ଭୁବନେଶ୍ବର: ପ୍ରତିବର୍ଷ ପାର୍ବଣ ପୂର୍ବରୁ କମିସନରେଟ୍ ପୁଲିସ ଅପରାଧ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ଯୋଜନା କରିଥାଏ। ଜନଗହଳିପୂର୍ଣ୍ଣ ଛକଠୁ ଆରମ୍ଭ କରି ସମ୍ବେଦନଶୀଳ ଓ ନିଛାଟିଆ ଅଞ୍ଚଳ, ହୋଟେଲ୍, ପାର୍କ, ଖଟି ଆଦି ପ୍ରମୁଖ ଜାଗାମାନଙ୍କରେ ଘନଘନ ପାଟ୍ରୋଲିଂ କରିଥାଏ। ଏହାସହ ପେସାଦାର ଲୁଟେରା, ଅପରାଧୀ, ନିଶାମାଫିଆଙ୍କୁ ଆଗୁଆ ଗିରଫ (ପ୍ରିଭେଣ୍ଟିଭ୍ ଆରେଷ୍ଟ୍) କରାଯାଏ। ଏସବୁର ମୂଳ ଉଦ୍ଦେଶ୍ୟ ହେଉଛି ପାର୍ବଣରେ ରାଜଧାନୀବାସିନ୍ଦାଙ୍କୁ ସୁରକ୍ଷା ଦେବା ଏବଂ ଆଇନ ଶୃଙ୍ଖଳା ସ୍ଥିତି ବଜାୟ ରଖିବା। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଗତ ୨ବର୍ଷ କରୋନା ପାଇଁ ଭୁବନେଶ୍ବର ପାର୍ବଣରେ ଉତ୍ସବମୁଖର ହୋଇପାରି ନଥିଲା।
ଏଥର କିନ୍ତୁ କରୋନା ନିୟନ୍ତ୍ରଣରେ ଥିବାରୁ ବିଭିନ୍ନ ଜିଲ୍ଲାରୁ ଲୋକେ ପୂଜା ମଉଜ ପାଇଁ ରାଜଧାନୀକୁ ଆସୁଛନ୍ତି। ଆଉ ଠିକ୍ ଏହାରି ଭିତରେ ଅପରାଧୀ ଆତଙ୍କ ଖେଳାଇଛନ୍ତି। ବିଜେଡିର କାର୍ଯ୍ୟକ୍ରମ ପାଇଁ ଗତକାଲିଠାରୁ ପୁଲିସ୍ ନିଜକୁ ପ୍ରସ୍ତୁତ କରିଥିଲା ବେଳେ ଅପରାଧୀ ବି ଖୋଲା ଚ୍ୟାଲେଞ୍ଜ୍ ଦେବାକୁ ପଛାଇ ନାହାନ୍ତି। ଗତକାଲି ରାତିରେ ଅପରାଧୀ ମୋବାଇଲ୍ ଝାମ୍ପିବାଠୁ ଆରମ୍ଭ କରି ଲୋକଙ୍କୁ ଆକ୍ରମଣ କରି ଲୁଟ୍ପାଟ୍ କରିଛନ୍ତି। କୋଉଠି ଅପହରଣ କରି ଲୁଟିଛନ୍ତି, ତ ଆଉ କୋଉଠି କାମ ସାରି ଘରକୁ ଫେରୁଥିବା ବେଳେ ମାଡ଼ ମାରି ଟଙ୍କା ଛଡ଼ାଇ ନେଇଛନ୍ତି। କଡ଼ା ସୁରକ୍ଷା ଭିତରେ ଥିବା ସହରରେ ଅପରାଧୀଙ୍କର ଏପରି କାର୍ଯ୍ୟ ସହରବାସୀଙ୍କ ନିଦ ହଜାଇ ଦେଇଛି।
ଅପହରଣ କରି ଲୁଟିନେଲେ
ରବିବାର ବିଳମ୍ବିତ ରାତିରେ କାହ୍ନୁଚରଣ ଖଣ୍ଡୁଆଳ ଅଟୋରେ ନହରକଣ୍ଟାସ୍ଥିତ ଘରକୁ ଫେରୁଥିବା ବେଳେ ବାଟ ଛାଡ଼ିବାକୁ କେନ୍ଦ୍ର କରି କାର୍ ଓ ଅଟୋ ଚାଳକଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। କାର୍ ଚାଳକ ତାଙ୍କର କିଛି ସହଯୋଗୀଙ୍କୁ ଘଟଣାସ୍ଥଳକୁ ଡାକି ଅଟୋ ଚାଳକଙ୍କ ସମେତ ଅଟୋରେ ବସିଥିବା ଯାତ୍ରୀଙ୍କ ଉପରେ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। ଘଟଣାସ୍ଥଳରୁ ସମସ୍ତେ ଖସିଯାଇଥିବା ବେଳେ କାହ୍ନୁ ରହିଯାଇଥିଲେ। ଦୁର୍ବୃତ୍ତମାନେ ତାଙ୍କୁ କାର୍ରେ ଅପହରଣ କରି ଏକ ନିଛାଟିଆ ସ୍ଥାନକୁ ନେଇ ନିସ୍ତୁକ ମାଡ଼ ମାରିଥିଲେ। କାହ୍ନୁ ଚେତାଶୂନ୍ୟ ହୋଇଯିବାରୁ ତାଙ୍କ ପାଖରୁ ୯ହଜାର ଟଙ୍କା ଲୁଟି ନେଇ ପଳାଇଥିଲେ।
ସିରିଜ୍ ମୋବାଇଲ୍ ଲୁଟ୍
/sambad/media/post_attachments/wp-content/uploads/2021/11/mobile-loot.jpg)
ଗତକାଲି ପୂର୍ବାହ୍ନ ସାଢ଼େ ୧୧ଟା ବେଳେ ସଚିନ ପ୍ରଧାନ ଦେବରାୟ କଲେଜ ନିକଟରେ ଫୋନ୍ରେ କଥା ହେଉଥିବା ବେଳେ ୨ଜଣ ଲୁଟେରା ତାଙ୍କ ହାତରୁ ମୋବାଇଲ୍ ଝାମ୍ପି ନେଇଥିଲେ। ପରେ ଗ୍ୟାଷ୍ଟ୍ରୋ ଓ କିଡ୍ନି କେୟାର୍ ହସ୍ପିଟାଲର ଜଣେ କର୍ମଚାରୀ ନିକଟରେ କଥା ହେଉଥିବା ବେଳେ ତାଙ୍କ ଫୋନ୍କୁ ମଧ୍ୟ ଲୁଟେରା ଝାମ୍ପି ନେଇଥିଲେ। ସେହିପରି ଆଜି ବିଳମ୍ବିତ ରାତିରେ ଗୋବିନ୍ଦ ଗୋପାଳ ସାହୁ ଓ ପରେଶ ରାଉତଙ୍କଠାରୁ ଖଣ୍ଡଗିରି ଫ୍ଲାଏଓଭର୍ରୁ ଦୁଇଟି ମୋବାଇଲ୍ ଓ ୧୧ ହଜାର ଟଙ୍କା ଲୁଟ୍ ହୋଇଛି।
ଅଫିସ୍ରେ ପଶି ଲୁଟିନେଲେ
ରବିବାର ବିଳମ୍ବିତ ରାତିରେ ପୋଖରୀପୁଟସ୍ଥିତ ଓମ୍ ଇଞ୍ଜିକନ୍ ପ୍ରାଇଭେଟ୍ ଲିମିଟେଡ୍ ନାମକ ଘରୋଇ ସଂସ୍ଥାରେ ପଶି କିଛି ଦୁର୍ବୃତ୍ତ ଲୁଟପାଟ୍ କରିଥିଲେ। ୨ଟି ଲାପଟପ୍, ପ୍ରିଣ୍ଟର, ମୋବାଇଲ୍ ସମେତ ଲକ୍ଷାଧିକ ଟଙ୍କାର ଆସବାବପତ୍ର ଲୁଟି ନେଇଛନ୍ତି। ଏନେଇ କମ୍ପାନି ମାଲିକ ସୁଶୀଲ କୁମାର ସାଠୁଆ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁ କରି ସିସିଟିଭି ଫୁଟେଜ୍ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି।
ମାଡ଼ ମାରି ଦରମା ଟଙ୍କା ଛଡ଼ାଇନେଲେ
ସୋମବାର ରାତି ସାଢ଼େ ଗୋଟାଏରେ ପୁରୁଣା ଭୁବନେଶ୍ବରର ଅଭୟ ବେହେରା ରସୁଲଗଡ଼ସ୍ଥିତ ମଲରୁ କାମ ସାରି ଘରକୁ ଫେରୁଥିବା ବେଳେ ବିଏମ୍ସି ମାର୍କେଟ୍ କମ୍ପ୍ଲେକ୍ସ ନିକଟରେ ୩ଜଣ ଯୁବକ ତାଙ୍କୁ ଅଟକାଇଥିଲା। ଅଭୟ କିଛି ବୁଝିବା ପୂର୍ବରୁ ଦୁର୍ବୃତ୍ତ ତାଙ୍କ ମୁହଁ ଓ ମୁଣ୍ଡକୁ ମାଡ଼ ମାରି ରକ୍ତାକ୍ତ କରିପକାଇଥିଲେ। ଅଭୟ ତଳେ ପଡ଼ିବା ପରେ ତାଙ୍କ ପାଖରେ ଥିବା ଦରମା ଟଙ୍କା ଛଡ଼ାଇନେଇ ଫେରାର୍ ହୋଇଯାଇଥିଲେ।
୩ ବାଇକ୍ ଚୋରି
ନୂଆପଲ୍ଲୀ, ଏୟାରପୋର୍ଟ ଓ ଭରତପୁର ଅଞ୍ଚଳରୁ ଗତକାଲି ୩ଟି ବାଇକ୍ ଚୋରି ହୋଇଛି। ଅଭିଯୋଗ ଅନୁସାରେ, ବେହେରା ସାହିର ମନମୋହନ ପ୍ରଧାନ ନୂଆପଲ୍ଲୀ ଦୁର୍ଗାପୂଜା ପଡ଼ିଆ ନିକଟରେ ସ୍କୁଟି (ଓଡି ୩୩ଇ ୫୪୧୭) ରଖିଥିବା ବେଳେ କେହି ଦୁର୍ବୃତ୍ତ ତାଙ୍କ ଗାଡ଼ି ଲୁଟିନେଇଥିଲା। ସେହିଭଳି ପୋଖରୀପୁଟ ଫୁଟବଲ୍ ପଡ଼ିଆରୁ ଜତନ କୁମାରଙ୍କ ବାଇକ୍ ଚୋରି ହୋଇଥିବା ଏୟାରପୋର୍ଟ ଥାନାରେ ମାମଲା ରୁଜୁ ହୋଇଛି। ସେହିଭଳି ଭରତପୁର ଥାନା ଅଞ୍ଚଳରେ ରହୁଥିବା ସନ୍ତୋଷ ମହାରଣା ଘର ସାମ୍ନାରେ ବାଇକ୍ ରଖିଥିବା ବେଳେ କେହି ଦୁର୍ବୃତ୍ତ ତାହାକୁ ଚୋରି କରିନେଇଥିବା ଅଭିଯୋଗ ହୋଇଛି।