପୂର୍ବରୁ ବର୍ଷ ଶେଷ ଦିନରେ ହେଉଥିବା ବେପାରର ସମକକ୍ଷ ହୋଇପାରିନଥିଲା। ୪ ନମ୍ବର ମାର୍କେଟ୍‌ରେ ଖାସି ମାଂସ ବେପାର ଅଧିକ ହୋଇଥିବା ବେଳେ ବଡ଼ ମାଛ, କୁକୁଡ଼ା ମାଂସ, ଚିଙ୍ଗୁଡ଼ି, କଙ୍କଡ଼ା ଆଦି ବ୍ୟବସାୟ ଆଶାନୁରୂପ ହୋଇ ନଥିବା ବ୍ୟବସାୟୀମାନେ କହିଛନ୍ତି।

ଶୁକ୍ରବାର ଦିନ ୧୫୦ କ୍ବିଣ୍ଟାଲ୍‌ ଛେଳି ମାଂସ ବିକିବା ପାଇଁ ବ୍ୟବସାୟୀମାନେ ଟାର୍ଗେଟ୍‌ କରିଥିଲେ। ଏଥିପାଇଁ ବିଭିନ୍ନ ଅଞ୍ଚଳରୁ ଖାସି ବି ଆଣିଥିଲେ। ସେହିଭଳି ଆଜି ୮୦ ଟନ୍‌ ମାଛ ଏବଂ ୪୦୦ କ୍ବିଣ୍ଟାଲ୍‌ କୁକୁଡ଼ା ମାଂସ ବିକ୍ରି ପାଇଁ ବ୍ୟବସାୟୀମାନେ ଆଶା କରିଥିଲେ। କିନ୍ତୁ ଭୋଜିଭାତ ଓ ପିକ୍‌ନିକ୍‌ ଉପରେ କଟକଣା ଯୋଗୁଁ ବ୍ୟବସାୟ ମାନ୍ଦା ପଡ଼ିଗଲା। ଆଜି ରାଜଧାନୀରେ ଚିକେନ୍‌ କିଲୋ ପିଛା ୨ଶହ ଟଙ୍କା ଥିବା ବେଳେ ଖାସି ମାଂସ କେଜି ପିଛା ୭ଶହ, ପଟାଣ ଚିଙ୍ଗୁଡ଼ି ୪ଶହ, କଣ୍ଟାଳୀ ସାଢ଼େ ୩ଶହ, ଛୋଟ ଚିଙ୍ଗୁଡ଼ି ଅଢ଼େଇ ଶହ, ଭାକୁର ୧୮୦, ରୋହି ୧୬୦, ପାଣିଆଖିଆ ୧୬୦, ମାରୁଆ ୧୪୦, କୋକୋଲି ୧୦୦, ମହୁରାଳି ୧୬୦, ପୋହଳା ୧୬୦, ଖଅଙ୍ଗା ୩୫୦, କଙ୍କଡ଼ା ୧୬୦ ଟଙ୍କା ରହିଥିଲା। ଏ ସଂପର୍କରେ ଅଲ୍‌ ଓଡ଼ିଶା ନନ୍‌ଭେଜ୍‌ ଟ୍ରେଡର୍‌ ଫେ‌ଡେରେସନ୍‌ର ସଭାପତି ସେଖ୍‌ ମୁନ୍ତାକିମ୍‌ ବକ୍ସ କହିଛନ୍ତି ଯେ ଜିରୋ-ନାଇଟ୍‌ ସେଲିବ୍ରେସନ୍‌ ବନ୍ଦ ହୋଇଗଲା। ପିକ୍‌ନିକ୍‌ ଓ ପର୍ଯ୍ୟଟନସ୍ଥଳୀଗୁଡ଼ିକ ଉପରେ ବି କଟକଣା ଲାଗିଲା। ତେଣୁ ଗତବର୍ଷ ଭଳି ଏଥର ବି ଆଶାନୁରୂପ ବ୍ୟବସାୟ ହୋଇପାରିଲାନି।

ସମ୍ବନ୍ଧିତ ଖବର