ଭୁବନେଶ୍ବର : ରବିବାର ଭୁବନେଶ୍ବର ମଧ୍ୟର ଦୁଇ ବିଧାୟକ ପ୍ରାର୍ଥୀ ଅନନ୍ତ ନାରାୟଣ ଜେନା ଏବଂ ଜଗନ୍ନାଥ ପ୍ରଧାନଙ୍କ ଉପରେ ଆକ୍ରମଣ ହେବା ପରେ କମିସନରେଟ୍‌ ପୁଲିସ ପକ୍ଷରୁ ଦୁଇ ପ୍ରାର୍ଥୀଙ୍କୁ ଏସ୍କର୍ଟ ସୁବିଧା ‌େଯାଗାଇ ଦିଆଯାଇଛି। ଦୁଇପ୍ରାର୍ଥୀଙ୍କ ଗାଡ଼ି ଆଗରେ ଓ ପଛରେ ଦୁଇଟି ଲେଖାଏଁ ଏସ୍କର୍ଟ ଗାଡ଼ି ଯାଉଛି। ଏହାବ୍ୟତୀତ ପ୍ରାର୍ଥୀ ଯାଉଥିବା ଗାଡ଼ିରେ ଜଣେ ବନ୍ଧୁକଧାରୀ ସୁରକ୍ଷାକର୍ମୀ ଯାଉଛନ୍ତି। ନିର୍ବାଚନ କମିସନଙ୍କ ଭିଡିଓ ସର୍ଭେଲାନ୍ସ ଟିମ୍ ମଧ୍ୟ ଦୁଇ ପ୍ରାର୍ଥୀଙ୍କ ସହ ରହୁଛନ୍ତି। ପ୍ରାର୍ଥୀ ଯେଉଁଠି ବସୁଛନ୍ତି ସେଠାରେ ଏହି ସର୍ଭେଲାନ୍ସ ଟିମ୍‌ ରହୁଛନ୍ତି। ଏପରିକି ୧୦ରୁ ଅଧିକ ଲୋକ ଯଦି ଏକାଠି ଆସି ପ୍ରାର୍ଥୀଙ୍କ ସହ ଆଲୋଚନା କରୁଛନ୍ତି ତେବେ ଏହାକୁ ବି ରେକର୍ଡିଂ କରୁଛନ୍ତି।

Advertisment

କେବଳ ଏତିକି ନୁହେଁ ଦୁଇ ପ୍ରାର୍ଥୀ ଯଦି କେଉଁ ସ୍ଥାନକୁ ଯିବାକୁ ଚାହୁଁଛନ୍ତି ତେବେ ସୁରକ୍ଷାକର୍ମୀଙ୍କୁ ଏନେଇ ଆଗୁଆ ସୂଚନା ଦେଉଛନ୍ତି। ପ୍ରାର୍ଥୀ ଯିବାକୁ ଥିବା ସ୍ଥାନକୁ ପୁଲିସ ଯାଇ ଯାଞ୍ଚ କରିବା ପରେ ସବୁଜ ସଂକେତ ଦେଲେ ପ୍ରାର୍ଥୀ ସେଠାକୁ ଯାଉଛନ୍ତି। ନଚେତ୍ ପ୍ରାର୍ଥୀଙ୍କୁ ସେଠାକୁ ଯିବାକୁ ବାରଣ କରାଯାଉଛି।

ଏସବୁ ବାଦ୍‌ ପ୍ରାର୍ଥୀଙ୍କ କାର୍ଯ୍ୟାଳୟ, ବାସଭବନ ସମେତ ଆଜି ୟୁନିଟ-୮, ଝାରପଡ଼ା ସମେତ ବିଭିନ୍ନ ସମ୍ବେଦନଶୀଳ ଅଞ୍ଚଳରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ଯାହା ଉପରେ ସନ୍ଦେହ ହେଉଛି ସେମାନଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି।

ପୁଲିସ ବଳୟରେ ପ୍ରାର୍ଥୀମାନେ ରହିଯାଇଥିବାରୁ ଏବେ ପ୍ରାର୍ଥୀମାନେ ସିଧାସଳଖ ଭୋଟରଙ୍କ ପାଖକୁ ଯିବାକୁ ସହଜ ମଣୁନାହାନ୍ତି। ହେଲେ ପ୍ରାର୍ଥୀଙ୍କ ସମର୍ଥକମାନେ ଶେଷ ମୁହୂର୍ତ୍ତରେ ବି ଭୋଟରଙ୍କୁ ମଣାଇବାକୁ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। ମଙ୍ଗଳବାର ନିର୍ବାଚନ ଶେଷ ହେବା ପର୍ଯ୍ୟନ୍ତ ପ୍ରାର୍ଥୀମାନଙ୍କୁ ପୁଲିସ ଏସ୍କର୍ଟ ସୁବିଧା ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି।