ଅମ୍ଫାନକୁ ୪୮ ଘଣ୍ଟା ବିତିଲାଣି, ଜଳବନ୍ଦୀରେ ୩୦ ପରିବାର

ଡ୍ରେନ୍‌ ନିର୍ମାଣ ପାଇଁ ଦାବି

ବାଲିଅନ୍ତା: ବାତ୍ୟା ଅମ୍ଫାନ୍‌କୁ ୪୮ଘଣ୍ଟାରୁ ଊର୍ଧ୍ବ ସମୟ ବିତିଗଲାଣି। କିନ୍ତୁ ବାଲିଅନ୍ତା ତହସିଲ ସୀମା ଅଧୀନ ହଂସପାଳ ମୌଜାର କିଛି ସ୍ଥାନ ଏବେ ବି ପାଣି ଘେରରେ ରହିଛି। ଏଠାରେ ବସବାସ କରୁଥିବା ପାଖାପାଖି ୩୦ ପରିବାର ଏବେ ବି ପାଣି ଘେରରେ ରହିଛନ୍ତି। ରାଜଧାନୀଠାରୁ ମାତ୍ର ୩ କିମି ଦୂରରେ ଥିବା ଏହି ଅଞ୍ଚଳର ଅବସ୍ଥା ଏପରି ଦୟନୀୟ ହୋଇପଡ଼ିଛି ଯେ ଲୋକମାନେ ଘରୁ ପଦାକୁ ବାହାରିବା କଷ୍ଟକର ହୋଇପଡ଼ୁଛି। କହିବାକୁ ଗଲେ, ଏକପ୍ରକାର ଗୃହବନ୍ଦୀ ଅବସ୍ଥା‌ରେ ଅଛନ୍ତି। ବର୍ଷା ଦିନେ ସ୍ଥାନୀୟ ଲୋକ ମାସ ମାସ ଧରି ଏଠାରେ ଜଳବନ୍ଦୀ ହୋଇ ରହୁଥିବା ଜଣାପଡ଼ିଛି। ବର୍ଷାପାଣି ନିଷ୍କାସନ ପାଇଁ ଡ୍ରେନ୍‌ ନଥିବାରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ଜଣାପଡ଼ିଛି। ଡ୍ରେନ୍‌ ନିର୍ମାଣ ପାଇଁ ସେମାନେ ଅନେକବାର ଦାବି କରିବା ସତ୍ତ୍ବେ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା ନେଇ ସୂଚନା ମିଳିଛି।

ପୁରୀ ମୁଖ୍ୟ କେନାଲ ପାର୍ଶ୍ବର ସୀମା ପରିସରଭୁକ୍ତ ହଂସପାଳ ମୌଜାର ଏ ଅଞ୍ଚଳ ବିଏମ୍‌ସି ଅଧୀନ ୱାର୍ଡ ନଂ ୪ରେ ଯାଉଛି। ଜଣେ ସ୍ଥାନୀୟ ବାସିନ୍ଦାଙ୍କ ସୂଚନାନୁଯାୟୀ, ଏଠାରେ ଥିବା ‌ସବୁ ସରକାରୀ କିସମର ଜମି ବିଲ୍ଡର୍‌ମାନେ କରାୟତ୍ତ କରିନେଲେଣି। ସ୍ଥିତିବାନ୍‌ ସମ୍ପତ୍ତି ସାଙ୍ଗକୁ କାଡ଼ାନାଳି ଓ ଜଳାଶୟ ଭଳି କିସମ ଜମି ବି ସେମାନଙ୍କ ଲୋଲୁପ ଦୃଷ୍ଟିରୁ ମଧ୍ୟ ବାଦ୍‌ ପଡ଼ିନି। ରାଜସ୍ବ ବିଭାଗର ଅସାଧୁ ଅଧିକାରୀଙ୍କୁ ହାତ କରି କମିର କିସମ ବଦଳାଇ ତାକୁ ଘରବାରି‌‌ରେ ପରିଣତ କରି ବାହାର ଅଞ୍ଚଳର ଲୋକଙ୍କୁ ବିକ୍ରି କରି ଦେଇଛନ୍ତି। କ୍ରମଶଃ ଏଠାରେ ଲୋକଙ୍କ ବସତି ସିନା ସ୍ଥାପନ ହୋଇଗଲା, ହେଲେ ଏବେ ବର୍ଷାପାଣି ନିଷ୍କାସନ ସମସ୍ୟା ଚିନ୍ତାର କାରଣ ପାଲଟିଛି। ପରିମଳ ଅବସ୍ଥା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡ଼ିଛି। ଲୋକମାନେ ଡେଙ୍ଗୁ, ମ୍ୟାଲେରିଆ ଭଳି ରୋଗରେ ଆକ୍ରାନ୍ତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେଉଥିବାର ଅନେକ ଦୃଷ୍ଟାନ୍ତ ପୂର୍ବରୁ ରହିଛି।

ଅପରପକ୍ଷେ ଏ ଅଞ୍ଚଳର ଜନକଲ୍ୟାଣ କାର୍ଯ୍ୟ ଦାୟିତ୍ବରେ ଥିବା ବିଏମ୍‌ସି ମଧ୍ୟ ହାତବାନ୍ଧି ବସିଛି। ଡ୍ରେନ୍‌ ନିର୍ମାଣ ନେଇ କିଛି ପଦକ୍ଷେପ ଗ୍ରହଣ କରୁନଥିବା ଅଭିଯୋଗ ହୋଇଛି। ଫଳରେ ଦୀପ ତଳ ଅନ୍ଧାର ଭଳି ରାଜଧାନୀ ଖୁବ ନିକଟବର୍ତ୍ତୀ ଏ ଅଞ୍ଚଳ ଉଚ୍ଚପଦସ୍ଥ ପ୍ରାଶାସନିକ ଅଧିକାରୀଙ୍କ ଦୃଷ୍ଟି ଆଢ଼ୁଆଳରେ ରହିଯାଇଥିବା ଜଣାପଡ଼ିଛି। ଏ ଦିଗରେ କର୍ତୃପକ୍ଷ ସ୍ବତନ୍ତ୍ର ଦୃଷ୍ଟି ଦେବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

ସମ୍ବନ୍ଧିତ ଖବର