ପୁରୁଣା ଭୁବନେଶ୍ୱର: ପ୍ରାଚୀନ ତଥା ପ୍ରସିଦ୍ଧ ଶୈବ ପୀଠରେ ଭରପୂର ଏକାମ୍ର କ୍ଷେତ୍ରରେ ଅନନ୍ତ ବାସୁଦେବଙ୍କ ମନ୍ଦିର ହେଉଛି ଏକମାତ୍ର ବିଷ୍ଣୁ ମନ୍ଦିର। ତେଣୁ ଏହି ମନ୍ଦିରର ଏକ ସ୍ବତନ୍ତ୍ର ଗୁରୁତ୍ବ ରହିଆସିଛି। ମାତ୍ର ଦୀର୍ଘ ବର୍ଷ ଧରି ଏହି ମନ୍ଦିରକୁ ସମ୍ଭାଳିଛି ଲୁହା ଖମ୍ବ। ଲୁହା ଖମ୍ବର ଢେରାରେ ମନ୍ଦିର ଠିଆହୋଇ ରହିଛି। ସେହିଭଳି ଏହି ମନ୍ଦିର ପରିସରରେ ଥିବା ମା’ ଲକ୍ଷ୍ମୀଙ୍କ ମନ୍ଦିର ବହୁ ବର୍ଷ ହେଲା ଭୁଶୁଡ଼ି ଯାଇଛି। ଅଧା ଭଙ୍ଗା ମନ୍ଦିରରୁ ମା’ ଲକ୍ଷ୍ମୀଙ୍କୁ ସ୍ଥାନାନ୍ତର କରି ଅନନ୍ତ ବାସୁଦେବଙ୍କ ମନ୍ଦିର ଗର୍ଭଗୃହରେ ପୂଜାର୍ଚ୍ଚନା କରାଯାଉଛି। ମା’ ଲକ୍ଷ୍ମୀଙ୍କ ମନ୍ଦିର ମରାମତି ବା ପୁନରୁଦ୍ଧାର ନାଁ ଧରାଯାଉନଥିବାରୁ ଦେବୀ ଲକ୍ଷ୍ମୀ ନିଜ ମନ୍ଦିରକୁ ଫେରିପାରୁନାହାନ୍ତି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତା ପାଇଁ ଏହି ଦୁଇ ମନ୍ଦିର ବର୍ଷ ବର୍ଷ ଧରି ଅବହେଳିତ ହୋଇରହିଛି ବୋଲି ଅଭିଯୋଗ ହେଉଛି।

Advertisment

ବିଶ୍ବାସ କରାଯାଏ ଏହି ମନ୍ଦିର ତ୍ରୟୋଦଶ ଶତାବ୍ଦୀରେ ନିର୍ମିତ। ବିନ୍ଦୁସାଗର କୂଳରେ ପଞ୍ଚାୟତନ ଶୈଳୀରେ ପଶ୍ଚିମ ଦିଗକୁ ମୁହଁ କରିଥିବା ଏହି ମନ୍ଦିର ସମ ଉଚ୍ଚତା ବିଶିଷ୍ଟ ପିଣ୍ଡି ଉପରେ ଅବସ୍ଥିତ। ଚୋଡ଼ଗଙ୍ଗ ବଂଶର ରାଜା ତୃତୀୟ ଅନଙ୍ଗ ଭୀମଦେବଙ୍କ କନ୍ୟା ଚନ୍ଦ୍ରିକା ଦେବୀ ଏହି ମନ୍ଦିର ନିର୍ମାଣ କରାଇଥିଲେ ବୋଲି ଐତିହାସିକମାନେ ମତ ଦିଅନ୍ତି। ସପ୍ତଦଶ ଶତାବ୍ଦୀରେ ମରାଠା ଶାସନ ସମୟରେ ଏହି ମନ୍ଦିରର ପୁନରୁଦ୍ଧାର କରାଯାଇଥିଲା। ଏହି ମନ୍ଦିର ଏବେ କେନ୍ଦ୍ର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଅଧୀନରେ ରହିଛି। ମାତ୍ର ବିଭାଗୀୟ ଅବହେଳାରୁ ମନ୍ଦିରର ସୌନ୍ଦର୍ଯ୍ୟ ଉଜୁଡ଼ିଗଲାଣି। ମୁଖ୍ୟ ମନ୍ଦିରକୁ ଦୀର୍ଘ ବର୍ଷ ହେବ ଲୁହା ଖମ୍ବ ସମ୍ଭାଳିଛି। ଭୁଶୁଡ଼ି ପଡ଼ିବା ଆଶଙ୍କାରେ ଲୁହା ଖମ୍ବ ଖଞ୍ଜାଯାଇଛି। ସେହିଭଳି ମନ୍ଦିରର ଉପର ଅଂଶ ବି ଦୁର୍ବଳ ହୋଇ ଗଲାଣି।

