ଭୁବନେଶ୍ବର : ବହୁଚର୍ଚ୍ଚିତ ଆନନ୍ଦ ଟପ୍ପୋ ମୃତ୍ୟୁ ମାମଲାକୁ ନେଇ ଯେଉଁ ଦ୍ବନ୍ଦ୍ବ ଲାଗି ରହିଥିଲା, ସେଥିରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼ିଛି। ଆନନ୍ଦ ଆତ୍ମହତ୍ୟା କରିଛନ୍ତି ବୋଲି କମିସନରେଟ୍ ପୁଲିସ ସ୍ପଷ୍ଟ କରିଛି। ଏମ୍ସର ବ୍ୟବଚ୍ଛେଦ ରିପୋର୍ଟ, ରାଜ୍ୟ ଫୋରେନ୍ସିକ୍ ଲାବରୋଟୋରିର ଭିସେରା ରିପୋର୍ଟ ଏବଂ ପାରିପାର୍ଶ୍ବିକ ସ୍ଥିତିକୁ ବିଚାରକୁ ନେଇ ପୁଲିସ୍ ଏହି ରିପୋର୍ଟ ଦେଇଛି।
କମିସନରେଟ୍ ପୁଲିସ ପକ୍ଷରୁ କୁହାଯାଇଛି ଯେ ଆନନ୍ଦ ବେକରେ ଶାଢ଼ି ବାନ୍ଧି ଝୁଲି ପଡ଼ିଥିଲେ। ମୃତ୍ୟୁ ପୂର୍ବରୁ ସେ ମଦ ବି ପିଇଥିଲେ। ତାଙ୍କ ବେକରେ ଯେଉଁ କ୍ଷତ ରହିଥିଲା, ତାହା ଝୁଲିବା ସମୟରେ ଶରୀର ତଳକୁ ଟାଣି ହେବାରୁ ଶାଢ଼ିରେ କଟି ହୋଇଛି। ତାଙ୍କ ମୃତ୍ୟୁ ପଛରେ କୌଣସି ଆପରାଧିକ ଦିଗ ନଥିବା ପୁଲିସ୍ କହିଛି। ଏନେଇ ଆଜି ଇନ୍ଫୋସିଟି ଥାନା ପକ୍ଷରୁ ୨୦୫ ପୃଷ୍ଠାର ଚାର୍ଜସିଟ୍ କୋର୍ଟରେ ଦାଖଲ କରାଯାଇଛି। ଅନ୍ୟପଟେ ଆନନ୍ଦଙ୍କ ମୃତ୍ୟୁକୁ ନେଇ ବିବାଦ ଘେରକୁ ଆସିଥବା ହକି ତାରକା ବୀରେନ୍ଦ୍ର ଲାକ୍ରାଙ୍କୁ କ୍ଲିନଚିଟ୍ ମିଳିଥିବା କୁହାଯାଉଛି।
ସୂଚନା ମୁତାବକ, ଗତବର୍ଷ ଫେବ୍ରୁଆରି ୨୮ ତାରିଖ ଦିନ ପ୍ରାୟ ସାଢ଼େ ୧୧ଟାରେ ଆନନ୍ଦ ଭୁବନେଶ୍ୱରର ଇନ୍ଫୋସିଟି ଥାନା ଅଞ୍ଚଳରେ ଥିବା ଆୟୁଷ ରେଡିୟମ୍ ଆପାର୍ଟମେଣ୍ଟର ଫ୍ଲାଟ୍ ନମ୍ବର- ୪୦୧ରେ ବେକରେ ଶାଢ଼ି ଲଗାଇ ଆତ୍ମହତ୍ୟା କରିଥିଲେ। ଘଟଣା ବିଷୟରେ ଜାଣିବା ପରେ ଘନିଷ୍ଠ ବନ୍ଧୁ ବୀରେନ୍ଦ୍ର ଲାକ୍ରା ଫୋନ୍ କରି ଆନନ୍ଦଙ୍କ ବାପା ବନ୍ଧନ ଟପ୍ପୋଙ୍କୁ ସୂଚନା ଦେଇଥିଲେ। କିନ୍ତୁ ଆନନ୍ଦଙ୍କୁ ଷଡ଼ଯନ୍ତ୍ର କରି ହତ୍ୟା କରାଯାଇଛି ବୋଲି ତାଙ୍କ ବାପା ଇନ୍ଫୋସିଟି ଥାନାରେ ଅଭିଯୋଗ କରିଥିଲେ। ଏହି ହତ୍ୟାକାଣ୍ଡରେ ବୀରେନ୍ଦ୍ର ଓ ଆନନ୍ଦଙ୍କ ବାନ୍ଧବୀ ମଞ୍ଜିତ ଟପ୍ପୋ ସାମିଲ ଥିବା ସେ ଅଭିଯୋଗ କରିଥିଲେ। ଏପରିକି ପୁଲିସ ଜାଣିଶୁଣି ବୀରେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ ଗ୍ରହଣ କରୁନାହିଁ ବୋଲି ସେ ଅଭିଯୋଗ ଆଣିଥିଲେ। ତେବେ ଏହି ଘଟଟଣାରେ ପୁଲିସ୍ ମାମଲା ରୁଜୁ ନକରିବାରୁ ବନ୍ଧନ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ଘଟଣାର ସାନି ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଘଟଣା ବିବାଦୀୟ ହେବାରୁ ତତ୍କାଳନୀ ଆଆଇସିଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରାଯାଇ କୌଣସି ଫିଲ୍ଡ ଦାୟିତ୍ବ ନ ଦେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ସେହିପରି ବୀରେନ୍ଦ୍ର ଓ ମଞ୍ଜିତଙ୍କୁ ଥାନାକୁ ଡାକି ଜେରା କରାଯାଇଥିଲା।