ରେଡିଓ ଚକଲେଟ୍‌ ପକ୍ଷରୁ ‘ଆନ୍‌ ଇଭିନିଂ ୱିଥ୍‌ କୃଷ୍ଣା ଅଭିଷେକ’

ଭୁବନେଶ୍ବର: ‘‘ଢୋଲ୍‌ ଔର୍‌ ତବଲା ତୋ କୋଇ ଭି ବଜା ସକ୍‌ତା ହୈ, ଲେକିନ୍‌ ବାଁସୁରୀ ତବ୍‌ ଖୁସ୍‌ ହୋ‌ତି ହୈ … ଜବ୍‌ ଉସେ ସାମ୍‌ ବଜାତା ହୈ ।’’ ‘ଓ ପୁଷ୍ପା ଆଇ ହେଟ୍‌ ଟିଅର୍ସ’ ଚଳଚ୍ଚିତ୍ରର ଶ୍ୟାମ୍‌ ଅର୍ଥାତ୍‌ କୃଷ୍ଣା ଅଭିଷେକଙ୍କ ମୁହଁରୁ ଏହି ସଂଳାପ ଶୁଣି ମଲ୍‌ ପରିସର କରତାଳିରେ ଫାଟି ପଡ଼ିଥିଲା। ଓଡ଼ିଆ ପ୍ରଯୋଜକ ଅମୂଲ୍ୟ ଦା‌ସଙ୍କ ପ୍ରଯୋଜିତ ଚଳଚ୍ଚିତ୍ର ‘ଓ ପୁଷ୍ପା ଆଇ ହେଟ୍‌ ଟିଅର୍ସ’ର ପ୍ରମୋସନ୍‌ ପାଇଁ ମୁଖ୍ୟ ଅଭିନେତା କୃଷ୍ଣା ଅଭିଷେକଙ୍କ ସମେତ ଅନ୍ୟ କଳାକାରମାନେ ଆଜି ଭୁବ‌ନେଶ୍ବରରେ ପହଞ୍ଚିଛନ୍ତି। ଏହି ଅବସରରେ ରେଡିଓ ଚକଲେଟ୍‌ ୧୦୪ ଏଫଏମ୍‌ ପକ୍ଷରୁ ଏସ୍‌ପ୍ଲାନେଡ୍‌-ୱାନ୍‌ ମଲ୍‌ ପରିସରରେ ଆୟୋଜିତ ହୋଇଥିଲା ‘ଆନ୍‌ ଇଭିନିଂ ୱିଥ୍‌ କୃଷ୍ଣା ଅଭିଷେକ’। ଚଳଚ୍ଚିତ୍ରର ନାୟକ ଶ୍ୟାମ୍‌ ଅର୍ଥାତ୍‌ କୃଷ୍ଣା ଅଭିଷେକଙ୍କ ଦମ୍‌ଦାର୍‌ ସଂଳାପ ଓ କମେଡି ତଡ୍‌କା ସହ ଚଳଚ୍ଚିତ୍ରର ମୁଖ୍ୟ ନାୟିକା ପୁଷ୍ପା ବା ଅର୍ଜୁମ୍ମନ ମୁଗଲଙ୍କ ସାଏରି ଦର୍ଶକଙ୍କୁ ଆମୋଦିତ କରିଥିଲା। ଆସନ୍ତା ୨୮ ତାରିଖ ଦିନ ମୁକ୍ତିଲାଭ କରିବାକୁ ଯାଉଥିବା ଏହି ଚଳଚ୍ଚିତ୍ରଟିକୁ ସମସ୍ତେ ଦେଖିବା ପାଇଁ ଉଭୟ ଅନୁରୋଧ କରିଥିଲେ। କାର୍ଯ୍ୟକ୍ରମରେ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଦିନ୍‌କର୍‌ କପୁର, ପ୍ରଯୋଜକ ଅମୂଲ୍ୟ ଦାସ, ଅଭିନେତା କାର୍ତ୍ତିକ ଜୟରାମ ଓ ଅଭିନେତ୍ରୀ ଅନୁସ୍ମୃତି ସରକାର ପ୍ରମୁଖ ଉପସ୍ଥିତ ଥିଲେ।

