ରତ୍ନଚିରା ନଦୀ ଅବବାହିକାରୁ ମିଳିଲା ପୁରାତନ ମନ୍ଦିରର ସନ୍ଧାନ, ୨୫ରୁ ଅଧିକ ପୁରାତନ ମୂର୍ତ୍ତି ଉଦ୍ଧାର

ଭୁବନେଶ୍ୱର: ପୁରୀ ଜିଲ୍ଲା ପିପିଲି ବ୍ଲକ୍‌ ଅନ୍ତର୍ଗତ ଲାଉଡଙ୍କି ଗ୍ରାମର ଗତେଶ୍ବର ମନ୍ଦିର ନିକଟରୁ ଏକ ପୁରାତନ ମନ୍ଦିରର ଧ୍ବଂସାବଶେଷ ଉଦ୍ଧାର କରାଯାଇଛି। ଧ୍ୱଂସାବଶେଷ‌ରେ ଅନେକଗୁଡ଼ିଏ ପୁରୁଣା ମୂର୍ତ୍ତି ଉଦ୍ଧାର କରାଯାଇଥିବା ସୂଚନା ମିଳିଛି। ପୁରାଣବର୍ଣ୍ଣିତ ଐତିହାସିକ ରତ୍ନଚିରା ନଦୀ ଉପତ୍ୟକାର ପ୍ରତ୍ନତାତ୍ବିକ ସର୍ଭେ କରୁଥିବା ରି-ଡିସକଭର୍‌ ଲଷ୍ଟ ହେରିଟେଜ୍ ସଂସ୍ଥାର ୬ଜଣିଆ ଏକ ଦଳ ଏହି ପୁରାତନ କୀର୍ତ୍ତିରାଜିର ଅନୁସନ୍ଧାନ କରିଛନ୍ତି। ଏହି ଐତିହ୍ୟ ଅନୁସନ୍ଧାନର ମୁଖ୍ୟ ଐତିହାସିକ ଅନିଲ ଧିରଙ୍କ କହିବା ଅନୁସାରେ, ମନ୍ଦିର ରୋଷଶାଳା ପଛପାଖର ଏକ ଅଳିଆ ସ୍ତୂପ ତଳୁ ପାଖାପାଖି ୨୫ରୁ ଅଧିକ ପୁରାତନ ପ୍ରତିମାର ସନ୍ଧାନ କରାଯାଇଛି। ଏହାସହ ପୁରାତନ ମନ୍ଦିରର ଅନେକ କାରୁକାର୍ଯ୍ୟପୂର୍ଣ୍ଣ ଭଗ୍ନ ଶିଳାଖଣ୍ଡ ମଧ୍ୟ ଦେଖିବାକୁ ମିଳୁଛି।

ସ୍ଥାନୀୟ ଗ୍ରାମବାସୀଙ୍କ କହିବା ମୁତାବକ, ଏହି ସବୁ ପୁରାତନ କୀର୍ତ୍ତିରାଜି ରାଜ୍ୟ ପ୍ରତ୍ନତତ୍ତ୍ବ ବିଭାଗ ଦ୍ୱାରା ୧୯୯୯ମସିହାରେ ମନ୍ଦିରର ପୁନଃନିର୍ମାଣ ସମୟରେ ପ୍ରଥମେ ଦୃଷ୍ଟିଗୋଚର ହୋଇଥିଲା। ପରେ ସେଗୁଡ଼ିକୁ ରାଜ୍ୟ ସଂଗ୍ରହାଳୟକୁ ସ୍ଥାନାନ୍ତରଣ ପାଇଁ ରୋଷଶାଳା ପଛପଟେ ରଖାଯାଇଥିଲା। କିନ୍ତୁ ମହାବାତ୍ୟା ପରବର୍ତ୍ତୀ କାଳରେ ସ୍ଥାନଟି ଭାଙ୍ଗି ଯାଇଥିବା ଗଛପତ୍ର, ଡାଳ ଆଚ୍ଛାଦିତ ହୋଇ କାଳକ୍ରମେ ଅଳିଆ ଗଦାରେ ରୂପାନ୍ତରିତ ହୋଇଥିଲା। ଏହାସହ ବିଭାଗୀୟ କର୍ତ୍ତୃପକ୍ଷ ମଧ୍ୟ ଏହି ସ୍ଥାନରେ ଥିବା ପୁରାତନ ଐତିହ୍ୟ ସମ୍ପର୍କରେ ସମ୍ପୂର୍ଣ୍ଣ ଭୁଲି ଯାଇଥିଲେ।

