ଭୁବନେଶ୍ୱର : ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଭୁବନେଶ୍ବର ସମେତ ସାରା ରାଜ୍ୟରେ କାର୍ଯ୍ୟକ୍ରମ କରାଯାଇ ଜାତିର ପିତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ମଧୁସୂଦନ ପାଢ଼ୀଙ୍କ ଦିଗଦର୍ଶନ ଓ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସଙ୍କ ତତ୍ତ୍ବାବଧାନରେ ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହାତକୁ ନିଆଯାଇ ପୂଜ୍ୟପୂଜା ପରମ୍ପରା ବିକଶିତ କରାଯାଇଛି। ଆଜି ସକାଳେ ମହାତ୍ମା ଗାନ୍ଧୀ ପାର୍କରେ ଜାତିର ପିତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ପ୍ରଦୀପ ପ୍ରଜ୍ବଳନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଏହି ଅବସରରେ ରାମଧୁନ ଓ ଗାନ୍ଧୀଜୀଙ୍କ ପ୍ରିୟ ଭଜନ ଗାନ କରାଯାଇଥିଲା। ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଉପ ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ର, ଦେବାନନ୍ଦ ବରିହା, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ସଚିବ ପ୍ରବୋଧ ରଥ, ଉପସଭାପତି ମନ୍ମଥ ଶତପଥୀ, ଅନୁଶାସନ ସଚିବ ଲଷ୍ମୀଧର ବେହେରା, ଶୁଭସ୍ମିତା ପ୍ରଧାନ ଓ ବିଭାଗୀୟ ଅଧିକାରୀମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସନ୍ଧ୍ୟାରେ ସର୍ବଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଗାନ୍ଧୀବାଦୀ, ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କୁ ସମ୍ମାନିତ କରାଯାଇଥିଲା।
ରାଜ୍ୟ ଗ୍ରନ୍ଥାଗାରରେ ସ୍ବତନ୍ତ୍ର ପୁସ୍ତକ ପ୍ରଦର୍ଶନୀ
ଭୁବନେଶ୍ବର : ଜାତିର ପିତା ମହାତ୍ମାଗାନ୍ଧୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ଓ ସହିଦ ଦିବସ ପାଳନ ଅବସରରେ ଆଜି ହରେକୃଷ୍ଣ ମହତାବ ରାଜ୍ୟ ଗ୍ରନ୍ଥାଗାରରେ ମହାତ୍ମାଗାନ୍ଧୀଙ୍କ ରଚିତ ପୁସ୍ତକ ଓ ଗାନ୍ଧୀଜୀଙ୍କ ଉପରେ ଲିଖିତ ସ୍ବତନ୍ତ୍ର ପୁସ୍ତକ ପ୍ରଦର୍ଶନୀ କରାଯାଇଥିଲା। ଏହାକୁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ଆଗାମୀ ଦିନରେ ଗ୍ରନ୍ଥାଗାର ତରଫରୁ ବିଭିନ୍ନ ବରପୁତ୍ରଙ୍କ ଜୟନ୍ତୀ ଓ ଶ୍ରାଦ୍ଧୋତ୍ସବ ସହ ଜାତୀୟ ଦିବସରେ ସ୍ବତନ୍ତ୍ର ପୁସ୍ତକ ପ୍ରଦର୍ଶନୀ ଆୟୋଜନ କରାଯିବ। ରାଜ୍ୟ ଗ୍ରନ୍ଥାଗାରକୁ ଏକ ମଡେଲ ଗ୍ରନ୍ଥାଗାରରେ ପରିଣତ କରି ପାଠକ ସେବା ଓ ଗବେଷଣା ଭିତ୍ତିଭୂମି ଉନ୍ନୟନ କରାଯିବ। ଉପନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ର, ଅନୁସଚିବ ଶୁଭସ୍ମିତା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ପାଠାଗାରର ଗ୍ରନ୍ଥାଗାରିକ ଓ ସମସ୍ତ କର୍ମଚାରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଏହି ଅବସରରେ ଗ୍ରନ୍ଥାଗାରର କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ବିଭାଗୀୟ ଅନୁଶାସନ ସଚିବ ଲକ୍ଷ୍ମୀଧର ବେହେରା ଧନ୍ୟବାଦ ଦେଇଥିଲେ।
ଗାନ୍ଧୀଜୀଙ୍କ ଉପରେ ଲିଖିତ ଇଂରାଜୀ ପୁସ୍ତକ ଉନ୍ମୋଚିତ
ଭୁବନେଶ୍ବର, ୩୦।୧ (ଇମିସ): ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ଅବସରରେ ଗାନ୍ଧୀଜୀଙ୍କ ଉପରେ ଲିଖିତ ଏକ ଇଂରାଜୀ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। ପ୍ରଫେସର୍ ନିରଞ୍ଜନ ପାଣି ଓ ଡ. ଦେବାଶିଷ ଭୂୟାଁଙ୍କ ଦ୍ବାରା ଲିଖିତ ଏହି ପୁସ୍ତକ ‘ଗାନ୍ଧୀଜୀ ଲିଡର୍ସିପ୍ ଷ୍ଟାଇଲ୍ ଆଣ୍ଡ ମ୍ୟାନେଜ୍ମେଣ୍ଟ ଟେକ୍ନିକ୍ସ’କୁ ଆଜି ରାଜଭବନଠାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉନ୍ମୋଚନ କରିଥିଲେ। ଗାନ୍ଧୀଜୀଙ୍କ ଆଦର୍ଶ, ଅହିଂସାର ବର୍ତ୍ତମାନ ସମୟରେ ପ୍ରାସଙ୍ଗିକତା ଉପରେ ପୁସ୍ତକରେ ଅବତାରଣା କରାଯାଇଛି। ନୂଆଦିଲ୍ଲୀସ୍ଥିତ ଏନ୍.ବି ପବ୍ଲିକେସନ୍ ଦ୍ବାରା ଏହା ପ୍ରକାଶିତ ହୋଇଛି।