ଭୁବନେଶ୍ବର: ବର୍ଷା ହେଲେ ଟ୍ରାଫିକ୍‌ ଜାମ୍‌। ଦେଢ଼ କିଲୋମିଟର ରାସ୍ତାକୁ ଲାଗିବ ଦେଢ଼ରୁ ଦୁଇଘଣ୍ଟା। ରାଜପଥ ହେଉ କି ଜନପଥ, ସବୁଠି ସମାନ ଅବସ୍ଥା। ଫ୍ଲାଏ ଓଭର ଉପରେ ଯେତିକି ପାଣି, ଅଣ୍ଡରପାସ୍‌ରେ ବି ସେତିକି। ମାଛ ଧରା ମୁଗୁରା ଭଳି ବିଏମ୍‌ସି, ଏନ୍‌ଏଚ୍‌ଏଆଇ ଓ ଟ୍ରାଫିକ୍‌ ପୁଲିସ ରାସ୍ତାମଝିରେ ଯନ୍ତା ବସାଇଛନ୍ତି। ଏଥିରେ ଥରେ ପଶି ଗଲେ ଆଉ ବାହାରିବାର ସୁଯୋଗ ନାହିଁ। ଯେତେ ସମୟ ଜାମ୍‌ ସେତେ ସମୟ ଛିଡ଼ା ହୋଇ କଷ୍ଟ ଭୋଗିବାକୁ ପଡ଼ିବ। ଆଜି ଠିକ୍‌ ଏଭଳି ପରିସ୍ଥିତି ହୋଇଥିଲା। ସନ୍ଧ୍ୟାରେ ହୋଇଥିବା ଘଣ୍ଟାଏ ବର୍ଷାରେ ଦୁଇଘଣ୍ଟା ଟ୍ରାଫିକ୍‌ ଜାମ୍‌ ହୋଇଗଲା। ଏହାର କାରଣ ପାଇଁ ଟ୍ରାଫିକ୍‌ ପୁଲିସ ବିଏମ୍‌ସିକୁ ଆଙ୍ଗୁଠି ଦେଖାଉଥିବା ବେଳେ ଏନ୍‌ଏଚ୍‌ଏଆଇ ପୂର୍ତ୍ତ ବିଭାଗକୁ ଆଖି ଦେଖାଉଥିଲା। ଏଭଳି ବିଭାଗମାନେ ପରସ୍ପରକୁ କାଦୁଅ ଫିଙ୍ଗୁଥିବା ବେଳେ ଏମାନଙ୍କ ଷଡ୍‌ଯନ୍ତ୍ରରେ କେବଳ ସାଧାରଣ ଜନତା ଫସି ନଥିଲେ, ବରଂ ରୋଗୀ, ବରିଷ୍ଠ ନାଗରିକ ଆଉ ଗର୍ଭବତୀ ଟ୍ରାଫିକ୍‌ ଯନ୍ତ୍ରଣାରେ ପଡ଼ି ତ୍ରାହୀତ୍ରାହୀ ଡାକିଥିଲେ।

Advertisment

ଆଜି ସନ୍ଧ୍ୟା ୫ଟାରେ ବର୍ଷା ଆରମ୍ଭ ହୋଇଥିଲା। ଘଣ୍ଟାଏ ପର୍ଯ୍ୟନ୍ତ ହୋଇଥିବା ପ୍ରାୟ ୭ ମିମି ବର୍ଷାରେ ବିଏମ୍‌ସିର ୧୦ ବସ୍ତି ଉବୁଟୁବୁ ‌ହୋଇଥିବା ବେଳେ ଜନପଥରୁ ଆରମ୍ଭ କରି ରାଜପଥ ପର୍ଯ୍ୟନ୍ତ ଜଳମଗ୍ନ ହୋଇଯାଇଥିଲା। ଜନପଥରେ ରାଜମହଲରୁ ମାଷ୍ଟର କ୍ୟାଣ୍ଟିନ୍‌ ପର୍ଯ୍ୟନ୍ତ ପାଣି ସୁଅ ପଡ଼ିଥିଲା। ଶ୍ରୀୟା ଛକ ମଧ୍ୟ ଭାସିଥିଲା। ଇସ୍କନ ସାମ୍ନାରେ ଅଣ୍ଟାଏ ପାଣି ଜମିଥିବା ବେଳେ ଜୟଦେବବିହାରରେ ମଧ୍ୟ ସୁଅ ପଡ଼ିଥିଲା। ଏଥିରୁ ବାଦ୍‌ ପଡ଼ି ନଥିଲା ଫ୍ଲାଏ ଓଭର ବ୍ରିଜ୍‌। ସିଆରପିରୁ ଜୟଦେବବିହାର ଫ୍ଲାଏ ଓଭରରେ ଆଣ୍ଠୁଏ ପାଣି ଜମିଥିଲା। ବମିଖାଲ ଆରଓବି ଉପରେ ପାଣି ଜମି ରହିଥିବା ବେଳେ କଟକ ରୋଡ୍‌ର ଗୋଟିଏ ପାର୍ଶ୍ବ ଓ ବମିଖାଲରେ ଆଣ୍ଠୁଏ ପାଣି ଲହଡ଼ା ମାରୁଥିଲା। ଇସ୍କନ ସାମ୍ନାରେ ପାଣି ଜମିଥିବାରୁ କୌଣସି ଗାଡ଼ି ତଳେ ନ ଯାଇ ସବୁ ଏନ୍‌ଏଚ୍‌ ଉପରେ ଯାଇଥିଲେ। ରସୁଲଗଡ଼ଛକରୁ ଗାଡ଼ିଗୁଡ଼ିକ ପଳାସୁଣିରେ ଜାତୀୟ ରାଜପଥ ଉପରକୁ ଚଢ଼ୁଥିବାରୁ ରସୁଲଗଡ଼ ଫ୍ଲାଏ ଓଭରରୁ ଗାଡ଼ି ତଳକୁ ଖସୁଥିଲେ। ଟ୍ରାଫିକ୍‌ ପୁଲିସ ନଥିବାରୁ ଟ୍ରାଫିକ୍‌ ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିଲା। ଗାଡ଼ି ଚଳାଚଳ ଠପ୍‌ ହୋଇଯାଇଥିଲା। ସେହିଭଳି ବମିଖାଲ ରେଳ ଓଭର ବ୍ରିଜ୍‌(ଆରଓବି) ଉପରେ ଅଚଳାବସ୍ଥା ହୋଇଥିଲା। ବାଣୀବିହାର ନିକଟରେ ରାଜପଥ ଜାମ୍‌ ହୋଇଥିବା ଖବର ପ୍ରଚାରିତ ହେବା ପରେ ଜନପଥର ଆଇଡିବିଆଇ ଛକରୁ ପ୍ରାୟ ସମସ୍ତ ଗାଡ଼ି ଏହି ଓଭରବ୍ରିଜ୍‌ ଦେଇ ରସୁଲଗଡ଼ ଯିବାକୁ ଚାହିଲେ। ତଳେ ପାଣି ହୋଇଥିବାରୁ କଟକ ରୋଡ୍‌ରୁ ରସୁଲଗଡ଼ ଯାଉଥିବା ଗାଡ଼ି ସବୁ ଏହି ଆରଓବି ଚଢ଼ିଗଲେ। ଏଣେ ବମିଖାଲରୁ ପଳାସୁଣି ଆଡ଼କୁ ଯିବାକୁ ଚାହୁଥିବା ଗାଡ଼ି, ବାଣୀବିହାରରୁ ପଳାସୁଣି ଆଡ଼କୁ ଯିବାକୁ ଚାହୁଥିବା ଗାଡ଼ି ରସୁଲଗଡ଼ ଛକରେ ମୁହାଁମୁହିଁ ହେଲେ। ଟ୍ରାଫିକ୍‌ ପୁଲିସ ହାତ ଟେକି ଦେବାରୁ ବ୍ରିଜ୍‌ ଉପରେ ଗାଡ଼ି ସବୁ ଛିଡ଼ା ହୋଇ ରହିଲେ। ରସୁଲଗଡ଼ରୁ କଳ୍ପନା ପର୍ଯ୍ୟନ୍ତ ଆଣ୍ଠୁଏ ପାଣିରେ ଗାଡ଼ି ଛିଡ଼ା ହୋଇ ରହିଥିଲା। ଭିଡ଼ ନିୟନ୍ତ୍ରଣ କରିବାକୁ ଆସିଥିବା ପିସିଆର ଭ୍ୟାନ୍‌( ଓଡି ୦୨ ବିଇ ୭୬୩୦) ବମିଖାଲ ଆରଓବି ଉପରେ ଫସି ଯାଇଥିଲା।