‘ରି-ଡିସକଭର୍‌ ଲଷ୍ଟ ହେରିଟେଜ୍‌’ ସଂସ୍ଥାର ବରିଷ୍ଠ ସଦସ୍ୟ ତଥା ଐତିହ୍ୟ ଗବେଷକ ଦୀପକ କୁମାର ନାୟକଙ୍କ ସୂଚନା ଅନୁସାରେ, ଅନୁସନ୍ଧାନକାରୀ ଦଳକୁ ମିଳିଥିବା ଅନେକ ପୁରାତନ କୀର୍ତ୍ତିରାଜି ମଧ୍ୟରୁ ଅର୍ଧପରାୟଣିକ ଭଙ୍ଗୀର ଗଣେଶ ପ୍ରତିମା, ମୟୂରାସନରେ ଥିବା କାର୍ତ୍ତିକେୟ, ମହିଷାମର୍ଦ୍ଦିନୀ ଦୁର୍ଗା, ସପ୍ତଫେଣା ବିଶିଷ୍ଟ ନାଗକନ୍ୟା ମନୀଷା, ଅଳସ କନ୍ୟା ଓ ନର୍ତ୍ତକୀ ଶୋଭିତ ଏକ ବିଶାଳ ପ୍ରସ୍ତର ଖଣ୍ଡ, ବୃଷଭ, ଦେଉଳଚାରିଣୀ ମୂର୍ତ୍ତି ଉଲ୍ଲେଖଯୋଗ୍ୟ। ଏହାସହ ତାମ୍ର ନିର୍ମିତ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ ଭଗବାନ ଶିବଙ୍କର ଏକ ସୁନ୍ଦର ମୁଖା ମଧ୍ୟ ମିଳିଛି। ମୁଖାଟିକୁ ବାଦ୍‌ ଦେଲେ ପ୍ରସ୍ତରନିର୍ମିତ ଅନ୍ୟ ସମସ୍ତ କୀର୍ତ୍ତିରାଜିର ଆନୁମାନିକ ନିର୍ମାଣ ସମୟ ୮ମରୁ ୧୨ଦଶ ଶତାବ୍ଦୀ ମଧ୍ୟରେ ହୋଇପାରେ ବୋଲି ଶ୍ରୀ ନାୟକ କହିଛନ୍ତି। ଏହି ଅନୁସନ୍ଧାନକାରୀ ଦଳରେ ସଂରକ୍ଷଣ ସ୍ଥପତି ଆଲୌକିକା ମହାନ୍ତି, ଦଳର ଅନ୍ୟ ସଦସ୍ୟ ଶୁଭାଶିଷ ଦାଶ, ସୁମନ ପ୍ରକାଶ ସ୍ୱାଇଁ ଓ ସୀତାକାନ୍ତ ମିଶ୍ର ମଧ୍ୟ ସାମିଲ ଥିଲେ।

ଉଲ୍ଲେଖଯୋଗ୍ୟ ଯେ ଏହି ଅନୁସନ୍ଧାନକାରୀ ଦଳ କିଛି ଦିନ ପୂର୍ବେ ଲାଉଡଙ୍କିରୁ ପ୍ରାୟ ୨ କିଲୋମିଟର ଦୂର ବୀରପୁରୁଷୋତ୍ତମପୁର ଗ୍ରାମରୁ ‘ଗୁପ୍ତ’ ସାମ୍ରାଜ୍ୟ କାଳର ଏକ ପୁରାତନ ମନ୍ଦିର ଠାବ କରିଥିଲେ।

ସମ୍ବନ୍ଧିତ ଖବର