ଖଣ୍ଡଗିରି: ଭୁବନେଶ୍ବର ସିଟି ଡିଭିଜନ୍‌ ଅଧୀନ କଳିଙ୍ଗନଗର କେ-୩ରେ ଥିବା ‘ଆନନ୍ଦବନ’ ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କ ନାମରେ ନାମିତ କରାଯାଇଛି। ଏଣିକି ‘ଅଟଳବିହାରୀ ବାଜପେୟୀ ଆନନ୍ଦବନ’ ବୋଲି ଉଲ୍ଲେଖ ରହିବ। ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ପ୍ରସ୍ତାବ ଉପରେ ବନ ବିଭାଗ ମୋହର ମାରିଛି। ନାମ ପରିବର୍ତ୍ତନ ହୋଇଥିବାରୁ ଆଗାମୀ ଦିନରେ ‘ଆନନ୍ଦବ‌ନ’ ପରିସରରେ ବା‌ଜପେୟୀଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି। ସୁଶାସନ ଦିବସ ଅର୍ଥାତ୍‌ ୨୦୨୪ ଡିସେମ୍ବର ୨୫ରେ ବିଡିଏ ପକ୍ଷରୁ ଏହାର ନାମ ପରିବର୍ତ୍ତନ ନେଇ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭ‌ାଗକୁ ପ୍ରସ୍ତାବ ଦିଆଯାଇଥିଲା। 

Advertisment

ବିଡିଏ ପ୍ରସ୍ତାବ ଉପରେ ଜଙ୍ଗଲ ବିଭାଗର ମୋହର
ବାର୍ଡ ୱାକ୍‌ ଦେଖିଲେ ୪୦ରୁ ଅଧିକ ପ୍ରବାସୀ

୯୦ ଏକର ପରିମିତ ଜମିରେ ଛିଡ଼ା ହୋଇଥିବା ‘ଆନନ୍ଦବନ’ ଏବେ ସହରର ପ୍ରମୁଖ ଆକର୍ଷଣ ପାଲଟିଛି। ଶାନ୍ତ ପରିବେଶରେ ପ୍ରତିଷ୍ଠିତ ଏହି ପ୍ରାକୃତିକ ପରିବେଶରେ ୩ହଜାରରୁ ଅଧିକ ପକ୍ଷୀ ରହିଛନ୍ତି। ଦୁଇ ବର୍ଷ ମଧ୍ୟରେ ଏଠାରେ ପ୍ରାୟ ୩୦ ହଜାର ଗଛ ଲଗାଯାଇଥିବାରୁ ପକ୍ଷୀଗୁଡ଼ିକ ଆସ୍ତେ ଆସ୍ତେ ଏବେ ସେଠାରେ ବସା ବାନ୍ଧିବା ଆରମ୍ଭ କରିଛନ୍ତି। ପର୍ଯ୍ୟଟକମାନେ ମଧ୍ୟ ଆକୃଷ୍ଟ ହେଉଛନ୍ତି। ପ୍ରତିଦିନ ହାରାହାରି ୨ରୁ ୩ ହଜାର ପର୍ଯ୍ୟଟକ ଏହା ଭିତରେ ସମୟ ବିତାଉଛନ୍ତି। ଦିନେ ଦିନେ ପର୍ଯ୍ୟଟକଙ୍କ ସଂଖ୍ୟା ୩ ହଜାର ଟପିଯାଉଥିବା ଦେଖିବାକୁ ମିଳୁଛି। ପ୍ରବାସୀ ଭାରତୀୟ ଦିବସ ଅବସରରେ ‘ଆନନ୍ଦବନ’ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ବିଦେଶୀରୁ ଆସିଥିବା ପ୍ରବାସୀମାନେ ଏଠାରେ ସମୟ ଅତିବାହିତ କରିବା ସହ ସହରରେ ଜଙ୍ଗଲୀ ପରିବେଶର ମଜା ଉଠାଉଛନ୍ତି। ଜାତୀୟ ଚିଲିକା ପକ୍ଷୀ ମହୋତ୍ସବ ପରି‌ପ୍ରେକ୍ଷୀରେ ଆଜି ‘ଆନନ୍ଦବନ’ରେ ବାର୍ଡ ୱାକ୍‌ ଅନୁଷ୍ଠିତ ହୋଇଥିଲା। ଦେଶ ବିଦେଶର ୪୦ ଜଣ ପକ୍ଷୀ ପ୍ରେମୀ ଏଥିରେ ଅଂଶଗ୍ରହଣ କରିଥିଲେ। ଚାଲିଚାଲି ଏହା ପରିସରରେ ବସା ବାନ୍ଧିଥିବା ଏବଂ ଶୀତ ଦିନେ ଆସିଥିବା ପକ୍ଷୀମାନଙ୍କୁ ଦେଖିଥିଲେ। ଖାଲି ଆଖିରେ କେତେକ ପକ୍ଷୀଙ୍କୁ ଦେଖିବା ସମ୍ଭବପର ହେଉ ନ ଥିବାରୁ ବାଇନାକୁଲାର ବ୍ୟବହାର କରିଥିଲେ। ଭୋର ସମୟରେ ପରିଦର୍ଶନ କରିବା ପରେ ଭ୍ରମଣକାରୀମାନେ ଖୁସିବ୍ୟକ୍ତ କରିଥିଲେ। ସିଟି ଡିଏଫ୍‌ଓ ଅଜିତ୍‌ କୁମାର ଶତପଥୀଙ୍କ କହିବାନୁଯାୟୀ ‘ଆନନ୍ଦବନ’ ଏବେ ଲୋକଙ୍କ ଦ୍ବାରା ଆଦୃତ ହୋଇଛନ୍ତି। ସହରାଞ୍ଚଳରେ ଲୋକେ ଜଙ୍ଗଲର ମଜା ଉଠାଉଛନ୍ତି। ଉଦ୍‌ଘାଟନ ପରଠାରୁ ଏପର୍ଯ୍ୟନ୍ତ ପ୍ରାୟ ୩୦ହଜାର ଗଛ ଲାଗିଛି, ଯାହାକି ପକ୍ଷୀଙ୍କ ପାଇଁ ବେଶ ଉପଯୋଗୀ ହେଉଛି। ସେମାନଙ୍କ ବସବାସରେ ବ୍ୟାଘାତ ନ ହେବା ପାଇଁ ଦିନ‌ ସମୟରେ ଏହାକୁ ବନ୍ଦ ରଖାଯାଉଛି। ପ୍ରବାସୀମାନେ ଆଜି ବାର୍ଡ ୱାର୍କ ସମୟରେ ‘ଆନନ୍ଦବନ’ର ମଜା ଉଠାଇଥିଲେ। ବିଡିଏ ପ୍ରସ୍ତାବ ଆଧାରରେ ବିଭାଗ ପକ୍ଷରୁ ଅଟଳ ବିହାରୀ ବାଜପେୟୀଙ୍କ ନାମରେ ନାମିତ କରାଯାଇଛି। ଆଗାମୀ ଦିନରେ ନୂଆ ନୂଆ ଯୋଜନା କରାଯିବ।

୨୦୨୪ ମାର୍ଚ୍ଚରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ସାଧାରଣ ଜନତାଙ୍କ ପାଇଁ ଉତ୍ସର୍ଗ କରିଥିଲେ। ନୂଆ ସରକାର ଆସିବା ପରେ ଏହାର ନାମ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ହୋଇଛି। ନୂତନ ଓଡ଼ିଶା ଗଠନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ଅଟଳବିହାରୀ ବାଜପେୟୀଙ୍କର ବଡ଼ ଭୂମିକା ରହିଥିବାରୁ ତାଙ୍କ ନାମରେ ‘ଆନନ୍ଦବନ’କୁ ନାମିତ କରିବାକୁ ନିଷ୍ପତ୍ତି ହୋଇଥିଲା। ଏବେ ‘ଆନନ୍ଦବନ‌’ର ପ୍ରାକୃତିକ ପରିବେଶରେ ଝରଣା ପ୍ରସ୍ତୁତି ଜୋର୍‌ସୋର୍‌ରେ ଚାଲିଛି। ୫୦୦ ମିଟରର ଏହି ଝରଣା କୂଳରେ ବିଭିନ୍ନ ପ୍ରକାରର ଫୁଲଗଛ ଲାଗୁଥିବା ଏଠାକାର ଜଣେ କର୍ମଚାରୀ କହିଛନ୍ତି।