ଚନ୍ଦ୍ରଶେଖରପୁର: ପୁଣି ଥରେ ଇନ୍‌ଫୋସିଟି ଥାନା ଅନ୍ତର୍ଗତ ପଥରଗାଡ଼ିଆ ଗଣେଶବିହାରରୁ ବଡ଼ଧରଣର ସିନ୍ଧିଚୋରି ହୋଇଛି। ଗତକାଲି ରାତିରେ ଦୁର୍ବୃତ୍ତମାନେ ବରିଷ୍ଠ ନାଗରିକ ଦମ୍ପତିଙ୍କ ଘରେ କଳାକନା ବୁଲାଇଛନ୍ତି। ଝରକା ତାଡ଼ି ଘରେ ପଶିବା ପରେ ଆଲ୍‌ମିରା ତାଡ଼ି ସେଥିରୁ ୪୦ ଲକ୍ଷ ଟଙ୍କାର ସୁନା ଗହଣା ଓ ନଗଦ ୭ ହଜାର ଟଙ୍କା ଲୁଟି ନେଇଛନ୍ତି। ଏନେଇ ଆଜି ସକାଳୁ ବିଧାନସଭାର ଅବସରପ୍ରାପ୍ତ ଅଧିକାରୀ ବଂଶୀଧର ଗୌଡ଼ ଇନ୍‌ଫୋସିଟି ଥାନାରେ ଅଭିଯୋଗ କରିବା ପରେ ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହଯୋଗରେ ଛାନ୍‌ଭିନ୍‌ ଚଳାଇଛି। ଦୁଇ ସପ୍ତାହ ପୂର୍ବରୁ ଏହି ଗଣେଶବିହାରରେ ରହୁଥିବା ଜଣେ ଆଇଟି ଇଂଜିନିୟର୍‌ଙ୍କ ଘରୁ ସିନ୍ଧିଚୋରି ହୋଇଥିଲା। ସେହି ମାମଲାରେ ପୁଲିସ ହାତ ଆଜି ବି ଖାଲି ଅଛି। 

Advertisment

ବାହାରୁ ବୃଦ୍ଧ ଦମ୍ପତିଙ୍କୁ କିଳି କଳାକନା ବୁଲାଇଲେ

ଅଭିଯୋଗ ମୁତାବକ, ଉଭୟ ସ୍ବାମୀ-ସ୍ତ୍ରୀ ଘରର ତଳ ମହଲାରେ ରହୁଥିଲେ। ଆଜି ସକାଳୁ ସେମାନେ ନିଦରୁ ଉଠି ବାହାରକୁ ଆସିବାବେଳେ ବାହାରୁ କବାଟ ବନ୍ଦ ଥିଲା। ତେଣୁ ଘରେ ଚୋର ପଶିଥିଲା ବୋଲି ଦମ୍ପତିଙ୍କର ସନ୍ଦେହ ହୋଇଥିଲା। ଶ୍ରୀ ଗୌଡ଼ ପଡ଼ୋଶୀଙ୍କୁ ଫୋନ୍‌ କରି କବାଟ ଖୋଲିବାକୁ କହିଥିଲେ ଓ ଇନ୍‌ଫୋସିଟି ଥାନାକୁ ମଧ୍ୟ ଜଣାଇଥିଲେ। ପଡ଼ୋଶୀ ଆସି କବାଟ ଖୋଲିବା ସେମାନେ ପାଖ ରୁମ୍‌କୁ ଯାଇ ଆଲ୍‌ମିରା ଭଙ୍ଗା ହୋଇଥିବା ଦେଖିଥିଲେ। କିଚେନ୍‌ ପାଖ ରୁମ୍‌ର ଝରକା ତଡ଼ା ହୋଇ ତଳେ ପଡ଼ିଥିଲା। ପୁଲିସ ପହଞ୍ଚିବା ପରେ ଘର ଭିତରକୁ ଯାଇ ଯାଞ୍ଚ କରାଯାଇଥିଲା। ଶ୍ରୀ ଗୌଡ଼ଙ୍କ ସୂଚନାନୁସାରେ ଆଲ୍‌ମିରାରେ ପାଖାପାଖି ୪୦ ଲକ୍ଷ ଟଙ୍କା ମୂଲ୍ୟର ସୁନା ଗହଣା ଥିଲା। ଦୁର୍ବୃତ୍ତମାନେ ରାତି ପ୍ରାୟ ୨ଟା ପରେ ତାଙ୍କ ଘରେ ପଶିଥିବା ସେ ଅନୁମାନ କରିଛନ୍ତି। ସୂଚନାଯୋଗ୍ୟ ଯେ ଗତ ମାସ ୨୬ ତାରିଖ ରାତିରେ ଏହି ଗଣେଶବିହାରରେ ରହୁଥିବା ଆଇଟି ଇଂଜିନିୟର୍‌ ରମାକାନ୍ତ ବିଶ୍ବାଳଙ୍କ ଘରୁ ସିନ୍ଧିଚୋରି ହୋଇଥିଲା। ଦୁର୍ବୃତ୍ତମାନେ ଶାବଳରେ ଝରକା ତାଡ଼ି ତାଙ୍କ ଘରୁ ୧୦ ଲକ୍ଷ ଟଙ୍କା ମୂଲ୍ୟର ଗହଣା ଚୋରି କରିନେଇଥିଲେ। ସେଦିନର ସିନ୍ଧିଚୋରି ଓ ଗତ ରାତିର ସିନ୍ଧିଚୋରି ତରିକା ମଧ୍ୟରେ ବହୁ ସାମଞ୍ଜସ୍ୟ ରହିଛି। ତେଣୁ କୌଣସି ଏକ ନିର୍ଦ୍ଦିଷ୍ଟ ଗ୍ୟାଙ୍ଗ୍‌ ଗଣେଶବିହାରକୁ ଟାର୍ଗେଟ୍‌ କରୁଥିବା ପୁଲିସ ସନ୍ଦେହ କରୁଛି।