କଟକ: ଓଲିଉଡ ସିନେ କଳାକାର ମନୋଜ ମିଶ୍ରଙ୍କ ପାଇଁ ନୂଆ ଅଡ଼ୁଆ ସୃଷ୍ଟି ହୋଇଛି। ରାଜ୍ୟରେ ବିଭିନ୍ନ ସମୟରେ ମୁକ୍ତିଲାଭ କରୁଥିବା ଓଡ଼ିଆ ଚଳଚ୍ଚିତ୍ରରେ ଶ୍ରୀ ମିଶ୍ର ସମ୍ପୃକ୍ତ ଚଳଚ୍ଚିତ୍ର ସହିତ ଜଡ଼ିତ ନିର୍ଦ୍ଦେଶକ, କଳାକାର, ଟେକ୍ନିସିଆନ୍ଙ୍କ ବିରୋଧରେ ଲଗାତର ସାମାଜିକ ଗଣମାଧ୍ୟମରେ ଆପତ୍ତିଜନକ ମନ୍ତବ୍ୟ ରଖିଆସୁଥିବା ଅଭିଯୋଗରେ ମଙ୍ଗଳବାର କଟକ ସାଇବର୍ ଥାନାରେ ଓଡ଼ିଶା ଟିଭି ଓ ଫିଲ୍ମ ନିର୍ଦ୍ଦେଶକ ସଂଘ ପକ୍ଷରୁ ଏତଲା ଦିଆଯାଇଛି। ପ୍ରାୟ ଦେଢ଼ ବର୍ଷ ହେବ ଅଭିନେତା ମନୋଜ ମିଶ୍ର ରିଲିଜ୍ ହେଉଥିବା ପ୍ରତ୍ୟେକ ଓଡ଼ିଆ ଫିଲ୍ମ ଉପରେ ମନ୍ତବ୍ୟ ରଖି ଆସୁଛନ୍ତି। ସେ ନିଜସ୍ୱ ୟୁଟ୍ୟୁବ୍ ଚ୍ୟାନେଲ୍ ଓ ସାମାଜିକ ଗଣମାଧ୍ୟମରେ ସିନେମାର ଅନୁଶୀଳନ ନାଁରେ ସିନେମା ସହିତ ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଆସୁଛନ୍ତି। ଏହି ଭିଡିଓ ଭାଇରାଲ୍ ହେବା ଫଳରେ ଓଲିଉଡର ସମ୍ମାନହାନୀ ହେଉଥିବା ସଂଘ ଅଭିଯୋଗ କରିଛି। ସଂଘର ସଭାପତି ସବ୍ୟସାଚୀ ମିଶ୍ରଙ୍କ କହିବା ଅନୁଯାୟୀ, ପ୍ରତ୍ୟେକ ନାଗରିକଙ୍କ ମତ ଦେବାର ଅଧିକାର ରହିଛି। ତା'ମାନେ ନୁହେଁ ଯେ, କାହାର ଚରିତ୍ର ସଂହାର କଲାଭଳି ଟିପ୍ପଣୀ ରଖାଯିବ। ମନୋଜ ମିଶ୍ର ଯେ କୌଣସି ଓଡ଼ିଆ ଫିଲ୍ମ ରିଲିଜ୍ ହେଉଛି, ତାହା ଉପରେ ମତ ଦେଉଛନ୍ତି। ଅତି ଅଶାଳୀନ ଢଙ୍ଗରେ ସେ ଓଡ଼ିଆ କଳାକାରଙ୍କ ଚରିତ୍ର ସଂହାର କରୁଛନ୍ତି। ଏହା ଆଦୌ ଗ୍ରହଣୀୟ ନୁହେଁ ବୋଲି ଶ୍ରୀ ମିଶ୍ର କହିଛନ୍ତି।
ସାମାଜିକ ଗଣମାଧ୍ୟମରେ ଓଲିଉଡ୍କୁ ବଦନାମ କରୁଥିବା ଅଭିଯୋଗ
ସାଇବର୍ ଥାନାରେ ଏତଲା ଦେଲା ‘ଓଡ଼ିଶା ଟିଭି ଓ ଫିଲ୍ମ ନିର୍ଦ୍ଦେଶକ ସଂଘ’
ସେହିଭଳି ବରିଷ୍ଠ ନିର୍ଦ୍ଦେଶକ ବସନ୍ତ ସାହୁ କହିଛନ୍ତି ଯେ ଓଡ଼ିଆ ସିନେମା ବଦଳୁଛି। ସାମ୍ପ୍ରତିକ ସମୟରେ ଜାତୀୟ ଓ ଅନ୍ତର୍ଜାତୀୟସ୍ତରର ଫିଲ୍ମ ନିର୍ମାଣ ହେଉଛି। ବହୁ ପ୍ରତିଭାସମ୍ପନ୍ନ ତଥା ଅଭିଜ୍ଞ ନିର୍ଦ୍ଦେଶକ ଓ କଳାକାର କାର୍ଯ୍ୟ କରି ଓଲିଉଡ୍କୁ ଆଗକୁ ନେଉଛନ୍ତି। ଏଭଳି ସମୟରେ ମନୋଜ ମିଶ୍ରଙ୍କୁ କାମ ମିଳୁନି ବୋଲି ସେ ସମସ୍ତ କଳାକାର, ନିର୍ଦ୍ଦେଶକ ଓ ଟେକ୍ନିସିଆନ୍ଙ୍କ ଚରିତ୍ରସଂହାର କରିବା ଏକ ଅପରାଧ ବୋଲି ଶ୍ରୀ ସାହୁ କହିଛନ୍ତି। ନିର୍ଦ୍ଦେଶକ ବବି ଇସଲାମ୍ ଏ ସମ୍ପର୍କରେ କହିଛନ୍ତ ଯେ ମନୋଜ ମିଶ୍ର ଜଣେ ଅଭ୍ୟାସଗତ ମିଛ କହୁଥିବା ଲୋକ। ତାଙ୍କୁ ଆଉ ଓଡ଼ିଆ ସିନେମାରେ ଅଭିନୟ କରିବାକୁ କେହି ନେଉ ନାହାନ୍ତି ବୋଲି, ସେ ରାଗରେ ଏଭଳି ବାଚାଳାମି କରୁଛନ୍ତି। ତାଙ୍କୁ କଠିନ ଦଣ୍ଡ ଦେବାର ସମୟ ଆସିଛି ବୋଲି ଶ୍ରୀ ଇସଲାମ କହିଛନ୍ତି। ସାଇବର୍ ଥାନାରେ ଏତଲା ଦେବା ସମୟରେ ସଂଘର ସଭାପତି ତଥା ବରିଷ୍ଠ ନିର୍ଦ୍ଦେଶକ ସବ୍ୟସାଚୀ ମହାପାତ୍ରଙ୍କ ସହିତ ୩୦ରୁ ଅଧିକ ସଂଘର କର୍ମକର୍ତ୍ତା ଥାନାରେ ଉପସ୍ଥିତ ଥିଲେ। ସାଇବର୍ ଥାନା ପୁଲିସ ଏ ନେଇ ତଦନ୍ତ ଆରମ୍ଭ କରିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/11/13/s7Ri1EkKoUmylpG1pRdu.jpg)