ଜାଗମରା-ବରମୁଣ୍ଡା ୨ ଶହ ଫୁଟିଆ ରାସ୍ତାରେ ଅମୃତ ଯୋଜନା: ୪ ମାସ ହେଲା ବିଷମୟ ପରିସ୍ଥିତି

ଖଣ୍ଡଗିରି: ଅମୃତ ଯୋଜନାରେ ପାଇପ୍‌ ବିଛାଇବା କାମ ଚାଲିଛି। ୪ ମାସ ହେଲା ରାସ୍ତା‌ ଖୋଳା ହୋଇ ପଡ଼ିଛି। କାମ ସରୁନି। ଫଳରେ ୨ ଶହ ଫୁଟିଆ ରାସ୍ତାଟି ଏବେ ୫୦ ଫୁଟିଆ ଓସାର ହୋଇଯାଇଛି। ତେଣୁ ଯାନବାହାନ ଚଳାଚଳ କେତେ ସୁଗମ ହେଉଥିବା ଏଥିରୁ ସହଜରେ ଅନୁମେୟ। ପ୍ରତିଦିନ ସବୁ ସମୟରେ ଏହି ରାସ୍ତାରେ ପ୍ରବଳ ଟ୍ରାଫିକ୍ ଜାମ୍ ହେଉଛି। ହଜାର ହଜାର ରାଜଧାନୀବାସୀ ବଡ଼ ହନ୍ତସନ୍ତ ହେଉଛନ୍ତି। ରାତିରେ ଦୁର୍ଘଟଣା ଘଟୁଛି। ଏହା ହେଉଛି ରାଜଧାନୀର ପ୍ରମୁଖ ରାସ୍ତାମାନଙ୍କ ମଧ୍ୟରୁ ଅନ୍ୟତମ ସିଟି ୱିମେନ୍‌ସ କଲେଜ ଛକରୁ ଲମ୍ବିଥିବା ବରମୁଣ୍ଡା-ଜାଗମରା ୨ ଶହ ଫୁଟିଆ ରାସ୍ତାର ଅବସ୍ଥା।

ସୂଚନାନୁଯାୟୀ ଏବେ ଏଠାରେ ଅମୃତ ଯୋଜନାରେ ପାଇପ୍‌ ବିଛାଇବା କାମ ୱାଟ୍‌କୋ ପକ୍ଷରୁ କରାଯାଉଛି। ଏଥିପାଇଁ ୱାଟ୍‌କୋକୁ ପୂର୍ତ୍ତ ବିଭାଗ ପକ୍ଷରୁ ନିୟମାନୁସାରେ ଅନୁମତି ମିଳିଛି। ମାତ୍ର ୱାଟ୍‌କୋ ୪ ମାସ ହେଲା ରାସ୍ତାକୁ ଖୋଳି ପକାଇ ଦେଇଛି। ରାସ୍ତାର ଗୋଟିଏ ପାର୍ଶ୍ବରେ ପାଣି ପାଇପ ପଡୁଥିବାରୁ ଅପର ପାର୍ଶ୍ବରେ ହିଁ ଯାତାୟାତ ଚାଲିଛି। ଫଳରେ ଶହେ ଫୁଟ୍‌ ଓସାରର ଦୁଇ ଥାକିଆ ରାସ୍ତାଟି ଏବେ ୫୦ ଫୁଟିଆ ରାସ୍ତାରେ ପରିଣତ ହୋଇଯାଇଛି। ସନ୍ଧ୍ୟା ହେଉ କି ସକାଳ ହେଉ, ଏହି ରାସ୍ତାକୁ ଅତିକ୍ରମ କରିବାକୁ ଲୋକମାନଙ୍କୁ ଘଣ୍ଟା ଘଣ୍ଟା ସମୟ ଲାଗି ଯାଉଛି। ଦିନ ସାରା ରାସ୍ତାରେ ପ୍ରବଳ ଟ୍ରାଫିକ୍ ଜାମ୍‌ ରହୁଛି। ଫଳରେ ସ୍ବାଭାବିକ ଭାବେ ଗାଡ଼ି ଚଳାଚଳ ହୋଇପାରୁନାହିଁ। ଜାମ୍‌ରେ ଫସି ଲୋକେ ହନ୍ତସନ୍ତ ହେଉଛନ୍ତି। ରାତିରେ ବେଶି ସମସ୍ୟା ହେଉଛି। ‌ସୌଭାଗ୍ୟକୁ ଏହି ୪ ମାସ ଭିତରେ ଏହି ରାସ୍ତାରେ ଘଟିଥିବା କିଛି ଦୁର୍ଘଟଣାରେ କାହାରି ଜୀବନହାନି ହୋଇନାହିଁ। ମାତ୍ର ପ୍ରାୟ ୫ ଜଣ ଗୁରୁତର ହୋଇଛନ୍ତି ବୋଲି ସ୍ଥାନୀୟ ଲୋକେ କହିଛନ୍ତି। ଏନେଇ ଡିଭିଜନ୍‌-୩ ପୂର୍ତ୍ତ ବିଭାଗ ଯନ୍ତ୍ରୀ ହିମାଂଶୁ ଷଡ଼ଙ୍ଗୀଙ୍କ କହିବା କଥା ୱାଟ୍‌କୋର ଏହି କାମ ନିଜର। ତେଣୁ କାମ ଶୀଘ୍ର କେମିତି ସରିବ, ଉକ୍ତ ବିଭାଗର ଦାୟିତ୍ବ। ମାତ୍ର ଏନେଇ ୱାଟ୍‌କୋ ପକ୍ଷରୁ କୌଣସି ମତାମତ ମଳିପାରିଲା ନାହିଁ। ତେଣୁ ଏହି ଦୁଇ ବିଭାଗ ମଧ୍ୟରେ ତାଳମେଳ ନଥିବା ବା ସମନ୍ବୟ ଅଭାବରୁ ଲୋକେ ହନ୍ତସନ୍ତ ହେଉଛନ୍ତି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି। ତୁରନ୍ତ କାମ ଶେଷ ନହେଲେ, ଲୋକେ ଭିନ୍ନ ପନ୍ଥା ଆପଣେଇବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର