ସୁନ୍ଦରପଦା ଅମରେଶ ନାୟକ ହତ୍ୟାକାଣ୍ଡ : ଭାଇଗିରିରୁ ହତ୍ୟା!

ଥାନାରେ ପୁଲିସ କମିସନର ଓ ଡିସିପିଙ୍କ ବୈଠକ, ଚିହ୍ନଟ ହୋଇଛନ୍ତି ଅଭିଯୁକ୍ତ, ସ୍ପେସାଲ ସ୍କ୍ବାଡ୍‌ ସମେତ ୫ ଥାନାର ଇନ୍ସପେକ୍ଟରଙ୍କୁ ନେଇ ଗଠନ ହେଲା ଟିମ୍

ଭୁବନେଶ୍ବର : ଏୟାରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅମରେଶ ନାୟକ ହତ୍ୟା ଘଟଣାକୁ ୩ ଦିନରୁ ଅଧିକ ସମୟ ହୋଇଗଲାଣି। କିନ୍ତୁ ଏଯାଏ ପୁଲିସ ହତ୍ୟାକାରୀଙ୍କ ନିକଟରେ ପହଞ୍ଚି ପାରିନାହିଁ। ଯେଉଁ କାରଣରୁ ଏବେ ସ୍ଥାନୀୟ ବିଡିଏ କଲୋନି ବାସିନ୍ଦାଙ୍କ ମନରେ ତୀବ୍ର ଅସନ୍ତୋଷ ଦେଖା ଦେବା ଆରମ୍ଭ କଲାଣି। ଯେ କୌଣସି ସମୟରେ ସେମାନେ ପୁଲିସ କମିସନର ଓ ଡିସିପିଙ୍କ କାର୍ଯ୍ୟାଳୟ ଘେରାଉ କରିବେ ବୋଲି ଧମକ ଦେଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢ଼ୁଥିବା ଦେଖି ଆଜି ପୁଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ, ଅତିରିକ୍ତ ପୁଲିସ କମିସନର ସଂଜୟ କୁମାର ସିଂହ, ଡିସିପି ଅନୁପ ସାହୁ ପ୍ରମୁଖ ଥାନାକୁ ଯାଇ ଏକ ଜରୁରୀକାଳୀନ ବୈଠକ କରିଥିଲେ। ଅମରେଶଙ୍କୁ କାହିଁକି ହତ୍ୟା କରାଗଲା, କିଏ କିଏ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ସେ ନେଇ ଆଲୋଚନା ହୋଇଥିଲା। ତେବେ ହତ୍ୟାକାରୀ ଚିହ୍ନଟ ହୋଇଛନ୍ତି। ଖୁବ୍ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ବରିଷ୍ଠ ପୁଲିସ ଅଧିକାରୀ ସୂଚନା ଦେଇଛନ୍ତି। ଏଥିପାଇଁ ସ୍ପେସାଲ ସ୍କ୍ବାଡ୍‌ ଏସିପି ସଂଜୀବ ଶତପଥୀଙ୍କ ନେତୃତ୍ବରେ ୫ଟି ଟିମ୍‌ ଗଠନ କରାଯାଇଛି। ଏହି ଟିମ୍‌ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି।

ଅନ୍ୟପକ୍ଷରେ ଏହି ଘଟଣାକୁ ଗୁରୁତ୍ୱର ସହ ନେଇ ହତ୍ୟାକାରୀଙ୍କୁ ଧରିବା ଲାଗି କମିସନରେଟ ପୁଲିସ ସ୍ୱତନ୍ତ୍ର ରଣନୀତି ଆପଣାଇଛି। ସ୍ପେସାଲ ସ୍କ୍ୱାଡ୍‌ ଏସିପି ସଞ୍ଜୀବ ଶତପଥୀଙ୍କ ସହ ଏୟାରଫିଲ୍ଡ, ଧଉଳି, ଶ୍ରୀଲିଙ୍ଗରାଜ, ଏୟାରପୋର୍ଟ ସମେତ ୫ ଇନ୍ସପେକ୍ଟରଙ୍କୁ ନେଇ ପୃଥକ୍‌ ଟିମ ଗଠନ କରାଯାଇ ଚଢ଼ଉ କରାଯାଉଛି। ହତ୍ୟାକାରୀମାନେ ଫେରାର୍‌ ହୋଇଯାଇଥିବାରୁ ସେମାନଙ୍କୁ ଧରିବା ଲାଗି ଏକ ଟିମ୍ ଜିଲ୍ଲା ବାହାରକୁ ମଧ୍ୟ ଯାଇଛି। ଏଥିସହ ହତ୍ୟାକାରୀଙ୍କ ପରିବାର ଲୋକଙ୍କୁ ପୁଲିସ ମଧ୍ୟ ପଚରାଉଚରା କରୁଛି। ତେବେ ଖୁବଶୀଘ୍ର ହତ୍ୟାକାରୀ ଧରାପଡ଼ି‌ବେ ବୋଲି ପୁଲିସ ଆଶା ରଖିଛି।

