ବାଲିପାଟଣା: ଦୀପାବଳି ପାଖେଇ ଆସୁଥିବା ବେଳେ ବାଲିପାଟଣାର ବିଭିନ୍ନ ଅଞ୍ଚଳରେ ବାଣୁଆମାନେ ବାଣ ତିଆରିରେ ଲାଗିଛନ୍ତି। ବେଆଇନ ଓ ବିପଜ୍ଜନକଭାବେ ସେମାନେ ବାଣ ତିଆରି କରୁଥିବାରୁ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ବାଲିପାଟଣା ପୁଲିସ ଗତକାଲି ଗୁଆପୁର ଗ୍ରାମରୁ ୨ଜଣ ବାଣୁଆଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ଠାରୁ ଦେଢ଼ କୁଇଣ୍ଟାଲ ବାରୁଦ ସହ ଅଧ କୁଇଣ୍ଟାଲ ଲୁହା ଗୁଣ୍ଡ, ପଟାସ ଏବଂ ବାଣରେ ବ୍ୟବହୃତ କଞ୍ଚାମାଲ ପ୍ରଭୃତି ଜବତ ହୋଇଛି। ସେମାନେ ହେଲେ ଏହି ଥାନା ଗୁଆପୁର (ବ୍ରାହ୍ମଣଖଣ୍ଡି) ଗ୍ରାମର ଅନ୍ତର୍ଯ୍ୟାମୀ ମଲ୍ଲିକଙ୍କ ପୁଅ ଚନ୍ଦ୍ରଶେଖର ମଲ୍ଲିକ (୨୪) ଏବଂ ଗୁଆପୁରର ଭ୍ରମରବର ମଲ୍ଲିକଙ୍କ ପୁଅ ବିଶ୍ୱନାଥ ମଲ୍ଲିକ (୩୧)। ବଡ଼ କଥା ହେଉଛି ଭ୍ରମରବର ବାଲିପାଟଣା ଥାନାର ଗ୍ରାମରକ୍ଷୀ। ସେ ୩ ଦଶନ୍ଧି ହେବ ବେଆଇନ ଭାବେ ବାଣ କାରବାର ଚଳାଇ ଆସୁଥିଲେ। ହେଲେ ପୁଲିସ କିପରି ଏ ସମ୍ପର୍କରେ ଜାଣିପାରୁ ନଥିଲା ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପୁଲିସ ସୂଚନା ଅନୁସାରେ ରବିବାର ପୁଲିସ ଏସ୍ଆଇ ରାକେଶ ସାମଲ ପାଟ୍ରୋଲିଂ କରୁଥିବା ବେଳେ ଗୁଆପୁରରେ ବିପୁଳ ପରିମାଣର ବିସ୍ଫୋରକ ଗଚ୍ଛିତ ଅଛି ବୋଲି ବିଶେଷ ସୂତ୍ରରୁ ଖବର ପାଇଥିଲେ। ଏହାପରେ ସଦଳବଳେ ପୁଲିସ ତୁରନ୍ତ ବେଆଇନ ବାଣ କାରଖାନାରେ ଚଢ଼ଉ କରିଥିଲା। ଚନ୍ଦ୍ରଶେଖରଙ୍କ ଠାରୁ ୫୦ କିଲୋ ଲୁହାଗୁଣ୍ଡ ଏବଂ ୬୫ କେଜି ବାରୁଦ ଜବତ ହୋଇଥିବା ବେଳେ ବିଶ୍ୱନାଥଙ୍କ ଘରୁ ୮୫ କେଜି ବାରୁଦ ଜବତ ହୋଇଛି। ବେଆଇନ ଭାବେ ବିସ୍ଫୋରକ ଗଚ୍ଛିତ ରଖିବା ଘଟଣାରେ ବାଲିପାଟଣା ଥାନା ପୁଲିସ କେସ୍ ନମ୍ବର ୪୯୭ ଏବଂ ୪୯୮ରେ ମାମଲା ରୁଜୁକରି ୨ ଜଣଙ୍କୁ କୋର୍ଟ ଚାଲାଣ କରିଛି।
ବିଗତ ଦିନରେ ବାଣ ବିସ୍ଫୋରଣ ଘଟଣା
ବାଲିପାଟଣାର ବହୁ ସ୍ଥାନରେ ବେଆଇନ ବାଣ ଭିଡ଼ା ଚାଲିଛି। ବିଭିନ୍ନ ସମୟରେ ବିସ୍ଫୋରଣ ଘଟି ବହୁ ମୂଲ୍ୟବାନ ଜୀବନ ଯିବା ସହିତ କିଛି ବ୍ୟକ୍ତି ଅକର୍ମଣ୍ୟ ହୋଇଥିବା ନଜିର ରହିଛି। ୨୦୧୮ ନଭେମ୍ବର ୧ରେ ବନମାଳୀପୁର ନୂଆସାହିର ନୃସିଂହ ମିଶ୍ରଙ୍କ ବାଣ କାରଖାନାରେ ବିସ୍ଫୋରଣ ହୋଇଥିଲା। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ମାଇଲ ମାଇଲ ପର୍ଯ୍ୟନ୍ତ ପ୍ରଚଣ୍ଡ ଶବ୍ଦ ଶୁଣାଯିବା ସହ ଭୂମିକମ୍ପର ଭ୍ରମ ସୃଷ୍ଟି କରିଥିଲା। ଆଖପାଖ ଗାଁ ଧୂଆଁମୟ ହୋଇଯାଇଥିଲା। ଗାଁ ଦାଣ୍ଡରେ ଜୀବଜନ୍ତୁ ଓ ଗୃହପାଳିତ ପଶୁ ଏଣେତେଣେ ଦୌଡ଼ିଥିଲେ। ବାଣ ବିସ୍ଫୋରଣରେ ନୃସିଂହଙ୍କ ସାନପୁଅ ଜ୍ଞାନେନ୍ଦ୍ରଙ୍କ ଘର ଛାତ ଉଡ଼ି ଯାଇଥିଲା। ପରେ ଜଣାପଡ଼ିଥିଲା ଯେ, ଜ୍ଞାନେନ୍ଦ୍ରଙ୍କ ପତ୍ନୀ ରଶ୍ମିତାଙ୍କ ମୃତ୍ୟୁ ହୋଇଛି। ସେହି ଦିନଠାରୁ ଜ୍ଞାନେନ୍ଦ୍ର ନିଖୋଜ ହୋଇଯାଇଛନ୍ତି। କିଛି ବର୍ଷ ପୂର୍ବରୁ ନୃସିଂହଙ୍କ ବଡ଼ପୁଅ ଚିତ୍ତରଞ୍ଜନଙ୍କର ବାଣ ବିସ୍ଫୋରଣରେ ମୃତ୍ୟୁ ହୋଇଥିଲା। ନରିଶୋ ଅଞ୍ଚଳରେ ଗତବର୍ଷ ବିସ୍ଫୋରଣ ଘଟି ଜଣେ ବାଣୁଆଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଦୋଳପର୍ବ ପାଳନ ସମୟରେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକଙ୍କର ମଧ୍ୟ ଅକାଳରେ ମୃତ୍ୟୁ ହୋଇଛି। ସେହିପରି ବନମାଳୀପୁର ବାଲିକୁଦା ଏବଂ ଝିଣ୍ଟି ଅଞ୍ଚଳରେ ବିସ୍ଫୋରଣରେ ବାଣୁଆଙ୍କ ମୃତ୍ୟୁ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/10/29/UQDFWNqTo5LeKAoZsHef.jpg)