ସ୍ପେନ୍‌ରେ ହଜିଗଲେ ଓଡ଼ିଆ ଛାତ୍ରୀ, ପର୍ତ୍ତୁଗାଲରେ ମେଲ୍ ଆଇଡି ଠାବ

ଦୂତାବାସକୁ ଚିଠି ଲେଖିଲା କମିସନରେଟ ପୁଲିସ

ଭୁବନେଶ୍ବର: ଉଚ୍ଚଶିକ୍ଷା ପାଇଁ ବିଦେଶ ଯାଇଥିଲେ। କିନ୍ତୁ ହଠାତ୍ କେଉଁଆଡ଼େ ନିଖୋଜ ହୋଇଗଲେ। ପରିବାରଲୋକଙ୍କ ସହ ବିଚ୍ଛିନ୍ନ ହୋଇଗଲା ଯୋଗାଯୋଗ। କରୋନା କାଳର ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଛାତ୍ରୀଙ୍କ ନିଖୋଜ ଘଟଣା ପରିବାରଲୋକଙ୍କ ଚିନ୍ତା ବଢ଼ାଇ ଦେଇଛି। ଘଟଣା ଗୋଟିଏ ଦେଶ ଭିତରେ ସୀମିତ ହୋଇନାହିଁ। ଛାତ୍ରୀଜଣଙ୍କ ସ୍ପେନ୍‌ରୁ ନିଖୋଜ ହୋଇଥିବା ବେଳେ ପର୍ତ୍ତୁଗାଲରେ ତାଙ୍କର ମେଲ୍ ଆଇଡି ଲୋକେସନ୍‌ ଠାବ ହୋଇଛି। ତେବେ ଛାତ୍ରୀଙ୍କୁ ଉଦ୍ଧାର କରିବା ଲାଗି ଜୋରଦାର ଉଦ୍ୟମ ଚଳାଇଛି କମିସନରେଟ୍‌ ପୁଲିସ୍। ଏ ସମ୍ପର୍କରେ ନୂଆଦିଲ୍ଲୀସ୍ଥିତ ପର୍ତ୍ତୁଗାଲ ଦୂତାବାସକୁ ଚିଠି ଲେଖିଛି କମିସନରେଟ୍‌ ପୁଲିସ୍‌।

MyLittleAdventure

ମିଳିଥିବା ସୂଚନା ଅନୁସାରେ, ଛାତ୍ରୀଙ୍କ ଘର କଟକ ପୁରୀଘାଟ ଥାନା ଅଞ୍ଚଳରେ। କିଛି ବର୍ଷ ହେଲା, ଛାତ୍ରୀଜଣଙ୍କ ସ୍ପେନ୍‌ର ରାଜଧାନୀ ମାଦ୍ରିଦ୍‌ରେ ପିଏଚ୍‌ଡି କରୁଥିଲେ। ଚଳିତ ବର୍ଷ ଫ୍ରେବ୍ରୁଆରିରେ ସ୍ପେନ୍‌ରେ ଯେତେବେଳେ କରୋନା କାୟାବିସ୍ତାର କରୁଥିଲା, ସେହି ସମୟରେ ଛାତ୍ରୀଜଣଙ୍କର ପତ୍ତା ମିଳି ନ ଥିଲା। କିଛି ଦିନ ଧରି ପରିବାରଲୋକ ଝିଅ ସହ ଯୋଗାଯୋଗ କରି ବିଫଳ ହେବା ପରେ ପୁଲିସର ସହାୟତା ନେଇଥିଲେ। ଏ ନେଇ ପୁରୀଘାଟ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ଷ୍ଟେସନ୍‌ ଡାଏରି କରିଥିଲା। ଏ ସଂକ୍ରାନ୍ତରେ କଟକ ଡିସିପିଙ୍କ କାର୍ଯ୍ୟାଳୟରୁ କମିସନରେଟ ମୁଖ୍ୟାଳୟକୁ ଏକ ଚିଠି ଲେଖା ଯାଇଥିଲା। କମିସନରେଟ ପୁଲିସ ପକ୍ଷରୁ କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ଏ ସଂକ୍ରାନ୍ତରେ ଅବଗତ କରାଯାଇଥିଲା। ଛାତ୍ରୀଙ୍କ ଟ୍ରାଭେଲ୍ ହିଷ୍ଟ୍ରି ଓ ମେଲ୍ ଆଇଡି ଟ୍ରେସ୍ ପରେ ପର୍ତ୍ତୁଗାଲର ରାଜଧାନୀ ଲିସବନ୍‌ରେ ଲୋକେସନ୍ ଦେଖାଉଥିବା ଗୃହ ମନ୍ତ୍ରଣାଳୟ ପକ୍ଷରୁ କମିସନରେଟ୍‌ ପୁଲିସକୁ ଚିଠି ଆସିଥିଲା। କିନ୍ତୁ ଛାତ୍ରୀଙ୍କ ସମ୍ପର୍କରେ କିଛି ଖୋଜ ଖବର ମିଳି ନଥିଲା। କେବଳ ତାଙ୍କର ମେଲ୍ ଆଇଡି ଲୋକେସନ୍ ହିଁ ଏକମାତ୍ର ସୁରାକ୍ ବୋଲି ଜଣାପଡ଼ିଛି। ଛାତ୍ରୀଙ୍କୁ ଠାବ କରିବା ସହ ଉଦ୍ଧାର କରିବା ଲାଗି ଏବେ କମିସନରେଟ୍‌ ପୁଲିସ ପକ୍ଷରୁ ନୂଆଦିଲ୍ଲୀସ୍ଥିତ ପର୍ତ୍ତୁଗାଲ ଦୂତାବାସକୁ ଚିଠି ଲେଖାଯାଇଛି। ଛାତ୍ରୀଜଣଙ୍କ କେଉଁ ପରିସ୍ଥିତିରେ ଗଲେ? ଏକୁଟିଆ ଯାଇଛନ୍ତି ନା ତାଙ୍କ ସହ ଆଉ କିଏ ଯାଇଛି? ନା ଉଚ୍ଚଶିକ୍ଷାର କୌଣସି କାମରେ ଯାଇଛନ୍ତି? ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଯାଉଥିବାରୁ ନିଶ୍ଚିତ ଭାବେ ଭିସା ତିଆରି କରିଥିବେ। କିନ୍ତୁ ଏ ସମ୍ପର୍କରେ କାହିଁକି ପରିବାରଲୋକଙ୍କୁ ଅବଗତ କଲେ ନାହିଁ? ନା କୌଣସି ଅସୁବିଧା ଭିତରେ ଫସି ଯାଇଛନ୍ତି? ତାହା ଏବେ ଅସ୍ପଷ୍ଟ ରହିଛି। ସାଇବର୍‌ ବିଶେଷଜ୍ଞ ଚନ୍ଦ୍ରଶେଖର ବିଶ୍ବାଳଙ୍କ କହିବା ଅନୁସାରେ, ସେଠାକାର ପୁଲିସ ଯଦି ତାଙ୍କର ମେଲ୍ ଆଇଡି ଲୋକେସନ୍ ଓ ଆଇପି ଆଡ୍ରେସ୍ ଟ୍ରେସ୍ କରିପାରିବ ତାହାଲେ ଛାତ୍ରୀଙ୍କୁ ସହଜରେ ଠାବ କରାଯାଇପାରିବ।

ସମ୍ବନ୍ଧିତ ଖବର