ତେବେ ଏୟାରଫିଲ୍ଡ ଥାନା ଅଧିକାରୀଙ୍କ ଲୋକସଂପର୍କ ନଥିବାରୁ ହତ୍ୟାକାରୀଙ୍କୁ ଧରିବାରେ ବିଳମ୍ବ ହେଉଥିବା ଅଭିଯୋଗ ହେଉଛି। ଥାନା ଅଧିକାରୀଙ୍କ ଏଭଳି ଦୁର୍ବଳତାକୁ ଲୁଚାଇବା ଲାଗି ୫ ଥାନା ଇନ୍ସପେକ୍ଟର ତାଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି।

ଅପରପକ୍ଷେ ହତ୍ୟାକାଣ୍ଡ ପଛରେ ଭାଇଗିରି ହିଁ ମୁଖ୍ୟ କାରଣ ଥିବା ପୁଲିସ ଏକପ୍ରକାର ସ୍ପଷ୍ଟ କରିଛି। କିଛି ଦିନ ହେଲା ଅମରେଶ ସୁନ୍ଦରପଦା, ପୋଖରୀପୁଟ ଓ ଭୀମଟାଙ୍ଗି ଅଂଚଳରେ ଅମରେଶ ଭାଇଗିରି ଆରମ୍ଭ କରିଥିଲା। ପତିଆରା ଜାହିର କରିବାକୁ ନିଜର ଏକ ଗୋଷ୍ଠୀ ମଧ୍ୟ ତିଆରି କରିଥିଲା। ଯାହାକୁ ନେଇ ଗୋଷ୍ଠୀ ବିବାଦ ଆରମ୍ଭ ହୋଇଥିଲା।

ଘଟଣା ଦିନ ସନ୍ଧ୍ୟାରେ ଅମରେଶ ପାର୍କ ନିକଟରେ ବସି ଖଟି କରିବା ସହ ବାଣ ଫୁଟାଉଥିଲେ। ଏହି ସମୟରେ ରାସ୍ତାରେ ଯାଉଥିବା ଗାଁର ଜଣେ ଯୁବକଙ୍କ ଉପରେ ନିଆଁ ପଡ଼ିବାରୁ ପାଟିତୁଣ୍ଡ ହୋଇଥିଲା। ପରେ ଏହ‌ାର ଆପୋଷ ସମାଧାନ କରାଯାଇଥିଲା। ରାତି ୧୦ଟା ବେଳେ ଅମରେଶ ଘରକୁ ପଳାଇଥିଲେ। ୧୧ଟା ବେଳେ ଶଙ୍କର ବସ୍ତିଆ ତାଙ୍କୁ ଫୋନ କରି ଗାଳିଗୁଲଜ କରିବା ସହ ଧମକଚମକ ଦେଇଥିଲା। ଫୋନ କଲ ପାଇ ସେ ଘରୁ ବାଣ ନେଇ ଖଟିକୁ ଆସିଥିଲେ। ସାଙ୍ଗଙ୍କ ସହ ଭୋଜିଭାତ କରିବା ପରେ ସୁଜିତ ସେଠୀ ଓ ଦେବୀପ୍ରସାଦ ସେଠୀଙ୍କ ସହ କଲେଜ ଗେଟ୍‌ ପାଖରେ ବସିଥିଲେ। ଏହି ସମୟରେ ୨୦ରୁ ଅଧିକ ଯୁବକ ତାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ସେମାନେ ଗୋଡ଼ାଇ ଗୋଡ଼ାଇ ଅମରେଶକୁ ପଟିବା ସହ ବୋମା ମାଡ଼ କରିବାରୁ ତାଙ୍କର ମୃତ୍ୟୁ ଘଟିଥିଲା।