ଏହି ଅବସରରେ ରେଡିଓ ଚକ୍‌ଲେଟ୍‌ ପକ୍ଷରୁ ପ୍ରସ୍ତୁତ କ୍ରିଷ୍ଣାଙ୍କ ଉପରେ ଏକ ଛୋଟ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। ସେହିପରି ଏସ୍‌ପ୍ଲାନେଡ୍‌-ୱାନ୍‌ ମଲ୍‌ ପକ୍ଷରୁ ଏହାର ମାର୍କେଟିଂ ମୁଖ୍ୟ ଶ୍ୟାମା ଝା ସମସ୍ତ କଳାକାରଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଷ୍ଟାର-ପ୍ଲସ୍‌ରେ ପ୍ରସାରିତ ରିଅଲିଟି ସୋ’ ‘‌ମାଷ୍ଟର ସେଫ୍‌’ରେ ୪ର୍ଥ ନମ୍ବର ଫାଇନାଲିଷ୍ଟ ଓଡ଼ିଆ ପୁଅ ଅବିନାଶ ନାୟକଙ୍କୁ ମଧ୍ୟ ସମ୍ବର୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମ ପ୍ରାରମ୍ଭରୁ କଣ୍ଠଶିଳ୍ପୀ ସତ୍ୟଜିତ୍‌ ପ୍ରଧାନ ଓ ଚେଲ୍‌ସି ବେଉରା ନିଜ କଣ୍ଠର ଯାଦୁରେ ଦର୍ଶକଙ୍କୁ ବିମୋହିତ କରିଥିଲେ। ଏହି ଅବସରରେ ଆୟୋଜିତ ଏକ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମର ବିଜେତାଙ୍କୁ କୃଷ୍ଣା ଆକର୍ଷଣୀୟ ଉପହାର ପ୍ରଦାନ କରିଥିଲେ। ଦର୍ଶକ ବି ତାଙ୍କ ସହ ସେଲ୍‌ଫିଟିଏ ନେବାର ଅବକାଶକୁ ହାତଛଡ଼ା କରି ନଥିଲେ। ଆର୍‌.‌ଜେ କୋମଲ୍‌ ଓ ଆର୍‌.ଜେ ଅନୀଲ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। ଆ‌ର୍‌.ଜେ ସଂଗ୍ରାମଙ୍କ ସମେତ ସମ୍ପୂର୍ଣ୍ଣ ରେଡିଓ ଚ‌କ୍‌ଲେଟ୍‌ ଟିମ୍‌ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ରେଡିଓ ଚକ୍‌ଲେଟ୍‌ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ରିତ୍ବିକା ଜୁଏଲର୍ସ, ଭାଏଗୋ ଓ କନକ ମହାଲକ୍ଷ୍ମୀ ଜୁଏଲର୍ସ ପ୍ରାୟୋଜକ ଥିଲେ।

ଭୁବନେଶ୍ବରରେ ‘ପୁଷ୍ପା ଆଇ ହେଟ୍‌ ଟିଅର୍ସ’ ଫିଲ୍ମ କଳାକାର
ଭୁବନେଶ୍ବର: ଆସନ୍ତା ୨୮ତାରିଖରେ ମୁକ୍ତିଲାଭ କରିବାକୁ ଯାଉଛି ଓଡ଼ିଆ ପ୍ରଯୋଜକ ଅମୂଲ୍ୟ କୁମାର ଦାସଙ୍କ ପ୍ରଯୋଜିତ ହିନ୍ଦୀ ଚଳଚ୍ଚିତ୍ର ‘ପୁଷ୍ପା ଆଇ ହେଟ୍‌ ଟିଅର୍ସ’। ଏଥିରେ ବଲିଉଡ୍‌ ତାରକା କୃଷ୍ଣା ଅଭିଷେକ, କନ୍ନଡ଼ ସୁପରଷ୍ଟାର୍‌ କାର୍ତିକ ଜୟରାମ, ଅର୍ଜୁମ୍ମନ ମୁଗଲ, ଅନୁସ୍ମୃତି ସରକାର ପ୍ରମୁଖ ଭୂମିକାରେ ଅଭିନୟ କରୁଥିବା ବେଳେ ଆଜି ଏ ସମସ୍ତ କଳାକାର ପ୍ରେସିଡେନ୍ସି ହୋଟେଲ୍‌ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଚଳଚ୍ଚିତ୍ର ଦେଖିବା ପାଇଁ ନିବେଦନ କରିଛନ୍ତି। ଏହି ଫିଲ୍ମର ଶୀର୍ଷକ ରାଜେଶ ଖାନ୍ନାଙ୍କ ଅଭିନୀତ ଫିଲ୍ମ ‘ଅମର ପ୍ରେମ’ର ଏକ ସଂଳାପରୁ ଆସିଥିବା ବେଳେ ଫିଲ୍ମରେ ରୋମାନ୍ସ, ଥ୍ରିଲର ଓ କମେଡି ସବୁକିଛି ଦେଖିବାକୁ ମିଳିବ ବୋଲି କୃଷ୍ଣା କହିଛନ୍ତି। ଫିଲ୍ମ @୫୦ ବ୍ୟାନରରେ ନିର୍ମିତ ଏହି ଚଳଚ୍ଚିତ୍ର ଭାରତର ୪ଶହ ସିନେମା ହଲ୍‌ରେ ହିନ୍ଦୀ ଓ କର୍ଣ୍ଣାଟକରେ ୬୦ଟି ସିନେମା ହଲ୍‌ରେ କନ୍ନଡ଼ରେ ମୁକ୍ତିଲାଭ କରୁଛି।

ଓଡ଼ିଶାର ହସ୍ତଶିଳ୍ପ ବହୁତ ବଢ଼ିଆ: କୃଷ୍ଣା
କେବେ ସେ ନାଚ ବଲିୟେରେ ନୃତ୍ୟର ଜଲ୍‌ୱା ଦେଖାଇଛନ୍ତି ତ ଆଉ କେବେ କମେଡି ସର୍କସ୍‌ରେ ହସାଇ ହସାଇ ବେଦମ୍‌ କରିଛନ୍ତି। ବଡ଼ ପରଦାରେ ବୋଲ ବଚ୍ଚନ’ ଓ ‘ଏଣ୍ଟରଟେନମେଣ୍ଟ’ରେ ଦର୍ଶକଙ୍କ ମନ ଜିଣିଥିଲେ ହେଁ ଛୋଟ ପରଦାରେ ସେ ଘରେ ଘରେ ନିଜକୁ ପରିଚିତ କରାଇପାରିଥିବା ବଲିଉଡ୍‌ର ଏହି ଅଭିନେତାଜଣକ ହେଉଛନ୍ତି କୃଷ୍ଣା ଅଭିଷେକ ତଥା କ୍ରିଷ୍ଣା। ଅନେକ ହିନ୍ଦୀ, ଭୋଜପୁରୀ, ଗୁଜରାତୀ, ତାମିଲ ଓ ମରାଠୀ ଚଳଚ୍ଚିତ୍ରରେ ଅଭିନ‌ୟ କରିଥିଲେ ହେଁ ଏବେ କପିଲ ଶର୍ମା ସୋ’ରେ ମହିଳା ଭୂମିକାରେ ତାଙ୍କର ଯାଦୁକରୀ କମେଡ଼ି ଢେର୍‌ ଲୋକପ୍ରିୟ କରାଇପାରିଛି। ଆସନ୍ତା ୨୮ତାରିଖରେ ମୁକ୍ତିଲାଭ କରୁଥିବା ତାଙ୍କର ହିନ୍ଦୀ ଚଳଚ୍ଚିତ୍ର ‘ଓ ପୁଷ୍ପା ଆଇ ହେଟ୍‌ ଟିୟର୍ସ’ର ପ୍ରମୋସନ୍‌ ପାଇଁ ଆସିଥିବା ବେଳେ ତାଙ୍କ ସହ ଗପସପରୁ କିଛି…
ଆପଣଙ୍କର ଅଭିନୟ ଦୁନିଆରେ ସବୁଠୁ ବଡ଼ ପ୍ରେରଣା କିଏ?
