ଭୁବନେଶ୍ବର: ମୋ’ ବସ୍ରେ ପକେଟମାରୁଙ୍କ ଉତ୍ପାତ ଥମିବା ନାଁ ନେଉନାହିଁ। ପୁଣି ଜଣେ ଯାତ୍ରୀ ମୋ’ ବସ୍ ଭିତରେ ଲୁଟ୍ର ଶିକାର ହୋଇଛନ୍ତି। ଏମ୍ସରେ ଚିକିତ୍ସାଧୀନ ପୁଅ ପାଇଁ ଗଞ୍ଜାମ ହିଞ୍ଜିଳିକାଟୁର ବୃନ୍ଦାବନ ସାହୁ ୬୦ ହଜାର ଟଙ୍କା ନେଇ ଆସୁଥିବା ବେଳେ ଲୁଟ୍ର ଶିକାର ହୋଇଛନ୍ତି। ୧୪ ବର୍ଷର ପୁଅ ଏମ୍ସ ଶଯ୍ୟାରେ ପଡ଼ିଥିବା ବେଳେ ବାପା ବୃନ୍ଦାବନ ଖଣ୍ଡଗିରି ଥାନାର ଦ୍ବାରସ୍ଥ ହୋଇଛନ୍ତି। କେଟମାରୁଙ୍କଠାରୁ ପୁଲିସ ଟଙ୍କା ଉଦ୍ଧାର କରିବା ଆଶାରେ ବୃନ୍ଦାବନ ଥାନାକୁ ଧାଇଁଧାଇଁ ହତାଶ ହୋଇପଡ଼ିଛନ୍ତି।
ବୃନ୍ଦାବନଙ୍କ ପୁଅ ବିଭୁପ୍ରସାଦ ଏମ୍ସ ନ୍ୟୁରୋଲୋଜି ବିଭାଗରେ ଭର୍ତ୍ତି ହୋଇଛନ୍ତି। ବିଭୁଙ୍କ ଚିକିତ୍ସା ପାଇଁ ଅଧିକ ଟଙ୍କା ଆବଶ୍ୟକ ହେବାରୁ ଦୁଇ ଦିନ ପୂର୍ବେ ବୃନ୍ଦାବନ ଗାଁକୁ ଯାଇଥିଲେ ଏବଂ ହାତଉଧାର କରି ୬୦ ହଜାର ଟଙ୍କା ଯୋଗାଡ଼ କରିଥିଲେ। ଗତକାଲି ସେ ଭୁବନେଶ୍ବର ଫେରିବା ପରେ ନୂଆପଲ୍ଲୀରେ ରହୁଥିବା ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ ଏବଂ ସେଠାରୁ ଏମ୍ସ ଯିବା ପାଇଁ ମୋ’ ବସ୍ରେ ଉଠିଥିଲେ। ୧୯ ନମ୍ବର ରୁଟ୍ରେ ଯାଉଥିବା ମୋ’ ବସ୍ରେ ସେ ଯାଇଥିଲେ। ବୃନ୍ଦାବନଙ୍କ କହିବା କଥା ଖଣ୍ଡଗିରି ପର୍ଯ୍ୟନ୍ତ ତାଙ୍କ ପକେଟ୍ରେ ଟଙ୍କା ଥିବା ସେ ଜାଣିଥିଲେ। କିନ୍ତୁ ଖଣ୍ଡଗିରି ଛକ ପରେ ବସ୍ ଭିତରେ ଭିଡ଼ ହୋଇଗଲା। ସେ ଏମ୍ସ ବସ୍ଷ୍ଟପ୍ରେ ଓହ୍ଲାଇବା ପରେ ଜାଣିଲେ ଯେ ତାଙ୍କ ପକେଟ୍ରେ ଟଙ୍କା ନାହିଁ। ସେତେବେଳକୁ ବସ୍ ଚାଲିଯାଇଥିଲା। ତେଣୁ ବୃନ୍ଦାବନ ପୁଅକୁ ଦେଖିବା ପାଇଁ ଡାକ୍ତରଖାନା ଭିତରକୁ ଯିବେ କ’ଣ, କାନ୍ଦିକାନ୍ଦି ଖଣ୍ଡଗିରି ଥାନାକୁ ଦୌଡ଼ିଲେ। ପୁଲିସ ସ୍ବାଭାବିକ ଭାବେ ମୋ’ ବସ୍ର ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି।
ବୃନ୍ଦାବନଙ୍କ କହିବା କଥା ଏମ୍ସ ନିକଟରେ ସେ ବସ୍ରୁ ଓହ୍ଲାଇବା ବେଳେ ୪/୫ ଜଣ ଲୋକ ତାଙ୍କ ଚାରିକଡ଼ରେ ଅଯଥା ଭିଡ଼ କରିଥିଲେ। କିନ୍ତୁ ପୁଅ ଚିନ୍ତାରେ ସେ ସେଆଡ଼କୁ ନଜର ଦେଇନଥିଲେ। ତେଣୁ ସେମାନେ ହିଁ ପକେଟମାରୁ ବୋଲି ସେ ସନ୍ଦେହ କରୁଛନ୍ତି। ପୁଲିସ ଭଲରେ ଛାନ୍ଭିନ କଲେ, ଲୁଟେରାମାନେ ଧରାପଡ଼ିଯାଆନ୍ତେ ବୋଲି ବୃନ୍ଦାବନ କହିଛନ୍ତି। ସୂଚନାଯୋଗ୍ୟ ଯେ ଗତ ସପ୍ତାହରେ କମିସନରେଟ୍ ପୁଲିସ ମୋ’ ବସ୍ରେ ଲୁଟ୍ପାଟ କରୁଥିବା ଏକ ୫ ଜଣିଆ ପକେଟମାରୁ ଗ୍ୟାଙ୍ଗ୍କୁ ଗିରଫ କରିଥିଲା। କଟକରେ ସେମାନଙ୍କ ଡେରା ପଡ଼ିଥିଲା ଏବଂ ଭୁବନେଶ୍ବର ଆସି ମୋ’ ବସ୍ରେ ଲୁଟ୍ପାଟ କରୁଥିଲେ। ପୂର୍ବରୁ ମଧ୍ୟ କିଛି ବଞ୍ଜାରାଙ୍କୁ ଏଭଳି ମାମଲାରେ ପୁଲିସ ଗିରଫ କରିଛି। କିନ୍ତୁ ମୋ’ ବସ୍ରେ ପକେଟମାରୁଙ୍କ ପ୍ରାଦୁର୍ଭାବ କମିବା ବଦଳରେ ବଢ଼ିବାରେ ଲାଗିଛି।