ପୁରୁଣା ଭୁବନେଶ୍ୱର: ଗୁରୁବାର ମଧ୍ୟରାତି୍ରରେ ବାସୁଦେବ ମନ୍ଦିରର ରୋଷ ଘରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏଥିରେ ରୋଷଘରେ ଥିବା ସମସ୍ତ ସାମଗ୍ରୀ ପୋଡ଼ି ପାଉଁଶ ହୋଇଯାଇଛି। କ୍ଷୟକ୍ଷତିର ପରିମାଣ ପ୍ରାୟ ୫ ଲକ୍ଷ ଟଙ୍କାର ହେବ ବୋଲି ଅନୁମାନ କରାଯାଇଛି। ଅଗ୍ନିକାଣ୍ଡର ସ୍ପଷ୍ଟ କାରଣ ଜଣାପଡ଼ି ନଥିଲେ ମଧ୍ୟ କେହି ଜାଣିଶୁଣି ଏପରି କରିଥାଇ ପାରନ୍ତି ବୋଲି ଅଭିଯୋଗ କରାଯାଇଛି। ଅନ୍ୟପକ୍ଷରେ ଏପରି ଅଗ୍ନିକାଣ୍ଡ ଯୋଗୁ ପୂର୍ବରୁ ବରାଦ ଦେଇଥିବା ବହୁ ଶ୍ରଦ୍ଧାଳୁ ଅବଢ଼ା ପାଇବାରୁ ବଞ୍ଚିତ ହୋଇଛନ୍ତି। ଆସନ୍ତା ତିନି ସପ୍ତାହ ପର୍ଯ୍ୟନ୍ତ ଅବଢ଼ା ମିଳିବ ନାହିଁ ବୋଲି ବ୍ରହ୍ମଣ ନିଯୋଗ ସଂପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି। ମିଳିଥିବା ସୂଚନା ଅନୁଯାୟୀ, ଗୁରୁବାର ରାତି ପ୍ରାୟ ସାଢ଼େ ୩ଟାରେ ଏପରି ଅଗ୍ନିକାଣ୍ଡ ଘଟିଥିଲା। ମନ୍ଦିର ପରିସରରେ ଥିବା ୧୧ଟି ରୋଷ ଘର, ୨୦ଟି ଚୁଲା, ରୋଷେଇ ପାଇଁ ରଖାଯାଇଥିବା କାଠ, ମାଟି ସମଗ୍ରୀ, ପାଣି ଟାଙ୍କି ଆଦି ନଷ୍ଟ ହୋଇଯାଇଥିଲା। ଖବର ପାଇ ୩ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ। ହେଲେ ସେତେବେଳକୁ ସବୁ ପାଉଁଶ ହୋଇସାରିଥିଲା। ଆଜି ପ୍ରାୟ ୩ହଜାର ଲୋକଙ୍କ ପାଇଁ ଅବଢ଼ା ବରାଦ ଥିବା ବେଳେ ବିକ୍ରି ପାଇଁ ମଧ୍ୟ ଅବଢ଼ା ତିଆରି ହେବାର ଥିଲା। ମାତ୍ର ଅଗ୍ନିକାଣ୍ଡ ଯୋଗୁ ଭକ୍ତମାନେ ବରାଦ ଅବଢ଼ା ପାଇପାରି ନଥିଲେ। ତେବେ କେହି ଜାଣିଶୁଣି ମନ୍ଦିରର ରୋଷଘରେ ନିଆଁ ଲଗେଇ ଦେଇଥାଇପାରେ ବୋଲି ବ୍ରାହ୍ମଣ ନିଯୋଗର ସମ୍ପାଦକ ଶ୍ରୀ ପତି କହିଛନ୍ତି। ଏନେଇ ପୁଲିସରେ କୌଣସି ଏତଲା ଦିଆଯାଇ ନଥିଲେ ମଧ୍ୟ ନିଯୋଗ ପକ୍ଷରୁ ୫ଜଣ ସେବାୟତ ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି କ୍ୟାମେରାକୁ ଯାଞ୍ଚ କରୁଛନ୍ତି। ପୁଲିସ ନିଜ ଆଡ଼ୁ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁ ବୋଲି ସାଧାରଣରେ ଦାବି ହୋଇଛି।

Advertisment

୩ ଲକ୍ଷ ଟଙ୍କାର ସହାୟତା ଘୋଷଣା
ଆଜି ସକାଳ ପ୍ରାୟ ସାଢ଼େ ୮ଟାରେ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ ଅଶୋକ ଚନ୍ଦ୍ର ପଣ୍ଡା ଘଟଣାସ୍ଥଳ ବୁଲି ଦେଖିଥିଲେ। ରୋଷ ଘରର କାମ କ’ଣ ପାଇଁ ଅଟକିଛି ସେ ସଂପର୍କରେ ଅନୁଧ୍ୟାନ କରି ପଦକ୍ଷେପ ନେବେ ବୋଲି କହିବା ସହ ସେବାୟତଙ୍କୁ ୩ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଥିଲେ। ୩୦ ବର୍ଷ ପରେ ବି ହୋଇ ପାରୁନି କାମ ବାସୁଦେବଙ୍କ ରୋଷ ଘର ପୋଡ଼ିବା ଘଟଣା ନୂଆ ନୁହେଁ। ବାରମ୍ବାର ଏଭଳି ଅଗ୍ନିକାଣ୍ଡ ହୋଇ ଲକ୍ଷାଧିକ ଟଙ୍କାର ସାମଗ୍ରୀ ପାଉଁଶ ହୋଇଯାଉଥିବାରୁ ରୋଷେଇ ଘରକୁ ପକ୍କା କରିବା ପାଇଁ ଯୋଜନା ହୋଇଥିଲା। ଏଥି ପାଇଁ କଂଗ୍ରେସ ସରକାରଙ୍କ ସମୟରେ ୧୯୮୭ରେ ଶୁଭ ଦିଆ ଯାଇଥିଲେ ମଧ୍ୟ ଆରମ୍ଭ ହୋଇପାରି ନଥିଲା। ୨୦୧୩ରେ ବିଏମ୍‌ସି ପକ୍ଷରୁ ୪୭ଲକ୍ଷ ଟଙ୍କାର ଟେଣ୍ଡର ହୋଇଥିଲା। ତେବେ କିଛି ସେବାୟତ ଦେବୋତ୍ତର ବିଭାଗରେ ଅଭିଯୋଗ କରିବା ପରେ କାମ ସ୍ଥଗିତ ରହିଛି।