ରମାଦେବୀ ବିଶ୍ବବିଦ୍ୟାଳୟରେ ହେବ ଅନ୍ତର୍ଜାତୀୟ ସମ୍ମିଳନୀ, ଯୋଗଦେବେ ୧୮ଟି ଦେଶର ଗବେଷକ

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଓ ମରିସସ୍‌ ୟୁନିଭରସିଟି ଡିଇଏସ୍‌ ମାସ୍କାରାଇନ୍ସ୍‌ର ମିଳିତ ସହଯୋଗରେ ଆସନ୍ତା ୨୫ରୁ ୨୭ ତାରିଖ ପର୍ଯ୍ୟନ୍ତ ‘ଆଡଭାନ୍ସଡ୍‌ କମ୍ପ୍ୟୁଟିଙ୍ଗ୍‌ ଆଣ୍ଡ୍‌ ଇଣ୍ଟେଲିଜେଣ୍ଟ ଇଞ୍ଜିନିୟରିଂ’ ଶୀର୍ଷକ ଅନ୍ତର୍ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହେବ। ୩ ଦିନ ଧରି ଅନ୍‌ଲାଇନ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ବିଶ୍ବର ୧୮ଟି ଦେଶର ଗବେଷଣାରତ ଛାତ୍ରଛାତ୍ରୀ ଓ ପ୍ରଫେସରମାନେ ସାମିଲ ହେବେ। ସମୁଦାୟ ୮୦ଟି ରିସର୍ଚ୍ଚ ପେପର୍‌ ଉପସ୍ଥାପିତ କରାଯିବ।

ଏଥିରେ ଆର୍ଟିଫିସିଆଲ ଇଣ୍ଟେଲିଜେଣ୍ଟ, କ୍ଲାଉଡ୍‌ କମ୍ପ୍ୟୁଟିଙ୍ଗ୍‌, ଆଡଭାନ୍ସ ନେଟ୍‌ୱାର୍କ, ମେସିନ୍‌ ଲର୍ଣ୍ଣିଙ୍ଗ୍‌ ଆଦି ବିଷୟ ଉପରେ ଉପସ୍ଥାପିତ ହେବାକୁ ଥିବା ଗବେଷଣା ପେପର୍‌ରେ ଆଲୋଚନା କରାଯିବ। ଗବେଷଣା ପେପର୍‌ଗୁଡ଼ିକ ‘ସ୍ପିଙ୍ଗ୍‌ରସ୍‌’ରେ ପ୍ରକାଶିତ ହେବ, ଯାହାକି ଏକ ଅଭିନବ ପ୍ରୟାସ। ଏହାର ପାଟ୍ରୋନ୍‌ ଭାବେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ପଦ୍ମଜା ମିଶ୍ର ଥିବା ବେଳେ ଆନୁଷ୍ଠାନିକ ସମ୍ପାଦକ ଭାବେ କମ୍ପ୍ୟୁଟର ସାଇନ୍ସ ବିଭାଗର ଅଧ୍ୟାପିକା ଛବିରାଣୀ ପାଣିଗ୍ରାହୀ, ଜେନେରାଲ ଚେୟାର ଭାବେ କମ୍ପ୍ୟୁଟର ସାଇନ୍ସ ବିଭାଗୀୟ ମୁଖ୍ୟ ବିବୁଧେନ୍ଦୁ ପତି ପରିଚାଳନା କରିବେ। କରୋନା ସମୟରେ ଅନ୍‌ଲାଇନ୍‌ରେ ଅନ୍ତର୍ଜାତୀୟ ସମ୍ମିଳନୀ କରିବା କ୍ଷେତ୍ରରେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଆଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ଶ୍ରୀ ପତି କହିଛନ୍ତି।

ସମ୍ବନ୍ଧିତ ଖବର