ହତ୍ୟାକାଣ୍ଡ ମୁଁ ଦେଖିଛି
ଅମରେଶ ନାୟକ ହତ୍ୟା ଘଟଣାରେ ବୟାନ ରଖିଛନ୍ତି ପ୍ରତ୍ୟକ୍ଷଦର୍ଶୀ ଦେବୀପ୍ରସାଦ ସେଠୀ। ଗଣମାଧ୍ୟମ ସମ୍ମୁଖରେ କହିଛନ୍ତି, ସେଦିନ ରାତିରେ ଘଟି ଯାଇଥିବା ଲୋମଟାଙ୍କୁରା ହତ୍ୟାକାଣ୍ଡର ପୂରା କାହାଣୀ। ଦେବୀପ୍ରସାଦ କହିଛନ୍ତି, ଘଟଣା ରାତିରେ ୧୫ରୁ ୨୦ଜଣ ଯୁବକ ସଂଘବଦ୍ଧ ଭାବେ ଅମରେଶଙ୍କୁ ଆକ୍ରମଣ କରିଥିଲେ। ତା’ପରେ ମାରଣାସ୍ତ୍ରରେ ହାଣି ପକାଇବା ସହ ପଥରରେ ମୁଣ୍ଡକୁ ଛେଚି ଦେଇଥିଲେ। ମରିବା ପର୍ଯ୍ୟନ୍ତ ଅମରେଶଙ୍କୁ କାଠ ବହ୍ଲାରେ ପିଟି ଚାଲିଥିଲେ। ଏହି ସମୟରେ ସେ ପ୍ରତିବାଦ କରିବାରୁ ତାଙ୍କୁ ମଧ୍ୟ ପ୍ରାଣାନ୍ତକ ଆକ୍ରମଣ କରାଯିବା ସହ ମାରିଦେବାକୁ ଧମକ ଦିଆଯାଇଥିଲା ବୋଲି ସେ କହିଛନ୍ତି। ତେବେ ତାଙ୍କୁ ପୁଲିସ କେବଳ ଫୋନରେ ପଚରାଉଚରା କରିଛି। ସିଧାସଳଖ ପଚରାଉଚରା କରାଯାଇନଥିବା ସେ କହିଛନ୍ତି। ପୁଲିସ ଚାହିଲେ ମୋଠାରୁ ସାକ୍ଷ୍ୟ ଗ୍ରହଣ କରିପାରିବ ବୋଲି ଦେବୀପ୍ରସାଦ କହିଛନ୍ତି।

ମହିଳା ଆଇନଜୀବୀ ମାମଲାରେ ବ୍ରେକ୍
ଏହି ହତ୍ୟାକାଣ୍ଡ ପୂର୍ବରୁ ଧଉଳି ଥାନା ଅଧୀନ ମହିଳା ଆଇନଜୀବୀ ଦୀପାଳି ପ୍ରୟଦର୍ଶିନୀ ଜେନା ମୃତ୍ୟୁ ମାମଲାକୁ ନେଇ ଢେର୍‌ ଚର୍ଚା ହେଉଥିଲା। ଦୀପାଳିଙ୍କ ମୃତ୍ୟୁ କିଭଳି ପରିସ୍ଥିତିରେ ହୋଇଥିଲା, କେହି ତାଙ୍କୁ ହତ୍ୟା କରିଥିଲା ନା ସେ ଆତ୍ମହତ୍ୟା କରିଥିଲେ, ତାକୁ ନେଇ ପୁଲିସ ଛାନଭିନ୍‌ ଆରମ୍ଭ କରିଥିଲା। ଏହି ସମୟରେ ଦୀପାଳିଙ୍କ ପୁରୁଷ ବନ୍ଧୁ ବିକ୍ରମ ଫେରାର୍‌ ହୋଇଯାଇଥିବାରୁ ତାଙ୍କ ଉପରେ ପୁଲିସର ବଢ଼ି ଯାଇଥିଲା। ବିକ୍ରମଙ୍କୁ ଗିରଫ କରିବାକୁ ସ୍ପେସାଲ୍ ସ୍କ୍ବାଡକୁ ଦାୟିତ୍ବ ଦିଆଯାଇଥିଲା। ଏହି ସମୟରେ ଦୀପାଳିଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଥିଲା। ରିପୋର୍ଟରେ କୁହାଯାଇଥିଲା ଶ୍ବାସରୁଦ୍ଧ କାରଣରୁ ତାଙ୍କର ମୃତ୍ୟୁ ଘଟିଛି। ପୁଲିସ ସ୍ପଷ୍ଟ ହୋଇଯାଇଥିଲା ଦୀପାଳି ଆତ୍ମହତ୍ୟା କରିଛନ୍ତି ବୋଲି। କିନ୍ତୁ କାହିଁକି ସେ ଆତ୍ମହତ୍ୟା କଲେ? ତାର କାରଣ କ’ଣ ? ଆତ୍ମହତ୍ୟାରେ ବିକ୍ରମଙ୍କ ଭୂମିକା ଅଛି କି ନାହିଁ, ପୁଲିସ ଖୋଳତାଡ଼ ଆରମ୍ଭ କରିଥିଲା। ଏଥିପାଇଁ ପୁଲିସ ବିକ୍ରମଙ୍କୁ ଖୋଜିବା ଆରମ୍ଭ କରିଥିଲା। ଠିକ ଏତିକିବେଳେ ଏୟା‌ରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଅମରେଶଙ୍କୁ ହତ୍ୟା କରାଗଲା। କମିସନରେଟ୍‌ ପୁଲିସ ଏବେ ଅମରେଶଙ୍କ ହତ୍ୟାକାରୀଙ୍କ ପଛରେ। ତେଣୁ ଦୀପାଳିଙ୍କ ମୃତ୍ୟୁ ମାମଲା ଉପରୁ ରହସ୍ୟ ଉଠିବାରେ ବିଳମ୍ବ ହେବାର ଆଶଙ୍କା ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର