ଖଣ୍ଡଗିରି: ବର୍ଷର ପ୍ରଥମ ଦିନ। ପୁଣି ବୁଧବାର। ତେଣୁ ଆମିଷପ୍ରିୟଙ୍କ ପାଇଁ ସୃଷ୍ଟି ହୋଇଥିଲା ଅପୂର୍ବ ସଂଯୋଗ। ନୂଆବର୍ଷ ପାଳିବାକୁ ଆମିଷ ପାଇଁ ଦୋକାନରେ ଭୋର୍‌ ସମୟରୁ ଗହଳି ଆରମ୍ଭ ହୋଇଯାଇଥିଲା। ପରିସ୍ଥିତି ଏମିତି ହୋଇଥିଲା ଯେ ସକାଳ ୭ରୁ ଦୋକାନ ଆଗରେ ଧାଡ଼ିବାନ୍ଧିବାକୁ ପଡ଼ିଥିଲା। ବିଳମ୍ବିତ ରାତି ପର୍ଯ୍ୟନ୍ତ ବେପାର କରିଥିଲେ ଆମିଷ ବେ‌ପାରି। ପ୍ରଥମ ଦିନରେ ୬ କୋଟି ୧୪ ଲକ୍ଷ ୩୦ ହଜାର ଟଙ୍କାର ଆମିଷ ବିକ୍ରି ହୋଇଛି। 

Advertisment

ରାଜଧାନୀରେ ଆଜି ଦିନକରେ ୨ କୋଟି ୨୨ ଲକ୍ଷ ଟଙ୍କାର ମଟନ୍ ବିକ୍ରି ହୋଇଥିବା ଜଣାପଡ଼ିଛି। ଅନେକ ସ୍ଥାନରେ ଖାସି ମାଂସ କିଲୋ ୯ଶହ ଟଙ୍କାକୁ ଟପି ଯାଇଥିଲା। ଲୋକେ ସେଥିରେ ବି ଅରାଜି ନଥିବା ଦେଖିବାକୁ ମିଳିଥିଲା। ବ୍ୟବସାୟୀମାନେ ନୂଆବର୍ଷ ପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରି ଉଦଳା, ସୋର, ବାରିକପୁର, ଗଣିହା, ଯଶିପୁର, ମୟୂରଭଞ୍ଜ, ଦଶପଲ୍ଲା, ନୟ‌ାଗଡ଼, ଖୋର୍ଦ୍ଧ‌ା, ଏପରିକି କୋଲକାତାରୁ ଖାସି ଅଧିକ ସଂଖ୍ୟାରେ ଆଣି ରଖିଥିଲେ। ହେଲେ ପ୍ରବଳ ଭିଡ଼ ଯୋଗୁଁ ଅନେକ ଗ୍ରାହକ ହତାଶ ହୋଇଥିବା ଦେଖାଯାଇଛି। ସେହିପରି ବ୍ରଏଲର୍‌ କୁକୁଡ଼ା, କଲର ବାର୍ଡ, ଦେଶୀ ଚିକେନ୍‌ ସ୍ବାଭାବିକ୍‌ଠୁ ଅଧିକ ଦରରେ ବିକ୍ରି ହୋଇଛି। ଆଜି ଭୁବନେଶ୍ବରିଆ ୧୮ ହଜାର କିଲୋ ଚିକେନ୍‌ ଖାଇଛନ୍ତି। ସେହିପରି ମାଛ ପ୍ରାୟ କୋଟିଏ ୭୪ ଲକ୍ଷ ୫୦ ହଜାର ଟଙ୍କାର ବିକ୍ରି ହୋଇଥିବା ବେଳେ ପାଖାପାଖି ୧୧ ହଜାର କିଲୋ ମାଛ ବିକ୍ରି ହୋଇଥିବା ଜଣା ପଡ଼ିଛି। ୟୁନିଟ୍-୪ ମାର୍କେଟ୍ ମାଂସ ଓ ମାଛ ପାଇଁ ଜଣାଶୁଣା ହୋଇଥିବାରୁ ସେଠାରେ ଅଧିକ ଭିଡ଼ ଦେଖିବାକୁ ମିଳିଥିଲା। ସେହିପରି ୟୁନିଟ୍‌-୮, ଖଣ୍ଡଗିରି, ପାତ୍ରପଡ଼ା, ହଂସପାଳ, ନୀଳାଦ୍ରିବିହାର, ବରଗଡ଼, ବାଲିଅନ୍ତା ଆଦି ସ୍ଥାନରେ ଆମିଷ ବିକ୍ରି ହୋଇଥିଲା। ଅଣ୍ଡା ବେପାର ମଧ୍ୟ ପଛରେ ପଡ଼ିନି। ନୂଆବର୍ଷର ପହିଲି ଦିନରେ ୬୦୦୦ କାର୍ଟୁନ ଅଣ୍ଡା ବିକ୍ରି ହୋଇଥିଲା ବେଳେ ୭୩ ଲକ୍ଷ ୨୦ ହଜାର ଟଙ୍କାର ବ୍ୟବସାୟ ହୋଇଥିବା ସୂଚନା ମିଳିଛି।