କୋଳଥିଆ ମୁଖ୍ୟ ରାସ୍ତାରେ ଅଣ୍ଟାଏ ଉଚ୍ଚର ପାଣି ଜମା ହୋଇଥିବା ବେଳେ ଫୁଲେଶ୍ବରୀ ବସ୍ତିରେ ୨୦୦ରୁ ଅଧିକ ପରିବାର ପାଣି ଘେରରେ ରହିଥିଲେ। ଅଧିକାଂଶଙ୍କ ଘରେ ପାଣି ଲହଡ଼ି ମାରୁଥିଲା‌। ଶ୍ୟାମପୁର ସାଇନଗର ଅଞ୍ଚଳ, ନୂଆପଲ୍ଲୀ, କସ୍ମୋପଲିସ୍‌ ଛକ, ଆଇଗିଣିଆ ନୂଆ ଭେଣ୍ଡିଙ୍ଗ୍‌ ଜୋନ୍‌, ଡୁମୁଡୁମା ଫେଜ୍‌ ୪, ମଲ୍ଲିକ କମ୍ଲେକ୍ସ, କ୍ରିଷ୍ଣ‌ା ଗ୍ରିନ୍‌-୧, ୨, ୩, ସ୍ବାଧୀନନଗର, ବରମୁଣ୍ଡା ତଳସାହି, ଏକାମ୍ର ଭିଲ୍ଲା ପ୍ରାଇଭେଟ୍‌ ଅଞ୍ଚଳ, ପାତ୍ରପଡ଼ା ଭଳି ବହୁ ସ୍ଥାନରେ ଲୋକଙ୍କ ଘରେ ପାଣି ପସି ଯାଇଥିଲା। ହାତିଆସୁଣି ବସ୍ତି, ହଂସପାଳ ଭୋଇ ସାହି, ବରମୁଣ୍ଡା ନୀଳକଣ୍ଠେଶ୍ବର ମନ୍ଦିର, ପାନବରଜ ବସ୍ତି, ଗ୍ୟାରେଜ୍‌ ଛକ ସାଇ ମନ୍ଦିର ନିକଟ, ଦେବାସ ଲେନ୍‌‌ରେ ରାସ୍ତା, ଘର, ଡ୍ରେନ୍‌ ଏକାକାର ହୋଇଯାଥିବାରୁ ବିଏମ୍‌ସି ପକ୍ଷରୁ ପାଣି ପମ୍ପ ଲଗାଯାଇ ୩ ଘଣ୍ଟା କାଳ ପାଣି ନିଷ୍କାସନ କରାଯାଇଥିଲା। ଏ ନେଇ ଟ୍ରାଫିକ୍‌ ଏସିପି ଜୟନ୍ତ ଦୋରା କହିଛନ୍ତି, ରାସ୍ତାରେ ଯେଭଳି ଜାମ୍‌ ସ୍ଥିତି ଦେଖା ନଦେବ ସେଥିପାଇଁ ଲୋକଙ୍କୁ ସଚେତନ କରାଯାଉଛି। ଜାମ୍‌ ହଟାଇବା ପାଇଁ ପ୍ରୟାସ କରାଯାଉଛି। ବର୍ଷା ସମୟରେ ହିଁ ଜାମ୍‌ ହେଉଛି। ବର୍ଷା ବେଳେ ଓଭରବ୍ରିଜ୍‌ଗୁଡ଼ିକ ତଳେ ବାଇକ୍‌ ଧରି ଅଟକି ଯାଉଥିବାରୁ ବର୍ଷା ନଛାଡ଼ିବା ଯାଏ ସେହି ରାସ୍ତାରେ ଗାଡ଼ି ଚଳାଚଳ ସମ୍ଭବ ହେଉନି। ବିଭିନ୍ନ ରାସ୍ତା ଓ ଓଭରବ୍ରିଜ୍‌ର ଖାଲୁଆ ସ୍ଥାନରେ ପାଣି ଜମିବାରୁ ସେଠାରେ ମଧ୍ୟ ଯାତାୟତରେ ସମସ୍ୟା ଦେଖାଦେଉଛି। ଯାହା ଟ୍ରାଫିକ୍‌ ଜାମ୍‌ର ପ୍ରମୁଖ କାରଣ।