‘ଅନନ୍ୟା’ କାର୍ଯ୍ୟକ୍ରମରେ ମତ ରଖିଲେ ସଫଳ ନାରୀ ବ୍ୟକ୍ତିତ୍ୱ; ନାରୀ ସଶକ୍ତିକରଣ ଘରୁ ଆରମ୍ଭ ହେବା ଉଚିତ୍‌

ଭୁବନେଶ୍ୱର: ‘ମୁଁ ଏଠାରେ ଉପସ୍ଥିତ ମହିଳାଙ୍କ ଭିତରୁ ଜଣେ। ସାଧାରଣରେ ଦେଖିବାକୁ ଗଲେ ମୁଁ ନିହାତି ନରମ ସ୍ୱଭାବର। ମାତ୍ର କୌଣସି ସମସ୍ୟାର ସାମ୍ନା କରିବାର ଥିଲେ ମୁଁ ଏକଦମ ଟାଣୁଆ ମହିଳାଙ୍କ ପରି ସାମ୍ନାକୁ ଆସେ। ପ୍ରତ୍ୟେକ ମହିଳା ଜଣେ ଜଣେ ‘ସିଙ୍ଗ୍‌ଲ ମଦର’। ଫରକ ଏତିକି ଆପଣମାନଙ୍କ ଘର ଖର୍ଚ୍ଚରେ ସ୍ୱାମୀଙ୍କ ରୋଜଗାର ରାଶି ମିଶେ, ମୋର ମିଶେନି। ମାତ୍ର ପିଲା ସମ୍ଭାଳିବା କାମ ମାଆ ହିଁ ତ କରିଥାନ୍ତି। ଆମ ସମାଜରେ ଅନେକ କିଛି ପରିବର୍ତ୍ତନ ହୋଇଛି ସତ ମାତ୍ର ମହିଳାଙ୍କ ସ୍ଥିତି ଯେମିତି ଥିଲା ସେମିତି ଅଛି। ତାଙ୍କ ପରିସ୍ଥିତି ଆଦୌ ବଦଳିନି। ଯଦି ମହିଳା ସଶକ୍ତିକରଣ ଚାହାନ୍ତି ତେବେ ପ୍ରଥମେ ଆପଣ ନିଜର ପୁଅକୁ ଶିଖାନ୍ତୁ କିପରି ମହିଳାଙ୍କୁ ସମ୍ମାନ ଦିଆଯିବା ଉଚିତ।’

ଆଜି କନକ ନ୍ୟୁଜ୍‌ ଦ୍ୱାରା ଆୟୋଜିତ ‘ଅନ୍ୟନ୍ୟା’ କାର୍ଯ୍ୟକ୍ରମର ତୃତୀୟ ସଂସ୍କରଣରେ ଏପରି ମତ ରଖିଛନ୍ତି ଜାତୀୟ ପୁରସ୍କାର ବିଜେତା ଅଭିନେତ୍ରୀ ନୀନା ଗୁପ୍ତା।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଜ୍ଞାନପୀଠ ପୁରସ୍କାର ବିଜେତା ସାହିତ୍ୟିକା ପଦ୍ମଶ୍ରୀ ପ୍ରତିଭା ରାୟ ମହିଳାମାନଙ୍କ ସଂପର୍କରେ ନିଜର ବହୁମୂଲ୍ୟ ମତ ରଖିଥିଲେ। ମଞ୍ଚ ଉପରେ ଶ୍ରୀମତୀ ରାୟଙ୍କୁ ତାଙ୍କର କାଳଜୟୀ ଉପନ୍ୟାୟ ‘ଯାଜ୍ଞସେନୀ’କୁ ନେଇ ବିଭିନ୍ନ ପ୍ରଶ୍ନ ପଚାରିିଥିଲେ ତାଙ୍କ ଝିଅ ତଥା ଶିକ୍ଷାବିତ୍‌ ଡ. ଆଦ୍ୟାଶା ଦାସ। ପ୍ରଶ୍ନର ଉତ୍ତରରେ ଡ.ରାୟ କହିଥିଲେ, ‘ମୁଁ ଚରିତ୍ର ନିର୍ବାଚନ କରେନି, ଚରିତ୍ରମାନେ ମୋତେ ନିର୍ବାଚନ କରନ୍ତି। ଯୁଗ ଅନୁସାରେ ଦ୍ରୌପଦୀ ଚରିତ୍ରର ପ୍ରାସଂଗିକତା ଅନେକ ବଢ଼ିଛି। ‘ଯାଜ୍ଞସେନୀ’ ଲେଖିବା ବେଳେ ଚରିତ୍ର, ଘଟଣା, ସ୍ରଷ୍ଟା ସବୁ ଏକ ହୋଇ ଯାଇଥିଲେ। ପ୍ରତ୍ୟେକ ମୁହୂର୍ତ୍ତରେ ଚାଲିଥିଲା ଶବ୍ଦର ମାଳ ଗୁନ୍ଥା। ଜଣେ ଉତ୍ତମ ଲେଖକ ଭିତରେ ପ୍ରେମ ଓ ନର୍ଭୀକତା ଦୁଇଟି ମୁଖ୍ୟ ଉପାଦାନ ହେବା ଉଚିତ।’

ଏହି ସଭାରେ ବିଜେପି ରାଜ୍ୟ ଯୁବ ସଂଯୋଜିକା ଉପାସନା ମହାପାତ୍ର, ମେଟ୍ରୋ ବିଲ୍‌ଡର୍ସର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ସୋଫ୍ରା ଫିରଦୋସ ଓ କଶ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତି ଉପସ୍ଥିତ ରହି ନିଜ ନିଜର ମୂଲ୍ୟବାନ ମତ ରଖିଲେ। ସମ୍ବାଦ ଗ୍ରୁପର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶିକା ତନୟା ପଟ୍ଟନାୟକ କାର୍ଯ୍ୟକ୍ରମରେ ଉପସ୍ଥିତ ରହି ସ୍ୱାଗତ ଭାଷଣ ଦେବା ସହ ନୀନା ଗୁପ୍ତାଙ୍କ ସାକ୍ଷାତ୍‌କାର ନେଇଥିଲେ। ‘ସମ୍ବାଦ’ର ସଂପାଦକ ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ମଞ୍ଚ ଉପରେ ଡକ୍ଟର ପ୍ରତିଭା ରାୟ ଏବଂ ତାଙ୍କ ଝିଅ ଡଃ ଆଦ୍ୟାଶା ଦାସଙ୍କୁ ଉପଢୌକନ ପ୍ରଦାନ କରିଥିଲେ।

(ବନ୍ଦନା ମିଶ୍ର)                                                                                                           

ସମ୍ବନ୍ଧିତ ଖବର