ଭୁବନେଶ୍ବର: ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ ଏଜୁକେସନ ଆଣ୍ଡ ରିସର୍ଚ୍ଚ ଆଣ୍ଡ କ୍ୟାପିଟାଲ ହସ୍ପିଟାଲ (ପିଜିଆଇଏମ୍ଇଆର୍ସିଏଚ୍)ରେ ଜଣେ ନାବାଳିକାଙ୍କ ପେଟରୁ ୮ କେଜିର ଟ୍ୟୁମର୍ ବାହାର କରାଯାଇଛି। ପିଜିଆଇ ପ୍ରଫେସର୍ ଡାକ୍ତର ଶ୍ରୀକାନ୍ତ ପାତ୍ରଙ୍କ ନେତୃତ୍ବରେ ଏକ ଟିମ୍ ୩ଘଣ୍ଟା ପରିଶ୍ରମ କରି ଏହି ଜଟିଳ ଅସ୍ତ୍ରୋପଚାର କରିଛନ୍ତି।
ବରମୁଣ୍ଡା ଅଞ୍ଚଳର ଏହି ନାବାଳିକା ଦୀର୍ଘ ଦିନ ଧରି ଅସୁସ୍ଥ ଥିଲେ। ବିଭିନ୍ନ ସମୟରେ ପେଟ ଯନ୍ତ୍ରଣା ହେଉଥିଲା। ଏନେଇ ଦୁଇ ସପ୍ତାହ ତଳେ କ୍ୟାପିଟାଲ ହସ୍ପିଟାଲର ସର୍ଜରି ବହିର୍ବିଭାଗରେ ଦେଖାଇଥିଲେ। ପରୀକ୍ଷା ପରେ ତାଙ୍କ ପେଟରେ ଏକ ବଡ଼ ମାଂସ ବଢ଼ୁଥିବା ଜଣାପଡ଼ିଥିଲା। ହସ୍ପିଟାଲରେ ଭର୍ତ୍ତି ହେବା ପରେ ଆଜି ସକାଳେ ସର୍ଜରି ଆରମ୍ଭ କରାଯାଇଥିଲା। ବାହାରିଥିବା ଟ୍ୟୁମରଟି ୮ କେଜିରୁ ଅଧିକ ଥିବା ବେଳେ ତା’ର ଆକାର ୩୪x୨୪x୧୮ ଘନ ସେମି ରହିଛି। ଭବିଷ୍ୟତରେ ବିଭିନ୍ନ ଜଟିଳ ଅପରେସନ କରାଯାଇ ମାଗଣାରେ ସାଧାରଣ ଲୋକଙ୍କୁ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଶ୍ରୀ ପାତ୍ର କହିଛନ୍ତି। ଏହି ଟିମ୍ରେ ଡା. ସୁନିଲ, ଡା. ଶୁଭାଶିଷ, ଡା. ପ୍ରିୟମ୍ବଦା, ଆନାସ୍ଥେସିଆ ଡାକ୍ତର ପବିତ୍ର, ଡା. ରାଜକୁମାର, ଡା. ଇସାନ ପ୍ରମୁଖ ରହିଥିଲେ।