ଭୁବନେଶ୍ବର: ଏକାମ୍ର କ୍ଷେତ୍ରର ବଢ଼େଇବାଙ୍କ ଛକ ତଥା ଜମ୍ବେଶ୍ୱର ମନ୍ଦିର ନିକଟରେ ଥିବା ପ୍ରାଚୀନ ନଳକୁଣ୍ଡ ଏବେ ଅବ୍ୟବସ୍ଥା ଘେରରେ। ପୂର୍ବରୁ ଏହି ପୁଷ୍କରିଣୀଟି ସ୍ୱଚ୍ଛ ଜଳରେ ଭରପୂର ଥିଲା। କିନ୍ତୁ ଏବେ ତାହା ପୋତି ହେବାକୁ ବସିଲାଣି। ପୁଷ୍କରିଣୀ ମଧ୍ୟକୁ ଘରୋଇ ନାଳ ନର୍ଦ୍ଦମା ଜଳ ପ୍ରବେଶ କରି ଏହା ସମ୍ପୂର୍ଣ୍ଣ ପରିତ୍ୟକ୍ତ ହୋଇପଡ଼ିଛି। ଫଳରେ ଏଠାରେ ଘୋର ଅସ୍ବାସ୍ଥ୍ୟକର ପରିବେଶ ସୃ‌ଷ୍ଟି ହୋଇଛି। ଏହି ଜଳାଶୟରେ ମଶା, ମାଛିଙ୍କ ବଂଶ ବୃଦ୍ଧି ହେବା ସହ ସରୀସୃପଙ୍କର ସଂଖ୍ୟା ମଧ୍ୟ ବଢ଼ୁଛି। ଏହା ଆବର୍ଜନାମୟ ହୋଇ ଏକ ପରିତ୍ୟକ୍ତ ସ୍ଥାନ ଭଳି ଦେଖାଯାଉଥିବାରୁ ରାସ୍ତାଘାଟ ମରାମତି ସମୟରେ ବାହାରୁଥିବା କଂକ୍ରିଟ, ପଥର, ମାଟି ଆଦି ମଧ୍ୟ ଏଠାରେ ପକାଯାଉଛି।

Advertisment

ଫଳରେ ଏହି ପ୍ରାଚୀନ ଜଳାଶୟଟି ପୂରା ନିଶ୍ଚିହ୍ନ ହେବାକୁ ବସିଛି। ଏନେଇ ସ୍ଥାନୀୟ ଲୋକେ ବିଏମ୍‌ସି ଡେପୁଟି କମିସନରଙ୍କ ନିକଟରେ ଅଭିଯୋଗ କରିଛନ୍ତି। ବିଭିନ୍ନ ବିଭାଗ ସହ ସମନ୍ୱୟ ରକ୍ଷାକରି ଏହି ପ୍ରାଚୀନ ଜଳାଶୟଟିର ପୁନରୁଦ୍ଧାର ପାଇଁ ଏକାମ୍ର ଜନ ଜାଗରଣ ମଞ୍ଚ ପକ୍ଷରୁ ଦାବି କରାଯାଇଛି। ଏ ନେଇ ଦାବିପତ୍ର ପ୍ରଦାନ ସମୟରେ ମଞ୍ଚର ସଭାପତି ଭୀଷ୍ମ ନାରାୟଣ ନାୟକଙ୍କ ସମେତ ସୁଲତା ସାହାଣୀ, ଗଣେଶ ଚନ୍ଦ୍ର ପାଲ୍, ମନୋରଞ୍ଜନ ବଟୁ, ଭୁପେଶ ନାୟକ, ଚନ୍ଦ୍ରଶେଖର ପାଲ୍, ବିକର୍ତ୍ତନ ପାଢି, ସସ୍ମିତା ସାହୁ, ସୁନିଲି ମହାପାତ୍ର, ସୁବ୍ରତ ସେନାପତି, ରାଜେଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।