ଭୁବନେଶ୍ବର: ମହାତ୍ମା ଗାନ୍ଧୀଙ୍କ ଓଡ଼ିଶା ଆଗମନର ଶହେ ବର୍ଷ ପୂର୍ତି ଅବସରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ଲଳିତ କଳା ଏକାଡେମି ପକ୍ଷରୁ ରାଜ୍ୟସ୍ତରୀୟ ଏକ ଚିତ୍ରକଳା ଶିବିର ଗତ ୨୩ ତାରିଖରେ ପାନ୍ଥନିବାସ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଶିବିରରେ ୪୦ଜଣ ଚିତ୍ରଶିଳ୍ପୀ ଅଂଶଗ୍ରହଣ କରିଥିଲେ। ଶିବିରରେ ଅଙ୍କିତ ସବୁ ଚିତ୍ରକଳାକୁ ନେଇ ରାଷ୍ଟ୍ରୀୟ ଲଳିତ କଳା ଏକାଡେମିଠାରେ ଆଜି ଏକ ଚିତ୍ରକଳା ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି।

Advertisment

ଏହି ପ୍ରଦର୍ଶନୀରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ବିଭାଗୀୟ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ନିର୍ଦ୍ଦେଶକ ଅରିନ୍ଦମ ଡାକୁଆ, ଏକାଡେମିର ସଭାପତି ସୁଦର୍ଶନ ପଟ୍ଟନାୟକ, ବିଭାଗୀୟ ଯୁଗ୍ମ ଶାସନ ସଚିବ ମନସ୍ବିନୀ ସାହୁ ପ୍ରମୁଖ ଏଥିରେ ଯୋଗ ଦେଇଥିଲେ। ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଶିଳ୍ପୀମାନେ ଏହି ପ୍ରଦର୍ଶନୀରେ ମହାତ୍ମାଙ୍କ ନୀତି, ଆଦର୍ଶ, ଅହିଂସା ଆନ୍ଦୋଳନ ଓ ଓଡ଼ିଶା ଆଗମନ ସମ୍ପର୍କିତ ଚିତ୍ରକଳା ଆଙ୍କିଥିଲେ। ଆଜି ପ୍ରଦର୍ଶନୀ ଅବସରରେ ସମସ୍ତ ଚିତ୍ରଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ଏହି ପ୍ରଦର୍ଶନୀ ଚାଲିବ ବୋଲି କହିଛନ୍ତି ଏକାଡେମିର ସଚିବ ଗଜେନ୍ଦ୍ର ପ୍ରସାଦ ସାହୁ।