ଖଣ୍ଡଗିରି: ଭୁବନେଶ୍ବରରେ ଏକାଧିକ ପାର୍କ ରହିଛି। ତଥାପି ଲୋକମାନଙ୍କୁ ପ୍ରାକୃତିକ ପରିବେଶ ମିଳି ପାରୁନାହିଁ। କଂକ୍ରିଟ୍‌ ଜଙ୍ଗଲ ବୃଦ୍ଧି ପାଉଥିବାରୁ ପ୍ରାକୃତିକ ପରିବେଶ ସଂକୁଚିତ ହୋଇଯାଉଛି। ସହରର ଗାଡ଼ି ମଟରର କର୍କଶ ଶବ୍ଦ ଏବଂ କଳା ଧୂଆଁ ଭିତରେ ପରିବେଶ ହଜି ଯାଉଛନ୍ତି। ଫଳରେ ସହରବାସୀଙ୍କ ଅବସର ବିନୋଦନ ଲାଗି ଭଲ ଏବଂ ଉପଯୁକ୍ତ ବାତାବରଣ ମିଳୁନି। ତାହାକୁ ଦୃଷ୍ଟିରେ ରଖି ସିଟି ଫରେଷ୍ଟ ଡିଭିଜନ ପକ୍ଷରୁ ୯୦ ଏକର ଜମିରେ ‘ଆନନ୍ଦବନ’ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଛି। ଯେଉଁଠି ରହିବ ପାଦଚଲା ରାସ୍ତା, ରେନ୍‌ ସେଡ୍‌, ଶିଶୁ ଉଦ୍ୟାନ, ଶୌଚାଳୟ, ବସିବା ଲାଗି ସ୍ଥାନ ଇତ୍ୟାଦି। ଜଙ୍ଗଲ ସଫାରି ପାଇଁ ବ୍ୟାଟେରି ଚାଳିତ ଗାଡ଼ି ମଧ୍ୟ ଉପଲବ୍ଧ ହେବ। ପର୍ଯ୍ୟଟକଙ୍କ ପାଇଁ ସାଇକେଲିଂ, ଜଗିଂ ଟ୍ରାକ ବ୍ୟବସ୍ଥା ହେବ। ଲୋକ ସମାଗମ ବେଳେ ବନ୍ୟପ୍ରାଣୀ, ଜୈବ ବିବିଧତା ଯେଭଳି ପ୍ରଭାବିତ ନ ହୁଏ, ସେଥିପ୍ରତି ଧ୍ୟାନ ଦିଆଯିବ।

Advertisment

କଳିଙ୍ଗ ବିହାରରେ ୯୦ ଏକର ଜମିରେ ହେବ

୨ ଜଙ୍ଗଲକୁ ‌‌ଯୋଡ଼ିବ ଫୁଟ୍ ଓଭର୍‌ବ୍ରିଜ୍‌

କଳିଙ୍ଗ ବିହାର କେ-୩ ଓ ଘାଟିକିଆରେ ଥିବା ଜଙ୍ଗଲକୁ ନେଇ ଏହି ପରିକଳ୍ପନାକୁ ସାକାର କରାଯିବ। ଉଭୟ ପାର୍ଶ୍ବରେ ଥିବା ଜଙ୍ଗଲକୁ ଯୋଡ଼ିବା ପାଇଁ ଏକ ଫୁଟ୍ ଓଭର୍‌ ବ୍ରିଜ ତିଆରି ହେବ। ଏଥିପାଇଁ ଓଡ଼ିଶା ଖଣି ନିଗମ ୧୪ କୋଟି ଟଙ୍କା ଯୋଗାଇ‌ଦେବ ବୋଲି ଜଣାପଡ଼ିଛି। ପ୍ରଥମ ପର୍ଯ୍ୟାୟରେ ଜଙ୍ଗଲକୁ ସଫା କରାଯାଇ ଏଥିରେ ସାଇକେଲ୍‌ ଟ୍ରାକ୍‌ ଓ ପଥଚାରୀଙ୍କ ପାଇଁ ଟ୍ରାକ୍ ପ୍ରସ୍ତୁତ କରାଯାଉଛି। ପ୍ରାୟ ୩ କିମି ଲମ୍ବର ପାଚେରି ତିଆରି ହୋଇ ଜଙ୍ଗଲକୁ ସୁରକ୍ଷିତ ରଖାଯାଉଛି। ସିଟି ଫରେଷ୍ଟ ଡିଭିଜନ୍‌ ପକ୍ଷରୁ ଏଥିପାଇଁ ବ୍ୟାପକ ବୃକ୍ଷରୋପଣ କରାଯିବ।

ଯେଉଁଥିରେ ପ୍ରାୟ ୫ ହଜାର ଔଷଧୀୟ ବୃକ୍ଷ ଲଗାଯାଇ ନଗର ବନ ସୃଷ୍ଟି କରାଯିବ। ନିମ୍ବ, କରଞ୍ଜ, ବାଉଁଶ, ବର ପରି ଚାରା ରୋପଣ ହେବ। ଜନସାଧାରଣଙ୍କୁ ଯେପରି ସ୍ବଚ୍ଛ ଅମ୍ଳଜାନ ମିଳିପାରିବ, ସେ ଦିଗରେ ପଦକ୍ଷେପ ନିଆଯିବ। ପର୍ଯ୍ୟଟକଙ୍କ ବୁଲିବା ଲାଗି ନଗର ବନ ପରିସରରେ ବ୍ୟାପକ ସୁବିଧା ସୁଯୋଗ ରହିବ।

ଏନେଇ ସିଟି ଡିଏଫ୍‌ଓ ଅଜିତ ଶତପଥୀ କହିଛନ୍ତି ଯେ ମାସେ ହେଲା ଏଥିପାଇଁ କାମ ଆରମ୍ଭ ହୋଇଛି। ୨୦୨୩ ଶେଷ ସୁଦ୍ଧା କାମ ସାରିବାକୁ ଚେଷ୍ଟା କରାଯାଉଛି। ଟିକେଟ୍‌ ଦର କେତେ ରହିବ, ଗାଡ଼ି ରଖିବା ସ୍ଥାନ, କେଉଁଠି କେତୋଟି ଫା‌ଟକ‌ ହେବ ସେନେଇ ଆଗାମୀ ଦିନରେ ବିଚାର କରାଯିବ।