ଅନନ୍ତ କେଶରୀ ଯାତ୍ରା: ଆୟ ୫୦ ଲକ୍ଷରୁ ଊର୍ଦ୍ଧ୍ବ, ଅନୁଦାନ ମାତ୍ର ଲକ୍ଷେ

ରାଜସ୍ବ ସଂଗ୍ରହର ମାଧ୍ୟମ କରାଯାଉଥିବା ଅଭିଯୋଗ

ଖଣ୍ଡଗିରି: ଖଣ୍ଡଗିରି କୁମ୍ଭମେଳାର ପାର୍କିଂ, ଯାତ୍ରା ପେଣ୍ଡାଲ, ଦୋଳି ଖେଳ, ହାଟବଜାର ପିଣ୍ଡି ବାବଦରେ ବିଏମ୍‌ସି ୫୦ଲକ୍ଷରୁ ଊର୍ଧ୍ବ ଟଙ୍କା ରାଜସ୍ବ ଆକାରରେ ପାଉଛି। କିନ୍ତୁ ଯେଉଁ ଅନନ୍ତକେଶରୀଙ୍କ ପାଇଁ ସମୁଦାୟ ଆୟୋଜନ ତାଙ୍କ ନାଁରେ ମାତ୍ର ୧ଲକ୍ଷ ଟଙ୍କା ଅନୁଦାନ ଦେଉଛି। ଏହା କେମିତି ନ୍ୟାୟ ବୋଲି ବିଏମସିକୁ ପ୍ରଶ୍ନ କରିଛି ଜାଗମରା ଗାଁ କମିଟି। ଅନୁଦାନକୁ ନିହାତି ୫ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ପାଇଁ ଚଳିତ ବର୍ଷ କମିଟି ପକ୍ଷରୁ ଦାବି କରାଯାଇଥିଲେ ମଧ୍ୟ କେହି ଶୁଣିନଥିବା ଅଭିଯୋଗ ହୋଇଛି। ଖଣ୍ଡଗିରି ମେଳା ଧାର୍ମିକ ଏବଂ ଐତିହାସିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ। ସ୍ଥାନୀୟ ଲୋକଙ୍କ ଭାବାବେଗ ମଧ୍ୟ ଏଥିସହ ଜଡ଼ିତ ରହିଛି। ଏହି ମେଳାର ପ୍ରଚାର ପ୍ରସାର ସହିତ ଧାର୍ମିକ ଦୃଷ୍ଟିରୁ ଏହାର କଳେବର ବୃଦ୍ଧିର ଆବଶ୍ୟକତା ଥିବା ନେଇ ସ୍ଥାନୀୟ ଅଧିବାସୀମାନେ ମତ ଦେଇଛନ୍ତି।

ଏବେ ଖଣ୍ଡଗିରି ମେଳାରେ ପ୍ରତିଦିନ ଜମୁଛି କାହିଁରେ କେତେ ଭିଡ଼। ଖଣ୍ଡଗିରି ପାହାଡ଼ର ହୋମ ଯଜ୍ଞ ସହିତ ମେଳା ଏବଂ ଯାତ୍ରାର ମଜା ନେଉଛନ୍ତି ସ୍ଥାନୀୟ ଅଧିବାସୀଙ୍କ ସମେତ ରାଜଧାନୀ ବାହାର ଅନେକ ଲୋକ। ହିନ୍ଦୁ ଧର୍ମାବଲମ୍ବୀଙ୍କ ବିଶ୍ବାସ ଅନୁଯାୟୀ, ପ୍ରଭୁ ଶ୍ରୀକୃଷ୍ଣଙ୍କ ପୁତ୍ର ଶାମ୍ବ କୋଣାର୍କରେ ମାଘସ୍ନାନ ପରେ ଭୁବନେଶ୍ବରସ୍ଥିତ ଏହି ପାହାଡ଼ରେ ଖଣ୍ଡଖିରି ଅର୍ଥାତ୍‌ ଜାଉ ଖାଇଥିବାରୁ ଏହି ପାହାଡ଼ର ନାଁ ହେଲା ଖଣ୍ଡଗିରି ଯାହାର ଅନ୍ୟନାମ ତପୋବନ। ଲୋକକଥା ଅନୁଯାୟୀ ୧୯୧୨ ମସିହା ପର୍ଯ୍ୟନ୍ତ ଖଣ୍ଡଗିରି ପାହାଡ଼ରେ ହିଁ ଅନନ୍ତ କେଶରୀଙ୍କ ମନ୍ଦିର ରହିଥିଲା। ପରବର୍ତ୍ତୀ ସମୟରେ ସେ ଜାଗମରା ଗାଁକୁ ଆସିଥିଲେ। ମାଘମେଳା ଅବସରରେ ହିଁ ଅନନ୍ତ କେଶରୀ ଜାଗମରା ମନ୍ଦିର ପୀଠରୁ ବାହାରି ଉଦୟଗିରି ପାହାଡ଼ସ୍ଥିତ ରାଣୀ ହଂସପୁରକୁ ଯାତ୍ରା କରନ୍ତି।