ନିଶ୍ଚିତ ଭାବେ ମୋ ମାମୁଁ ଗୋବିନ୍ଦା ହିଁ ମୋ’ର ସବୁଠୁ ବଡ଼ ପ୍ରେରଣା। ଯେତେବେ‌ଳେ ମୁଁ ନାଚେ କିମ୍ବା ଅଭିନୟ କରେ, ତାଙ୍କର ଝଲକ ମୋ’ଠାରେ ଦେଖିବାକୁ ମିଳେ। ଏହା ମୁଁ ଜାଣିଶୁଣି କରେନାହିଁ। ବରଂ ଏହା ମୋ ରକ୍ତରେ ଅଛି।
ଆପଣ ଭାବୁଛନ୍ତି କି ଆପଣଙ୍କୁ ବୋଲ ବଚ୍ଚନ ସଦୃଶ ଚଳଚ୍ଚିତ୍ର ମିଳିପାରିନି, ଯେଉଁଥିପାଇଁ ଆପଣ ଛୋଟ ପରଦାକୁ ମୁହାଇଁଛନ୍ତି?
ହୋଇପାରେ କିନ୍ତୁ ମୁଁ ସେମିତି କିଛି ଚିନ୍ତା କରିନାହିଁ। ବରଂ ମତେ ଯେତେବେଳେ ଯେଉଁଠି ବ୍ରେକ ମିଳିଛି ସେଠାରେ ମୁଁ ମୋ ନିଜକୁ ପ୍ରମାଣିତ କରିବାକୁ ଚେଷ୍ଟା କରିଛି।
ଆପଣ ବିଗବସ୍‌ ଘରକୁ ଯାଇଥିଲେ। ବିଗବସ୍‌-୧୪ରେ ଆପଣଙ୍କ ଦେଖିବାକୁ ମିଳିବ କି?
କେବେ ବି ନୁହେଁ। କାରଣ ମୋ ଭଉଣୀ ଆରତିକୁ ପଠାଇଥି‌ଲି। ସେଠାରେ ଯାହା ଦେଖିଲି, ବହୁତ କଷ୍ଟଦାୟକ ଅନୁଭବ। ତେଣୁ ସେଠାକୁ ଯିବାର ପ୍ରଶ୍ନ ଉଠୁନାହିଁ।
ଆପଣ କପିଲ ଶର୍ମା ସୋ’ରେ ମହିଳା ଭୂମିକା କିପରି ନିଭାଇ ପାରୁଛନ୍ତି?
ଜଣେ ପୁରୁଷ ମହିଳା ଭୂମିକାରେ ଅଭିନୟ କରିବା ନିଶ୍ଚିତ ଏକ ଆହ୍ବାନ। ଏହାକୁ ମୁଁ ମୋ ପାରୁ ପର୍ଯ୍ୟନ୍ତ ମନୋରଂଜନଧର୍ମୀ କରିବାକୁ ଚେଷ୍ଟା କରିଛି। କପିଲ ଓ ଆମ ଟିମ୍‌ ବସି ଯେତେବେଳେ ବି ବସି ସ୍କ୍ରିପ୍ଟ କରିଛୁ ଯଦି ସ୍କ୍ରିପ୍ଟରେ ସେମିତି କିଛି ଦ୍ବିଅର୍ଥବୋଧକ ଅନୁଭବ ହୋଇଛି ଆମେ ତାହା ବାଦ୍‌ ଦେଇଛୁ।
ଓଡ଼ିଆ ଫିଲ୍ମ କରିବାକୁ ଚାହିଁବେ କି?
ମୁଁ ପ୍ରସ୍ତୁତ ଅଛି, ଯଦି କେହି ଓଡ଼ିଆ ପ୍ରଯୋଜକ ମତେ ସୁଯୋଗ ଦିଅନ୍ତି, ମୁଁ ନିଶ୍ଚିତ କରିବି।
ଓଡ଼ିଶା ସମ୍ପର୍କରେ କ’ଣ କହିବେ?
ଓଡ଼ିଶାକୁ ମୁଁ ୬-୭ ଥର ଆସିଛି। ଲୋକେ ବହୁତ ଭଲ ପାଇବା ଦେଇଛନ୍ତି। ପିପିଲି, ଜଗନ୍ନାଥ ମନ୍ଦିର, ହସ୍ତଶିଳ୍ପ ‌ମତେ ବହୁତ ଭଲ ଲାଗିଛି।

ସମ୍ବନ୍ଧିତ ଖବର