ଜଟଣୀ: ଜଟଣୀ ପୌରପାଳିକା ପକ୍ଷରୁ ଅଞ୍ଚଳବାସୀଙ୍କ ସୁବିଧା ସହ ଆମୋଦ ପ୍ରମୋଦ ପାଇଁ ବିଭିନ୍ନ ୱାର୍ଡରେ ସରକାରୀ ଯୋଜନାରେ ଅନେକ ପ୍ରକଳ୍ପ ତିଆରି କରାଯାଉଛି। ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। କିନ୍ତୁ ଅନେକ ସ୍ଥାନରେ ଲକ୍ଷାଧିକ ଟଙ୍କାରେ ନିର୍ମିତ ପ୍ରକଳ୍ପ ସାଧାରଣ ଲୋକଙ୍କ କାମରେ ଆସିପାରୁ ନାହିଁ। ଫଳରେ ନିର୍ମିତ ପ୍ରକଳ୍ପ ପଡ଼ି ପଡ଼ି ନଷ୍ଟ ହେଉଛି। ଜଟଣୀ ପୌରାଞ୍ଚଳର କୁମାରଖାତିଆ ଅଞ୍ଚଳରେ ବର୍ଷେ ପୂର୍ବରୁ ନିର୍ମିତ ଆନନ୍ଦ ପାର୍କ ଏହାର ଗୋଟିଏ ଉଦାହରଣ। ଏବେ ଏହି ଅଧାଗଢ଼ା ପାର୍କ ପରିସର ବଣ ପାଲଟି ଯାଇଛି। ଏଥିସହ ଛୋଟ ପିଲାଙ୍କ ଖେଳିବା ପାଇଁ ଯେଉଁ ସରଞ୍ଜାମ ଲାଗିବା କଥା ତାହା ମଧ୍ୟ ଲଗା ନ ଯାଇ ଟଙ୍କା ଚଳୁ କରାଯାଇଛି ବୋଲି ଅଭିଯୋଗ ହୋଇଛି। ଅନ୍ୟପଟେ ଉକ୍ତ ପାର୍କକୁ ଲାଗିକି ରାସ୍ତାକଡ଼ରେ ବିପଦପୂର୍ଣ୍ଣ ଅବସ୍ଥାରେ ଏକ ଟ୍ରାନ୍ସଫର୍ମର ରହିଛି। ବ୍ୟାରିଗେଡ୍ ହୋଇ ନଥିବାରୁ ଭୟରେ ଲୋକେ ଯାତାୟାତ କରୁଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ।
ଜଟଣୀ ପୌରପାଳିକା ଅନ୍ତର୍ଗତ ୧୧ନମ୍ବର ୱାର୍ଡର କୁମାରଖାତିଆ (ନୂତନ କୋର୍ଟ ନିର୍ମାଣ ପଛପଟେ) ୨୦୨୪ ମସିହାରେ ମୁକ୍ତା ଯୋଜନାରେ ୧୦ଲକ୍ଷ ଟଙ୍କା ବ୍ୟୟରେ ଅଞ୍ଚଳବାସୀଙ୍କ ପାଇଁ ଏକ ମିନି ପାର୍କ ନିର୍ମାଣ କରାଯାଇଥିଲା। ଅଞ୍ଚଳବାସୀଙ୍କ ଦାବି ଅନୁସାରେ ଏହି ପାର୍କ ନିର୍ମାଣ ପାଇଁ ଟଙ୍କା ବ୍ୟୟ ହୋଇଥିଲା। ପାର୍କରେ ଛୋଟ ପିଲାମାନେ ଖେଳିବା ପାଇଁ ବିଭିନ୍ନ ଖେଳ ସରଞ୍ଜାମ, ବରିଷ୍ଠ ନାଗରିକଙ୍କ ପାଇଁ ମୁକ୍ତାକାଶ ବ୍ୟାୟାମ ସରଞ୍ଜାମ ସହ ପାଦଚଲା ପଥ ନିର୍ମାଣ ପାଇଁ ଟଙ୍କା ବ୍ୟୟ ହୋଇଥିଲା। କାମ ଆରମ୍ଭ ହେଲା ସତ କିନ୍ତୁ ସଂପୂର୍ଣ୍ଣ ଶେଷ ନହୋଇ ଅଧାରୁ କାମ ବନ୍ଦ ହୋଇଯାଇଛି। ନିର୍ମାଣ ଦାୟିତ୍ୱ ନେଇଥିବା ଠିକାଦାର କେବଳ ପାଚେରି ସହ ଭିତରେ ପାଦ ଚଲାପଥ ତିଆରି କରି କାମ ବନ୍ଦ କରିଦେଲେ। ଫଳରେ ବର୍ଷେ ହେଲା କଲୋନି ଲୋକଙ୍କ ଆମୋଦ ପ୍ରମୋଦ ପାଇଁ ନିର୍ମିତ ହୋଇଥିବା ଏହି ପାର୍କ ଏବେ ଅବ୍ୟବସ୍ଥା ଘେରରେ ପଡ଼ି ରହିଛି। ସରୀସୃପ ଭୟରେ ପାର୍କ ଭିତରକୁ ଯିବାକୁ କେହି ସାହସ କରୁନାହାନ୍ତି। ସେହି ରାସ୍ତା ଦେଇ ଛୋଟ ପିଲାଙ୍କଠାରୁ ଆରମ୍ଭ କରି, ଗୋରୁଗାଈ ଆଦି ବୁଲା ବୁଲି କରୁଛନ୍ତି। ବିଦ୍ୟୁତ୍ ବିଭାଗର ଖାମଖିଆଲ ନୀତି ପାଇଁ ଆଗକୁ ବିପଦ ଘଟିବା ନେଇ ଅଞ୍ଚଳବାସୀ ଆଶଙ୍କା କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/10/04/sfsfsfcxxc-2025-10-04-03-39-39.jpg)