ବିଜେଡି ଶିବିରରେ ନୈରାଶ୍ୟ ଓ ଭୟର ବାତାବରଣ: ଅପରାଜିତା

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗର କଡ଼ା ଜବାବ ଦେଲେ

ଭୁବନେଶ୍ବର: ଆଜି ପୁଣି ଭୁବନେଶ୍ବର ସାଂସଦ ତଥା ଚଳିତ ଥରର ବିଜେପି ଲୋକସଭା ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ୍‌ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସଭାମଞ୍ଚ ଉପରୁ ଅପରାଜିତାଙ୍କୁ ଲକ୍ଷ୍ୟକରି କରି ଭୁବନେଶ୍ବର ସାଂସଦ ପୁରୀ ଓ ଲିଙ୍ଗରାଜ ମନ୍ଦିର କାମ ବନ୍ଦ କରିବାକୁ ଚେଷ୍ଟା କରିଥିଲେ ବୋଲି ଅଭିଯୋଗ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ଏହାର କଡ଼ା ଜବାବ ରଖିଛନ୍ତି ଅପରାଜିତା। ସେ କହିଛନ୍ତି, ‘‘୨୪ ବର୍ଷର ମୁଖ୍ୟମନ୍ତ୍ରୀ ଭିଡ଼ିଓ ବାର୍ତ୍ତା ଦେଇ ସାମାନ୍ୟ ଓ ସାଧାରଣ, ଜଣେ ପ୍ରଥମ ଥର ସାଂସଦଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି। ଏହାଠାରୁ ହାସ୍ୟାସ୍ପଦ କଥା ଆଉ କ’ଣ ହୋଇପାରେ। ସେ ବହୁତ ବିବ୍ରତ ହୋଇଗଲେଣି। କେଉଁଠି ନା କେଉଁଠି ବିଜେଡି ଶିବିରରେ ବହୁତ ନୈରାଶ୍ୟ ଓ ଭୟର ବାତାବରଣ ଅଛି।

ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗର କଡ଼ା ଜବାବ ଦେଲେ
ବିତର୍କ ପାଇଁ ପୁଣି ଆହ୍ବାନ

ସେଥିପାଇଁ ଜଣେ ମୁଖ୍ୟମନ୍ତ୍ରୀ କେତେ ସମୟ ଦେଇଥିବେ ଭିଡ଼ିଓ ତିଆରି କରିବା ପାଇଁ ଚିନ୍ତା କରନ୍ତୁ! ତା’ଙ୍କ ପାଇଁ ସ୍ପ୍ରିପ୍ଟ ଲେଖା ହୋଇଥିବ, ରିହରସାଲ୍‌ କରିଥିବେ, ଟେକ୍‌ ଓ ରିକେଟ୍‌ ହୋଇଥିବ। ମୁଁ ଗତକାଲି କହିଥିଲି ଓ ଆଜି ବି କହିବି, ମୁଁ ଆଦରଣୀୟ ମୁଖ୍ୟମନ୍ତ୍ରୀଙ୍କୁ ଭୁବନେଶ୍ବର ସଂସଦୀୟ କ୍ଷେତ୍ରରେ ଗତ ୫ ବର୍ଷରେ ହୋଇଥିବା କାମ ବିଷୟରେ ଡିବେଟ୍‌ ପାଇଁ ଡାକିଛି। ତର୍କ ହେଉ କି ବିତର୍କ ହେଉ। ମୁଁ ମୁଖ୍ୟମନ୍ତ୍ରୀଙ୍କୁ ତାରିଖ, ସ୍ଥାନ ଓ ସମୟ ମାଗିଛି। ଏପର୍ଯ୍ୟନ୍ତ ୨୪ ଘଣ୍ଟା ବିତି ଗଲାଣି। ‌ହେଲେ ମାନନୀୟ ମୁଖ୍ୟମନ୍ତ୍ରୀ କୌଣସି ପ୍ରକାର ନୋଟିସ୍‌ ମତେ ଦେଇ ନାହାନ୍ତି। ମୁଁ ଅପେକ୍ଷାରେ ଅଛି ତାଙ୍କ ସହ ମୋର ଡିବେଟ୍‌ ହେବ। ଆଉ ମୁଁ ସ୍ପଷ୍ଟ କରି କହିଛି, ମୁଁ ଲିଙ୍ଗରାଜ କାମ ବନ୍ଦ କରିନାହିଁ। ଯଦି କୌଣସି ପ୍ରମାଣ ଅଛି, ତେବେ ୪୮ ଘଣ୍ଟା କିମ୍ବା ୭୨ ଘଣ୍ଟା ଭିତରେ ଦେଖାନ୍ତୁ।’’

ସମ୍ବନ୍ଧିତ ଖବର