ଭୁବନେଶ୍ୱର: ଆମ୍ରି ହସ୍‌ପିଟାଲରେ ଉପଲବ୍ଧ ହେବାକୁ ଯାଉଛି ବିଶ୍ୱସ୍ତରୀୟ ଚିକିତ୍ସା ସେବା। ମେଦାନ୍ତ-ଦ ମେଡିସିଟି ସହଯୋଗରେ ଆଜି ଯକୃତ(ଲିଭର) ଚିକିତ୍ସା ଓପିଡି କ୍ଲିନିକ୍‌ ଉଦ୍‌ଘାଟିତ ହୋଇଛି। ଏଠାରେ ଲିଭର ପ୍ରତ୍ୟାରୋପଣ ସହ କ୍ୟାନସର ଅପରେସନ୍‌ ହେବ। ପ୍ରାଥମିକ ପର୍ଯ୍ୟାୟରେ ଏହି ସେବା ମାସରେ ଗୋଟିଏ ଥର ଉପଲବ୍ଧ ହେବାକୁ ଯାଉଥିବା ବେଳେ ପରବର୍ତୀ ସମୟରେ ଏହା ସହଜଲବ୍ଧ ହେବ ବୋଲି ମେଦାନ୍ତ- ଦି ମେଡିିସିଟି ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଲିଭର ଟ୍ରାନ୍‌ସ୍‌ପ୍ଲାଣ୍ଟ ଆଣ୍ଡ ରିଜେନେରେଟିଭ୍‌ ମେଡିସିନ୍‌ ଅଧ୍ୟକ୍ଷ ଡା. ଏ ଏସ୍‌ ସୋଇନ୍‌ ଆଇଏମ୍‌ଏ ସମ୍ମେଳନ କକ୍ଷରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ତାଙ୍କ ସହିତ ଏହି କ୍ଲିନିକ୍‌ରେ ଡା. ପ୍ରଶାନ୍ତ ଭାଙ୍ଗୀ ସହଯୋଗ କରିବେ। ଆମ୍ରି ହସ୍‌ପିଟାଲରେ ଏହି ସେବା ପ୍ରଥମ ଥର ପାଇଁ ଉପଲବ୍ଧ ହେବାକୁ ଯାଉଛି। ସାଧାରଣତଃ ଘରୋଇ ହସ୍‌ପିଟାଲରେ ଯକୃତ ପ୍ରତ୍ୟାରୋପଣ ପାଇଁ ୨୦ ଲକ୍ଷ ଟଙ୍କା ଖର୍ଚ ହେଉଥିବା ବେଳେ ଏଠାରେ ଅପେକ୍ଷାକୃତ କମ୍‌ ଖର୍ଚ୍ଚ ହେବ ବୋଲି ସେ ସୂଚନା ଦେଇଛନ୍ତି। ଏହି ସୁବିଧା ସହ ଆମ୍ରି ହସ୍‌ପିଟାଲ ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ାଗଲା ବୋଲି ହସ୍‌ପିଟାଲ ୟୁନିଟ ମୁଖ୍ୟ ଡା ବିବେକ ଲାଲ କହିଛନ୍ତି।

Advertisment

ମେଦାନ୍ତର ଡା ଏ.ଏସ୍‌ ସୋଇନ୍‌ ଭାରତବର୍ଷର ବିଭିନ୍ନ ସ୍ଥାନରୁ ୨୮୦୦ ରୋଗୀଙ୍କର ଯକୃତ ପ୍ରତ୍ୟାରୋପଣ କରିସାରିଛନ୍ତି। ଏହି ରୋଗୀଙ୍କ ମଧ୍ୟରୁ ଓଡ଼ିଶାରୁ ୨୫୦ ଜଣ ଅଛନ୍ତି। ଯକୃତ ରୋଗର କ୍ରମବର୍ଦ୍ଧିଷ୍ଣୁ କଳେବରକୁ ଲକ୍ଷ୍ୟ କରିବା ସହ ଓଡ଼ିଶାରେ ଆବଶ୍ୟକତାକୁ ଉପଲବ୍ଧି କରି ଏଠାରେ ଏଭଳି ବ୍ୟବସ୍ଥା କରାଯାଇଥିବା ଆମ୍ରି ପକ୍ଷରୁ କୁହାଯାଇଛି।