ରାସ୍ତାକଡ଼ରୁ ଗାଡ଼ି ଉଠାଇନେଲେ ଚାଲ‌ାଣ କାଟିଲେ, ଦଳୀୟ ଗାଡ଼ିକୁ ଛାଡ଼ିଦେଲେ…

ଚନ୍ଦ୍ରଶେଖରପୁର: ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ନେଇ ଆଜି ନନ୍ଦନକାନନ-ଜୟଦେବ ବିହାର ରାସ୍ତାରେ ଦିନ ତମାମ ଗହଳିଚହଳି ଲାଗି ରହିଥିଲା। ରାସ୍ତା ପାର୍‌ ହେବାକୁ ଲୋକଙ୍କୁ ଅଧଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ହେଉଥିଲା। ସକା‌ଳ ସମୟରେ ଯେହ୍ନତେହ୍ନେ ପ୍ରକାର ଚଳି ଯାଇଥିଲା, ହେ‌ଲେ ମଧ୍ୟାହ୍ନରୁ ସନ୍ଧ୍ୟା ପର୍ଯ୍ୟନ୍ତ ଟ୍ରାଫିକ୍ ସମସ୍ୟା ସବୁ ସୀମା‌ ଟପିଥିଲା। ଯାତ୍ରୀମାନେ ଘଣ୍ଟା ଘଣ୍ଟା ଧରି ଜାମ୍ ଭିତରେ ଫସି ରହିଥିଲେ। ସ୍ଥିତି ଏମିତି ହୋଇଥିଲା ଯେ ଗାଡ଼ି ଚାଳକମାନେ ଡମଣା-ଆଚାର୍ଯ୍ୟବିହାର ରାସ୍ତାକୁ ବିଳମ୍ବ ବାଟ ଭାବେ ଆଦରି ନେଇଥିଲେ। ରାସ୍ତା କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇ ନଥିବାରୁ ଉକ୍ତ ରାସ୍ତାରେ ବି ଟ୍ରାଫିକ୍‌ ସମସ୍ୟା ସୃଷ୍ଟି ‌ହୋଇଥିଲା। ଏଭଳି ଭାବେ ପାଖାପାଖି ୭ ଘଣ୍ଟା ଧରି ଟ୍ରାଫିକ୍ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ଟ୍ରାଫିକ୍‌ ପୁଲିସକୁ ବି ନାକେଦମ୍‌ ହେବାକୁ ପଡ଼ିଥିଲା। କେଉଁଠି ଭିଡ଼ ଭିତରେ ଆମ୍ବୁଲାସ୍‌ର ଗତି ବଢ଼ିପାରି ନ ଥିଲା ତ ଆଉ କେଉଁଠି ଦୁର୍ଘଟଣା ଘଟିଥିଲା।

ଅନ୍ୟପକ୍ଷରେ ବେଆଇନ ପାର୍କିଂ ନେଇ ସାଧାରଣ ଲୋକଙ୍କୁ ବୁଝାଇବାରେ ମଧ୍ୟ ପୁଲିସକୁ ନାକେଦମ ହେବାକୁ ପଡ଼ିଥିଲା। କୌଣସି ପ୍ରକାରେ ସୁଫଳ ନ ମିଳିବାରୁ ଶେଷରେ ଅପରାହ୍‌ଣରେ ରାସ୍ତାକଡ଼ରେ ବେଆଇନ ପାର୍କିଂ ହୋଇଥିବା ଗାଡ଼ିଗୁଡ଼ିକୁ ଉଠାଇ ନେଇଥିଲା ପୁଲିସ। ଚନ୍ଦ୍ରଶେଖରପୁର ଟ୍ରାଫିକ୍ ନିୟନ୍ତ୍ରଣ କାର୍ଯ୍ୟାଳୟ ପକ୍ଷରୁ ଗାଡ଼ି ଉଠା କ୍ରେନ୍ ସହଯୋଗରେ ଆଜି ପାଖାପାଖି ୧୦ରୁ ଅଧିକ ୪ ଚକିଆ ଓ କିଛି ୨ ଚକିଆ ଗାଡ଼ିକୁ ଉଠାଇ ନିଆଯାଇଥିଲା। ୧୫ରୁ ୨୦ ଜଣ ବେଆଇନ ପାର୍କିଂ କରିଥିବା ଗାଡ଼ି ଚାଳକଙ୍କଠାରୁ ବି ଜରିମାନା ଆଦାୟ କରାଯାଇଥିଲା। ଏହି ସମସୟରେ ଗାଡ଼ି ଚାଳକ ଓ ଟ୍ରାଫିକ ଜରିମାନା ଆଦାୟ କରୁଥିବା ପୁଲିସ ବାବୁଙ୍କ ମଧ୍ୟରେ ବଚସା ହୋଇଥିଲା। ଗାଡ଼ି ଚାଳକଙ୍କ କୌଣସି ବି ଗୁହାରି ଶୁଣିବା ମୁଡ୍‌ରେ ନ ଥିଲା ପୁଲିସ। ଜରିମାନା ଦେଉଥିବା ଗାଡ଼ି ମାଲିକଙ୍କ ଅଭିଯୋଗ ହେଉଛି ଯେ ଜନତା ମଇଦାନରେ ବିଜେପି କାର୍ଯ୍ୟକ୍ରମ ଥିବାରୁ ଦଳୀୟ କର୍ମୀଙ୍କ ଶହ ଶହ ଗାଡ଼ି ରାସ୍ତାକଡ଼ରେ ବେଆଇନ ଭାବେ ପାର୍କିଂ କରାଯାଇଛି। ପୁଲିସ ଉପସ୍ଥିତ ରହିଥିଲେ ମଧ୍ୟ ସେମାନଙ୍କ ଉପରେ ‌କୌଣସି ପ୍ରକାର ପ୍ରତିବନ୍ଧକ ନାହିଁ କି ଜରିମାନା ଆଦାୟ କରାଯାଉନାହିଁ। ସାଧାରଣ ଲୋକେ ରାସ୍ତାକଡ଼ରେ ପାର୍କିଂ କରି ‌ଓୗଷଧ କିଣିବାକୁ ଗଲେ ମଧ୍ୟ ଗାଡ଼ି ଉଠାଇ ନେଉଛି ପୁଲିସ। ଏହି ରାସ୍ତାରେ ପାର୍କିଂର ବ୍ୟବସ୍ଥା ନଥିବାରୁ ଚାଳକମାନେ କେଉଁଠି ଗାଡ଼ି ରଖିବେ ସେନେଇ ପ୍ରଶ୍ନ କରିଥି‌ଲେ।

ସମ୍ବନ୍ଧିତ ଖବର