ଭୁବନେଶ୍ବର: ଭଞ୍ଜକଳାମଣ୍ଡପ ସମ୍ମୁଖରେ ଆଦିକବି ସାରଳା ଦାସ, ଅତିବଡ଼ୀ ଜଗନ୍ନାଥ ଦାସ ଓ ଭକ୍ତକବି ବଳରାମ ଦାସ ପ୍ରତିମୂର୍ତ୍ତି ରହିଛି। ହେଲେ ଏହି ତିନି ମହାପୁରୁଷଙ୍କ ପ୍ରତିମୂର୍ତ୍ତିକୁ ଯାଥାଚିତ ସମ୍ମାନ ଦିଆଯାଉନାହିଁ। ଏବେ ନିତିଦିନ ବର୍ଷା ସତ୍ତ୍ବେ ପ୍ରତିମୂର୍ତ୍ତି ଦେହରେ ମଇଳା ଜମି ରହିଛି। ବେକରେ କେଉଁ ଦିନରୁ ଝୁଲୁଛି ଶୁଖିଲା ଫୁଲମାଳ। ଆଦିକବି ସାରଳା ଦାସଙ୍କ ପ୍ରତିମୂର୍ତ୍ତି ପିଣ୍ଡି ଉପରେ ଘାସ ଉଠିଗଲାଣି। ଏହି ତିନି ପ୍ରତିମୂର୍ତ୍ତି ପରିସର ମଧ୍ୟ ସଫା ହେଉନାହିଁ। ଆଣୁଏ ଉଚ୍ଚର ଅନାବନା ଗଛ ମାଡ଼ିଗଲାଣି। ଭଞ୍ଜକଳାମଣ୍ଡପ ପରିସର ଅପରିଷ୍କାର ହୋଇପଡ଼ିଛି। 

Advertisment

ପ୍ରବେଶପଥର ବାମପାର୍ଶ୍ବରେ ଅଳିଆ ଆବର୍ଜନା ଭର୍ତ୍ତି ହୋଇଛି। ଭଞ୍ଜକଳାମଣ୍ଡପକୁ ସଙ୍କୁଚିତ କରିବା ପାଇଁ କିଛିଦିନ ତଳେ ପାଚେରି ନିର୍ମାଣ କରାଯାଇଥିଲା। ତେବେ ଏହାକୁ ବିଭିନ୍ନ ମହଲରୁ ବିରୋଧ କରାଯିବା ପରେ ପାଚେରି ନିର୍ମାଣ ବନ୍ଦ ରହିଛି। କିନ୍ତୁ ଏବେ ଏହି ଅଧାଗଢ଼ା ପାଚେରିକୁ କିଛି ସ୍ଥାନରେ ଭାଙ୍ଗି ଦିଆଯାଇଛି। ନିର୍ମାଣ ସାମଗ୍ରୀ ରାସ୍ତାରେ ଗଦା ହୋଇଛି। ଡାହାଣ ପାଖ ପାର୍କିଂସ୍ଥଳକୁ ମଧ୍ୟ ସଫା କରାଯାଉନାହିଁ। ରାତିରେ ଠିକ୍‌ ଭାବେ ଆଲୁଅ ଜଳୁନାହିଁ। ଫଳରେ ନିଶାଡ଼ିମାନେ ଏଠି ଖୋଲା ଖୋଲି ମଦ ପିଉଛନ୍ତି। ଏଥିପ୍ରତି କର୍ତ୍ତୃପକ୍ଷ ଦୃଷ୍ଟି ‌ଦେବାକୁ କଳାକାରମାନେ ଦାବି କରିଛନ୍ତି।