, ଇତିହାସରେ ପ୍ରଥମ : ନନ୍ଦନକାନନରେ ଆନାକୋଣ୍ତା
ପର୍ଯ୍ୟଟକଙ୍କୁ କରିବେ ରୋମାଞ୍ଚିତ, ପ୍ରଜାତି ସଂଖ୍ୟା ୧୫୮କୁ ବୃଦ୍ଧି
ବାରଙ୍ଗ: ରୂପେଲି ପରଦାରେ ଦର୍ଶକଙ୍କୁ ରୋମାଞ୍ଚିତ କରୁଥିବା ଭୟଙ୍କର ଆନାକୋଣ୍ଡା ସାପକୁ ଏଣିକି ମାତ୍ର କେଇ ଫୁଟ୍ ଦୂରରୁ ଜୀବନ୍ତ ଦେଖି ହେବ। ପର୍ଯ୍ୟଟନ ଋତୁ ଆରମ୍ଭରୁ ଦର୍ଶକଙ୍କୁ ଆକର୍ଷିତ କରିବା ଲାଗି ନନ୍ଦନକାନନ କର୍ତ୍ତୃପକ୍ଷ ଏମିତି ଏକ ସୁଯୋଗ ଆଣି ଦେଇଛନ୍ତି। ଚେନ୍ନାଇସ୍ଥିତ ଅରିଗନାର ଚିଡ଼ିଆଖାନାରୁ ୮ଟି ହଳଦିଆ ଆନାକୋଣ୍ଡା ଆଜି ସୁରକ୍ଷିତ ଭାବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ପହଞ୍ଚିଛନ୍ତି। ଏମାନଙ୍କ ସହ ‘ମଣିଷଖିଆ’ ଅପବାଦ ମୁଣ୍ଡାଇଥିବା ଦୁର୍ଧର୍ଷ ତଥା ଆକ୍ରାମକ ୩ଟି ନାଇଲ କ୍ରୋକୋଡାଇଲ୍ (କୁମ୍ଭୀର) ମଧ୍ୟ ନନ୍ଦନକାନନରେ ପହଞ୍ଚିଛନ୍ତି। ବିଶ୍ବର ୨୬ଟି ଦେଶରେ ଦେଖାଯାଉଥିବା ଏହି ପ୍ରଜାତିର ୩ଟି କୁମ୍ଭୀରକୁ ମାଡ୍ରାସସ୍ଥିତ କ୍ରୋକଡାଇଲ୍ ବ୍ୟାଙ୍କରୁ ଅଣାଯାଇଛି। ଏହି ଦୁଇ ବିରଳ ପ୍ରଜାତିର ସରୀସୃପଙ୍କ ଆଗମନ ଫଳରେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଇତିହାସ ଫର୍ଦରେ ଆଉ ଏକ ଅଧ୍ୟାୟ ଯୋଡ଼ି ହୋଇଯାଇଛି। ଏହାସହ ନନ୍ଦନକାନନର ପ୍ରଜାତି ସଂଖ୍ୟା ୧୫୮କୁ ବୃଦ୍ଧି ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ୨ ବିରଳ ପ୍ରାଣୀଙ୍କୁ ଆଣିବା ଲାଗି ଗତ ୧୫ ତାରିଖରେ ଗସ୍ତ କରିଥିବା ପର୍ଯ୍ୟଟକ ପରିଚାଳନା ବିଭାଗ ଏସିଏଫ୍ ଅମୂଲ୍ୟ ପରିଡ଼ା, ପ୍ରାଣୀ ବିଶେଷଜ୍ଞ ଡ. ଦେବଦତ୍ତ ମହାପାତ୍ର, ଫରେଷ୍ଟର୍ ସୁଜିତ ଜେନା ଓ ଜନ୍ତୁ ରକ୍ଷକ ପଠାଣି ଯେନାଙ୍କ ସମେତ ୪ଜଣିଆ ଦଳ ଆଜି ସନ୍ଧ୍ୟା ୫ଟା ୪୫ରେ ନନ୍ଦନକାନନରେ ପହଞ୍ଚିଥିଲେ। ଏକ ପିକ୍-ଅପ୍ ଭ୍ୟାନ୍ରେ ୪ଟି ପେଟିରେ ଏମାନଙ୍କୁ ଅଣାଯାଇଥିଲା। ଗୋଟିଏ ପେଟିରେ ଥିଲେ ଆନାକୋଣ୍ତା ଓ ଅନ୍ୟ ୩ଟି ପେଟିରେ ଥିଲେ ନାଇଲ କୁମ୍ଭୀର। ସରୀସୃପ ଉଦ୍ୟାନରେ ପହଞ୍ଚିବା ପରେ ଆନାକୋଣ୍ତା ଥିବା ପେଟିକୁ କାଢ଼ି ଖୁଆଡ଼ ମଧ୍ୟରେ ରଖାଯାଇଥିଲା ଓ ପରେ କୁମ୍ଭୀର ଥିବା ପେଟିକୁ କଢ଼ା ଯାଇ ରଖାଯାଇଥିଲା। ହଳଦିଆ ଆନାକୋଣ୍ତାଙ୍କ ମଧ୍ୟରେ ସମାନ ସଂଖ୍ୟକ ପୁରୁଷ ଓ ମାଈ ଥିବା ବେଳେ ୩ଟି ଯାକ କୁମ୍ଭୀର ମାଈ ବୋଲି କହିଛନ୍ତି କ୍ୟୁରେଟର୍ ଅଞ୍ଜନ କୁମାର ମହାନ୍ତି। ଏମାନଙ୍କୁ ୫ ଦିନ ପର୍ଯ୍ୟନ୍ତ କ୍ବାରେଣ୍ଟାଇନ୍ରେ ସ୍ବାସ୍ଥ୍ୟ ନିରୀକ୍ଷଣ ଲାଗି ରଖାଯିବ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ହଳଦିଆ ଆନାକେଣ୍ତା ପରାଗୁଏନା ଆନାକୋଣ୍ତା ଭାବେ ପରିଚିତ। ବୋଡ଼ା ପ୍ରଜାତିର ଏହି ବୃହତକାୟ ସାପ ତା’ ନିଜ ପ୍ରଜାତିର ଅନ୍ୟମାନଙ୍କଠାରୁ ଆକାରରେ ଛୋଟ। ଦକ୍ଷିଣ ଆମେରିକାର ଦକ୍ଷିଣାଞ୍ଚଳରେ ଏମାନେ ବାସ କରନ୍ତି। ପରମାୟୁ ୧୫ରୁ ୨୦ବର୍ଷ ମଧ୍ୟରେ, ଲମ୍ବ ୩.୩ରୁ ୪.୪ ମିଟର ମଧ୍ୟରେ। ସେହିଭଳି ଖାର ପାଣିରେ ବସବାସ କରୁଥିବା ବୃହତ୍କାୟ ନାଇଲ କୁମ୍ଭୀର ବିଶ୍ବର ୨୬ଟି ଦେଶରେ ଦେଖିବାକୁ ମିଳନ୍ତି। ପୁରୁଷର ଲମ୍ବା ସର୍ବାଧିକ ୪.୨ମିଟର ମଧ୍ୟରେ ହୋଇଥାଏ। ଏମାନଙ୍କଠାରୁ ବଡ଼ କେବଳ ଲୁଣା ସମୁଦ୍ର କୁମ୍ଭୀର। ଏମାନଙ୍କ ନାମରେ ମଣିଷଖିଆ ଅପବାଦ ରହିଛି। ଏହି ପ୍ରଜାତି ବଂଶ ପ୍ରତି ବିପଦ ଥିବାରୁ ଗତ ୧୯୯୬ ମସିହାରୁ ନାଲି ତାଲିକାଭୁକ୍ତ କରାଯାଇଛି।