ଭୁବନେଶ୍ୱର : ଅମୃତ ଯୋଜନାରେ ରାଜଧାନୀରେ ଯେଉଁଠି ବି ପ୍ରକଳ୍ପ ହୋଇଛି ବା ହେବ ସେଗୁଡ଼ିକର ସମସ୍ତ ତଥ୍ୟ ଏବଂ ଫଟୋ ଓ୍ଵବସାଇଟ୍‌ରେ ଉପଲବ୍ଧ ହେବ। ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଅମୃତ ମିସନରେ ହେଉଥିବା କାର୍ଯ୍ୟର ସମୀକ୍ଷା ହେବ। ଏଥିପାଇଁ ଅମୃତ ଯୋଜନାରେ ହେଉଥିବା ପ୍ରକଳ୍ପର ଜିଓ ଟ୍ୟାଗିଂ କରିବା ସହ ଫଟୋ ଅପଲୋଡ୍‌ କରିବାକୁ କୁହାଯାଇଛି। ଏହାଦ୍ୱାରା କେଉଁ ଅଞ୍ଚଳରେ କେଉଁ ପ୍ରକଳ୍ପ କିପରି ଅଛି, କାର୍ଯ୍ୟ କେତେ ଦୂର ଆଗେଇଛି ତା’ର ସବିଶେଷ ସୂଚନା ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଓ୍ଵବସାଇଟ୍‌ରେ ଉପଲବ୍ଧ ହେବ।

Advertisment

ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଅମୃତ ସହରରେ ଜଳ ଯୋଗାଣ, ସ୍ୱେରେଜ୍‌ ପରିଚାଳନା, ବର୍ଷା ଜଳ ନିଷ୍କାସନ ଡ୍ରେନ୍‌, ବିନା ମୋଟର ଚାଳିତ ସହରାଞ୍ଚଳ ପରିବହନ ବ୍ୟବସ୍ଥା ନେଇ ସହରାଞ୍ଚଳ ବିକାଶ ମନ୍ତ୍ରଣାଳୟ ଆର୍ଥିକ ସହାୟତା ଯୋଗାଉଛି। ତେଣୁ ଏହି ପ୍ରକଳ୍ପଗୁଡ଼ିକର ପ୍ରକୃତ ସ୍ଥିତି ଜାଣିବା ଏବଂ ଯେ କୌଣସି ମୁହୂର୍ତ୍ତରେ ପ୍ରକଳ୍ପ ବିଷୟରେ ଅବଗତ ହେବା ପାଇଁ ପ୍ରତ୍ୟେକ ପ୍ରକଳ୍ପକୁ ଜିଓ ଟ୍ୟାଗିଂ କରିବାକୁ କୁହାଯାଇଛି। ଦେଶର ସମସ୍ତ ଅମୃତ ସହରରେ ଏହା ଲାଗୁ ହେବ। କିନ୍ତୁ ଏବେ ପାଇଲଟ୍‌ ପ୍ରକଳ୍ପ ଭାବେ ୫ଟି ଅମୃତ ସହର କର୍ଣ୍ଣାଟକର ତୁମକୁର, ତାମିଲନାଡୁର ଚେନ୍ନାଇ, ଛତିଶଗଡ଼ର ରାୟପୁର, ଝାଡ଼ଖଣ୍ଡର ରାଞ୍ଚି ସମେତ ଭୁବନେଶ୍ୱରରେ ଏହା ଆରମ୍ଭ ହେବାକୁ ଯାଉଛି।