ଏଥିପାଇଁ ହେଉଥିବା ସମୁଦାୟ ଖର୍ଚ୍ଚ ଜାଗମରା ଗାଁ କମିଟି ପକ୍ଷରୁ ହିଁ କରାଯାଏ। ମେଳଣ ପଡ଼ିଆରୁ ପୂର୍ବରୁ କମିଟି କିଛି ରାଜସ୍ବ ପାଉଥିଲା। ଏଥିଯୋଗୁଁ ଯାତ୍ରା ଆୟୋଜନ ସହଜ ହେଉଥିଲା। କିଛି ବର୍ଷ ହେଲା ମେଳଣ ପଡ଼ିଆ ଜମିକୁ ସରକାରଙ୍କ ପକ୍ଷରୁ ଲିଜ୍‌ ଆକାରରେ ଅନ୍ୟ ବ୍ୟବସାୟୀଙ୍କୁ ଦିଆଯାଇଛି। ବର୍ତ୍ତମାନ କମିଟି ଲୋକଙ୍କ ଦାନ ଉପରେ ହିଁ ସମୁଦାୟ ଭରସା କରୁଛି। ରାଜ୍ୟରେ ବିଭିନ୍ନ ପ୍ରକାର ଯାତ୍ରା ଯେଉଁଭଳି ଆଡ଼ମ୍ବର ସହକାରେ ହୁଏ, ଅନନ୍ତ କେଶରୀ ଯାତ୍ରାକୁ ସେଭଳି କରିବା ପାଇଁ ସ୍ଥାନୀୟ ଅଧିବାସୀ ଯଥାସମ୍ଭବ ଚେଷ୍ଟା କରନ୍ତି। ପାରମ୍ପରିକ ନୃତ୍ୟ ଏବଂ ବାଦ୍ୟ ତାଳରେ ଠାକୁରଙ୍କୁ ବିମାନରେ ବସାଇ ଶୋଭାଯାତ୍ରା କରାଯାଏ। ଠାକୁରଙ୍କ ପୂଜା ସାମଗ୍ରୀ, ସାଜସଜ୍ଜା ସହ ବାଣ, ଲାଇଟ୍‌ରେ ଚଳିତ ବର୍ଷ ସମୁଦାୟ ପ୍ରାୟ ୮ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଅନନ୍ତ କେଶରୀ ଯାତ୍ରା ପାଇଁ ଏହି ଖର୍ଚ୍ଚ ବଡ଼ କଥା ନୁହେଁ। କାରଣ ଅନନ୍ତକେଶରୀଙ୍କ ଯାତ୍ରା ପାଇଁ ଯେଉଁ ମେଳାର ଆୟୋଜନ ହୁଏ, ସେଥିରେ ବିଏମ୍‌ସିର ରାଜସ୍ବ ଆଦାୟ କାହିଁରେ କେତେ। ଉଦାହରଣ ସ୍ବରୂପ ବିଏମ୍‌ସି ୭ ହଜାର ଟଙ୍କା ଲେଖାଏଁ ୬ ଅପେରା ପେଣ୍ଡାଲଙ୍କଠାରୁ ପ୍ରତିଦିନ ଟଙ୍କା ଆଦାୟ କରୁଛି। ଅସ୍ଥାୟୀ ଦୋକାନ ପ୍ଲଟ୍‌ ପାଇଁ ମଧ୍ୟ ୯୨୫୦ ଟଙ୍କା ହିସାବରେ ୩୬୦ ବ୍ୟବସାୟୀଙ୍କଠାରୁ ବିପୁଳ ରାଜସ୍ବ ଆଦାୟ ହେବ। ପୁଣି ପାର୍କିଂ ଦେୟର ଅନ୍ୟ ବ୍ୟବସ୍ଥା ରହିଛି।

