ଏମ୍‌ସ ଟେଲି ମେଡିସିନ୍‌ ସେବା, ଉପକୃତ ହେଲେଣି ୩ ହଜାର

ଭୁବନେଶ୍ବର: ମହାମାରୀ କୋଭିଡ୍‌-୧୯ ସଂକ୍ରମଣ ରୋକିବା ପାଇଁ ତାଲାବନ୍ଦ ଲାଗୁ ହେବା ପରଠାରୁ ଭୁବନେଶ୍ବର ଏମ୍‌ସରେ ବହିର୍ବିଭାଗ ରୋଗୀ ସେବା(ଓପିଡି) ବନ୍ଦ ରହିଛି। କିନ୍ତୁ ଏମ୍‌ସ ପକ୍ଷରୁ ଟେଲି ମେଡିସିନି ସେବା ଆରମ୍ଭ କରାଯାଇଛି। ଗତ ୧୪ ତାରିଖରୁ ଏହି ସେବା ମୋବାଇଲ୍‌ ଫୋନ୍‌ର ହ୍ବ‌ାଟ୍‌ସ-ଆପ୍ ଓ ଭିଡିଓ କଲିଂ ମାଧ୍ୟମରେ ଚାଲୁ ରହିଛି। ମାତ୍ର ଏହା ଦ୍ବାରା ବହୁ ପ୍ରବାସୀ ଭାରତୀୟ ଓ ଓଡ଼ିଆ ଲୋକ ଉପକୃତ ହେଉଥିବା ବେଳେ ରାଜ୍ୟରୁ ଆଶାଠାରୁ କମ୍‌ ସଂଖ୍ୟକ ରୋଗୀ ଲାଭବାନ୍‌ ହେଉଥିବା ଜଣାପଡ଼ିଛି। ଗତ ଦୁଇ ସପ୍ତାହରେ ପାଖାପାଖି ୩ହଜାର ରୋଗୀ ଏହି ସେବା ଜରିଆରେ ଏମ୍‌ସ୍‌ ଡାକ୍ତରମାନଙ୍କ ପରାମର୍ଶ ଲାଭ କରିଥିବା ବେଳେ ବିଦେଶରୁ ପ୍ରାୟ ୩ଶହ ରୋଗୀ ଉପକୃତ ହୋଇଛନ୍ତି।

ଏମ୍‌ସ୍‌ ଭାରପ୍ରାପ୍ତ ଅଧୀକ୍ଷକ ପ୍ରଫେସର୍‌ ଜୱାହର ପିଲ୍ଲେଙ୍କ ସୂଚନାନୁସାରେ, ମେଡିସିନ୍‌ ବିଭାଗରେ ସବୁଠାରୁ ଅଧିକ ଦୈନିକ ପ୍ରାୟ ୬୦ରୋଗୀ ଡାକ୍ତରଙ୍କ ପରାମର୍ଶ ଲୋଡ଼ୁଛନ୍ତି। ଶିଶୁ ରୋଗ ବିଭାଗରୁ ମଧ୍ୟ ଅନୁରୂପ ଭାବେ ପାଖାପାଖି ୫୦ଫୋନ୍‌ କଲ୍‌ ଆସୁଛି ଓ ଡାକ୍ତରମାନେ ସେମାନଙ୍କୁ ପରାମର୍ଶ ଦେଉଛନ୍ତି। ତେ‌ବେ ୟୁରୋଲୋଜି, ଅସ୍ଥିଶଲ୍ୟ, ହୃଦ୍‌ରୋଗ ବିଭାଗରୁ ବହୁ କମ୍ ସଂଖ୍ୟକ ଅର୍ଥାତ୍ ଦୈନିକ ପ୍ରାୟ ୨୦ରୁ ୩୦ ରୋଗୀଙ୍କୁ ଡାକ୍ତରମାନେ ପରାମର୍ଶ ଦେଇପାରିଛନ୍ତି। ସ୍ତ୍ରୀ ଓ ପ୍ରସୂତି ବିଭାଗ ପକ୍ଷରୁ ନିୟମିତ ପରାମର୍ଶ ନେଉଥିବା କିଛି ମହିଳା ଏହି ସେବା ଦ୍ବାରା ଉପକୃତ ହେଉଥିବା ବେଳେ ଅଧିକାଂଶଙ୍କୁ ସିଧାସଳଖ ଡାକ୍ତରଙ୍କୁ ଦେଖା କରିବାକୁ କୁହାଯାଉଛି। ବିଶେଷକରି ଏହି ସେବା ଦ୍ବାରା ରୋଗୀମାନଙ୍କୁ ବିଭିନ୍ନ ପରୀକ୍ଷା କରିବା ପାଇଁ ପରାମର୍ଶ ଦିଆଯାଉଛି ଓ ପରୀକ୍ଷା ରିପୋର୍ଟ ହ୍ବାଟ୍‌ସଆପ୍‌ ପାଇ ଡାକ୍ତରମାନେ ଆବଶ୍ୟକ ପରାମର୍ଶ ଦେଇପାରୁଛନ୍ତି। ଜରୁରୀ ସମୟରେ ରୋଗୀମାନେ ଭିଡିଓ କଲିଂ କରି ଡାକ୍ତରଙ୍କ ଉପଦେଶ ପାଉଛନ୍ତି। ଏହି ସେବା ପାଇଁ ସକାଳ ୯ଟାରୁ ଅପରାହ୍‌ଣ ୧ଟା ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲେ ହେଁ ଏବେ ଡାକ୍ତରମାନେ ହ୍ବାଟ୍‌ସଆପ୍‌ରେ ଆସିଥିବା ରୋଗୀଙ୍କ ସମସ୍ୟାକୁ ଅପରାହ୍‌ଣରେ ଅଧିକ ସମୟ ଦେଇ ସମାଧାନ କରିବାକୁ ଉଦ୍ୟମ କରୁଛନ୍ତି। ଏହାକୁ କିଛି ଲୋକ ଅପବ୍ୟବହାର କରୁଥିବା ମଧ୍ୟ ପ୍ରଫେସର୍‌ ପିଲ୍ଲେ କହିଛନ୍ତି। କୋଭିଡ୍‌-୧୯ ସଂକ୍ରାନ୍ତୀୟ ପ୍ରଶ୍ନ କରି ଡାକ୍ତରମାନଙ୍କ ସମୟ ନଷ୍ଟ କରୁଛନ୍ତି। ଏମିତିକି ତାଲାବନ୍ଦ କେବେ ହଟିବ ବୋଲି କିଛି ଲୋକ ପ୍ରଶ୍ନ କରୁଛନ୍ତି। ତେବେ ଏଭଳି ସଂଖ୍ୟା ବେଶ୍ କମ୍ ବୋଲି ସେ କହିଛନ୍ତି। ବଡ଼ କଥା ହେଉଛି ଏହି ସେବାରୁ ପ୍ରବାସୀ ଓଡ଼ିଆ ତଥା ଅଣଓଡ଼ିଆ ଲୋକେ ଫାଇଦା ଉଠାଉଥିବା ବେଳେ ଆମ ରାଜ୍ୟର କମ୍ ଲୋକ ଏହାର ବ୍ୟବହାର କରୁଛନ୍ତି। ପୂର୍ବରୁ ଓପିଡିରେ ଦୈନିକ ପାଖାପାଖି ୩ହଜାର ରୋଗୀ ଉପସ୍ଥାନ ହେଉଥିବା ବେଳେ ଏବେ ଏହି ସେବାରୁ ୨ ସପ୍ତାହରେ ମାତ୍ର ୩ ହଜାର ରୋଗୀ ଉପସ୍ଥାନ ହୋଇଛି। ଏଥିରୁ ଓଡ଼ିଶା ଲୋକେ ଅଧିକରୁ ଅଧିକ ଫାଇଦା ପାଇଲେ, ଭୁବନେଶ୍ବର ଏମ୍‌ସର ଏହି ସେବା ଅଧିକ ଫଳପ୍ରଦ ହେବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର