ଅନନ୍ତ ବ୍ରତ: ବାସୁଦେବ ମନ୍ଦିରରେ ୫୦ହଜାର ବ୍ରତଧାରୀ

ପୁରୁଣା ଭୁବନେଶ୍ବର: ଅନନ୍ତ ବ୍ରତ ପାଳନ ପାଇଁ ବାସୁଦେବ ମନ୍ଦିରରେ ଆଜି ବ୍ୟାପକ ଭିଡ଼ ପରିଲକ୍ଷିତ ହୋଇଥିଲା। ଆଜି ପ୍ରାୟ ୫୦ ହଜାରରୁ ଅଧିକ ମହିଳା ବ୍ରତଧାରୀଙ୍କ ସମାଗମ ହୋଇଥିଲା। ଏଥିପାଇଁ ପୁଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କରାଯାଇଥିବା ବେଳେ ବ୍ରାହ୍ମଣ ନିଯୋଗ ସମିତି ତରଫରୁ ଅଧିକ ଅବଢ଼ା ବ୍ୟବସ୍ଥା, ବ୍ୟାରିକେଡ୍‌, ଦର୍ଶନ ପାଇଁ ସୁବିଧା କରାଯାଇଥିଲା। ଗତକାଲି ରାତି ପ୍ରାୟ ସାଢ଼େ ୨ଟାରେ ବାସୁଦେବ ମନ୍ଦିରରେ ପହୁଡ଼ ଖୋଲା ଯାଇଥିଲା। ୩ଟାରେ ମଙ୍ଗଳ ଆଳତି ଅବକାଶ ନୀତି ସମ୍ପନ୍ନ ହୋଇ ବ୍ରତପୂଜା ଆରମ୍ଭ ହୋଇଥିଲା। ପୂଜା ଅପରାହ୍‌ଣ ୪ଟା ପର୍ଯ୍ୟନ୍ତ ଚାଲିଥିଲା। ଭୋର୍‌ରୁ ବ୍ରତଧାରୀଙ୍କ ଭିଡ଼ ଲାଗିଥିଲା। ବ୍ରାହ୍ମଣ ନିଯୋଗ ସମିତି ପକ୍ଷରୁ ମନ୍ଦିରର ଦୁଇ ପଟେ ଦୁଇ ଶହ ମିଟର ଲେଖାଏଁ ବ୍ୟାରିକେଡ୍‌ ହୋଇଥିଲେ ହେଁ ଭକ୍ତଙ୍କ ଧାଡ଼ି ଗୋଟିଏ ପଟେ ଲିଙ୍ଗରାଜ ମାର୍କେଟ ପର୍ଯ୍ୟନ୍ତ ଓ ଅନ୍ୟ ପଟେ ଦ୍ବାରବାସିନୀ ମନ୍ଦିର ପର୍ଯ୍ୟନ୍ତ ଲମ୍ବିଯାଇଥିଲା।

ପୂଜା ପରେ ଅବଢ଼ା ପାଇବା ପାଇଁ ବାସୁଦେବ ମନ୍ଦିର ଆନନ୍ଦ ବଜାରରେ ବ୍ରତଧାରୀମାନଙ୍କର ଭିଡ଼ ଲାଗିଥିଲା। ତେବେ କୁଡ଼ୁଆ ଅଭାବ ଯୋଗୁଁ ଅବଢ଼ା ଦେବାରେ ବିଳମ୍ବ ହେଉଥିବାରୁ ଭକ୍ତମାନଙ୍କୁ ହଇରାଣ ହେବାକୁ ପଡ଼ିଥିଲା। ଅପରାହ୍‌ଣ ୪ଟାରେ ବାସୁଦେବ ମନ୍ଦିର ଓ ଶ୍ରୀଲିଙ୍ଗରାଜ ମନ୍ଦିର ପ୍ରସାଦ ବାହାରିବା ପରେ ଶ୍ରଦ୍ଧାଳୁ ଏହାକୁ ନେଇଥିଲେ। ଭକ୍ତଙ୍କ ଭିଡ଼ ଏଡ଼ାଇବା ପାଇଁ ୮ପ୍ଲାଟୁନ ଫୋର୍ସ ମୁତୟନ ହେବା ସହ ବଢ଼େଇବାଙ୍କ ଛକ, ଶ୍ରୀଲିଙ୍ଗରାଜ ମନ୍ଦିର ସିଂହଦ୍ବାର, କେଦାରଗୌରୀ ଛକପଟୁ ସମସ୍ତ ଗାଡ଼ି ଚଳାଚଳ କରାଯାଇଥିଲା। ସାଦା ପୋଷାକରେ ପୁଲିସ କର୍ମଚାରୀମାନେ ରହିବା ସହ ଅତିରିକ୍ତ ଡିସିପିଙ୍କ ନେତୃତ୍ବରେ ୩ଜଣ ଏସିପି, ୬ଜଣ ଇନ୍‌ସପେକ୍ଟର, ୨୫ଜଣ ଏସ୍ଆଇ ଓ ଏଏସ୍ଆଇଙ୍କ ସମେତ ୮ ପ୍ଲାଟୁନ୍‌ ପୁଲିସ୍‌ ନିୟୋଜିତ ହୋଇଥିଲେ ବୋଲି ଶ୍ରୀଲିଙ୍ଗରାଜ ଥାନା ଅଧିକାରୀ ଶରତ ଚନ୍ଦ୍ର ପାତ୍ର ସଚୂନା ଦେଇଛନ୍ତି। ଭିଡ଼ ଅଧିକ ଥିବା ବେଳେ କିଛି ମହିଳା ଲୁଟେରା ଏହାର ସୁଯୋଗ ନେଇଥିଲେ। ଖୋର୍ଧା ଅଞ୍ଚଳର ରାଧାରାଣୀ ଦାସ ଓ ଜଟଣୀର ଶ୍ରୀମୟୀ ସାହୁଙ୍କ ଚେନ୍‌ ଲୁଟ୍‌ ହୋଇଥିଲା। ସେହିପରି ଦୁଇ ଜଣ ମହିଳାଙ୍କ ପର୍ସ ଲୁଟ୍ ହୋଇଥିଲା। ତେବେ ଏନେଇ ଅଭିଯୋଗ ହୋଇନାହିଁ ବୋଲି ଥାନା ଅଧିକାରୀ କହିଛନ୍ତି।

ସମ୍ବନ୍ଧିତ ଖବର