ରାଜ୍ୟ ସରକାରଙ୍କ ସଂସ୍କୃତି ବିଭାଗ ପକ୍ଷରୁ ଏହି ମେଳା ପାଇଁ କୌଣସି ଅନୁଦାନ ବ୍ୟବସ୍ଥା ନାହିଁ। ତେଣୁ ଅନ୍ତତଃ ବିଏମ୍‌ସି ପକ୍ଷରୁ ଦିଆଯାଉଥିବା ଅନୁଦାନ ରାଶି ବୃଦ୍ଧିର ଆବଶ୍ୟକତା ରହିଛି। ପୂର୍ବତନ କର୍ପୋ‌ରେଟର୍‌ ରଘୁ ମହାନ୍ତିଙ୍କ କହିବାନୁସା‌ରେ, ପୂର୍ବତନ ନଗରପାଳ ଜଗନ୍ନାଥ ମହାପାତ୍ରଙ୍କ କାର୍ଯ୍ୟକାଳ ସମୟରେ ପ୍ରଥମ କରି ୫ହଜାର, ମେୟର ମିହିର ମହାନ୍ତିଙ୍କ ସମୟରେ ୨୦ ହଜାର, ଅନନ୍ତ ଜେନାଙ୍କ ସମୟରେ ୭୦ହଜାର ଟଙ୍କାକୁ ଅନୁଦାନ ବଢ଼ିଥିଲା। ୨୦୨୦ ମସିହା ଦୁଇ ବର୍ଷ ଧରି ଅନୁଦାନ ବନ୍ଦ ପରେ ଚଳିତ ବର୍ଷ ୧ଲକ୍ଷ ଟଙ୍କା ଦିଆଯାଇଛି। ଯାହା ନାମକୁମାତ୍ର ହୋଇଥିବା କମିଟି ପକ୍ଷରୁ କୁହାଯାଇଛି। କେବଳ ଅନନ୍ତ କେଶରୀଙ୍କ ଯାତ୍ରା ପାଇଁ ହିଁ ଅନୁଦାନ ମଗାଯାଉଛି। ଏହି ମେଳା ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ସାଧୁ, ସନ୍ଥଙ୍କ ରହିବା, ଖାଇବା ଖର୍ଚ୍ଚ ସେମାନେ ନିଜେ କିମ୍ବା ବାରଭୁଜା କମିଟି ପକ୍ଷରୁ ଦିଆଯାଏ।

ଦେଖାଯାଉନାହାନ୍ତି କମାର, କୁମ୍ଭାର, ବାଉଁଶ କାରିଗର

ପୂର୍ବରୁ ଖଣ୍ଡଗିରି ମେଳା ଅବସରରେ ଡାଲା, କୁଲା, ତାଟି ପ୍ରସ୍ତୁତ କରୁଥିବା ବାଉଁଶ କାରିଗର, ମାଟି ହାଣ୍ଡି, ମାଟିର ସାମଗ୍ରୀ ତିଆରି କରୁଥିବା କୁମ୍ଭାର, ପନିକି ସମେତ ଲୁହା ଉପକରଣ ତିଆରି କରୁଥିବା କମାର, ଖଟ, ଚୌକି ତିଆରି କରୁଥିବା କାଠ କାରିଗରଙ୍କ ସମାଗମ ହେଉଥିଲା। କଣ୍ଟିଲୋ, ଆଠଗଡ଼, ଢେଙ୍କାନାଳ ସମେତ ଭୁବନେଶ୍ବରର ବିଭିନ୍ନ ସ୍ଥାନରୁ କୌଳିକ ବୃତ୍ତିଧାରୀ କାରିଗରମାନେ ଆସୁଥିଲେ। ସେତେବେଳେ ଭୁବନେଶ୍ବରର କଳେବର ବଢ଼ି ନଥିଲା କି ଦୋକାନ ବଜାର ନଥିଲା। ତେଣୁ ସ୍ଥାନୀୟ ଲୋକେ ମଧ୍ୟ ବର୍ଷତମାମ ବ୍ୟବହାର କରୁଥିବା ସାମଗ୍ରୀ ଏହି ମେଳାରୁ କିଣୁଥିଲେ। ଖଣ୍ଡଗିରି କୁମ୍ଭମେଳା କୌଳିକ ବୃତ୍ତିଧାରୀଙ୍କୁ ଗ୍ରାହକ ଏବଂ ସ୍ଥାନୀୟ ଅଧିବାସୀଙ୍କୁ ସେମାନଙ୍କ ଆବଶ୍ୟକ ସାମଗ୍ରୀ କ୍ରୟ ପାଇଁ ବଜାର ଦେଉଥିଲା। ଏଥିଯୋଗୁଁ କେବଳ ଜାଗମରା, ଡୁମୁଡୁମା, ତମାଣ୍ଡୋ ନୁହେଁ; ଜଟଣୀ, ରସୁଲଗଡ଼ରୁ ମଧ୍ୟ ଲୋକ ଆସୁଥିଲେ। ୨୦୦୪ ମସିହା ପରଠାରୁ ଏହି ସ୍ଥିତି ପରିବର୍ତ୍ତନ ହେଲା। ବିଏମ୍‌ସି ପିଣ୍ଡିର ମୂଲ୍ୟ ନିର୍ଧାରଣ କରି ବିକ୍ରି କରିବା ଫଳରେ ପାରମ୍ପରିକ ଛୋଟ କାରିଗରଙ୍କ ସ୍ଥାନ ବଡ଼ ବ୍ୟବସାୟୀମାନେ ନେଲେ। କୌଳିକ ବୃତ୍ତିଧାରୀ କ୍ଷୁଦ୍ର କାରିଗର ତଥା ବ୍ୟବସାୟୀମାନେ ପ୍ରଭାବିତ ହେଲେ।

ସମ୍ବନ୍ଧିତ ଖବର