ବର୍ଷା ହେଲେ ମନ୍ଦିର ଭିତରେ ପାଣି ଗଳୁଛି। ଠାକୁର ବର୍ଷାରେ ଭିଜୁଛନ୍ତି। ଏହି ମନ୍ଦିରର ବେଢ଼ାରେ ଥିବା ବହୁ ମନ୍ଦିର ଭୁଶୁଡ଼ିଗଲାଣି। ମା’ ଲକ୍ଷ୍ମୀଙ୍କ ମନ୍ଦିର ଅସ୍ତିତ୍ବ ହରାଇବାକୁ ବସିଲାଣି। ସେବାୟତମାନଙ୍କ ସୂଚନାନୁସାରେ ଦୀର୍ଘ ୮୦ ବର୍ଷ ହେଲା ଲକ୍ଷ୍ମୀ ମନ୍ଦିର ଭାଙ୍ଗି ପଡ଼ିଛି। କେନ୍ଦ୍ର ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ଏହି ମନ୍ଦିରର ସୁରକ୍ଷା ପ୍ରତି ଆଦୌ ଧ୍ୟାନ ଦେଉନଥିବା ଅଭିଯୋଗ ହେଉଛି। ଉଲ୍ଲେଖଯୋଗ୍ୟ ଯେ ଏହି ମନ୍ଦିରର କଳା, ଭାସ୍କର୍ଯ୍ୟ ଅନ୍ୟ ସବୁ ମନ୍ଦିରଠାରୁ ସମ୍ପୂର୍ଣ୍ଣ ଅଲଗା। ଏହି ଶୈଳୀରେ ନିର୍ମିତ ମନ୍ଦିର ଏସିଆ ମହାଦେଶରେ ବିରଳ ବୋଲି ଐତିହାସିକମାନେ ମତ ଦିଅନ୍ତି। ଶ୍ରୀଲିଙ୍ଗରାଜଙ୍କ ପର୍ବପର୍ବାଣି ଓ ଯାନିଯାତ୍ରା ସହିତ ଅନନ୍ତ ବାସୁଦେବଙ୍କ ନିବିଡ଼ ସମ୍ପର୍କ ରହିଛି। ବଡ଼ କଥା ହେଉଛି ଅନନ୍ତ ବାସୁଦେବ ମନ୍ଦିର ପ୍ରସାଦ ଅବଢ଼ାର ଏକ ସ୍ବତନ୍ତ୍ର ଚାହିଦା ରହିଛି।

ପ୍ରତି ମାସର ଏକାଦଶୀ, ପୂର୍ଣ୍ଣମୀ ଭଳି ତିଥିରେ ଏଠାରେ ବହୁ ଶ୍ରଦ୍ଧାଳୁ ଦେବ ଦର୍ଶନ କରନ୍ତି। ଅନନ୍ତ ବ୍ରତ ପୂଜା ପାଇଁ ଲକ୍ଷାଧିକ ଶ୍ରଦ୍ଧାଳୁ ଏଠାକୁ ଆସିଥାନ୍ତି। ମାତ୍ର ପରିତାପର କଥା ଏହି ମନ୍ଦିରର ସୁରକ୍ଷା ନେଇ କେହି ଚିନ୍ତିତ ନୁହନ୍ତି। ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି କୁହନ୍ତି ଯେ ଏହି ମନ୍ଦିରର ସମସ୍ୟା ଦିନକୁ ଦିନ ବଢ଼ି ଚାଲିଛି। ଚଟାଣ ପଥର ଖାଲ ଢ଼ିପ ହୋଇଗଲାଣି। ମନ୍ଦିର ଓ ପାଚେରିରେ ଗଛଲତା, ଗୁଳ୍ମ ମାଡ଼ିଗଲାଣି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏଦିଗରେ ତୁରନ୍ତ କିଛି ନ କଲେ, ମନ୍ଦିରର ଭବିଷ୍ୟତ ବିପଦକୁ ଠେଲି ହୋଇଯିବ ବୋଲି ଶ୍ରୀ ପତି ସତର୍କ କରାଇଦେଇଛନ୍ତି। ଏନେଇ ଏଏସ୍‌ଆଇ ଅଧୀକ୍ଷକ ସୁଶାନ୍ତ କୁମାର କର କୁହନ୍ତି ଯେ ଏନେଇ ଅନୁଧ୍ୟାନ କରାଯାଉଛି ଏବଂ ମନ୍ଦିରର ଉନ୍ନତି ପାଇଁ ପଦକ୍ଷେପ ନିଆଯାଉଛି।