ପୁଣି ବିଜେବି କଲେଜ୍‌ରେ ରାଗିଂ ଅଭିଯୋଗ; ବଡ଼ଗଡ଼ ଥାନାରେ ମାମଲା, ଖଣ୍ଡନ କଲେ ଡିସିପି

ଭୁବନେଶ୍ବର : ବିଜେବି କଲେଜରେ ରାଗିଂର ଶିକାର ହୋଇଥିବା ନେଇ ଆଜି ବଡ଼ଗଡ଼ ଥାନାରେ ଜଣେ ଯୁକ୍ତ ଦୁଇ ଛାତ୍ର ଅଭିଯୋଗ କରିଛନ୍ତି। ଯୁକ୍ତ ଦୁଇ ବାଣିଜ୍ୟ ବିଭାଗ ଦ୍ବିତୀୟ ବର୍ଷର ଛାତ୍ର ରୁଦ୍ରନାରାୟଣ ମହାପାତ୍ର ଏଭଳି ଅଭିଯୋଗ ଆଣିବା ପ‌ରେ ବହୁଚର୍ଚ୍ଚିତ ରୁଚିକା ମହାନ୍ତି ଆତ୍ମହତ୍ୟା ମାମଲାର ଗୁରୁତ୍ବ ବଢ଼ିଯାଇଛି। ତେବେ ଅଭିଯୋଗ ଆଣିଥିବା ଛାତ୍ରଙ୍କ ବିରୋଧ‌ରେ ବି ଏକ ଛାତ୍ରାବାସର ଅନ୍ତେବାସୀମାନଙ୍କ ପକ୍ଷରୁ ବଡ଼ଗଡ଼ ଥାନାରେ ଅଭିଯୋଗ ହୋଇଛି। ତେଣୁ ଆରମ୍ଭରୁ କମିସନେରଟ୍‌ ପୁଲିସ ଏହାକୁ ଏକ ଗଣ୍ଡଗୋଳର କାରଣ ବୋଲି କହି ରାଗିଂ ଅଭିଯୋଗକୁ ଖଣ୍ଡନ କରିଛି। ଖୋଦ୍‌ ଡିସିପି ପ୍ରତୀକ ସିଂ ଏହାକୁ ରାଗିଂଜନିତ ମାମଲା ନୁହେଁ ବୋଲି କହିଛନ୍ତି।

ଅଭିଯୋଗ ଆଣିଥିବା ଛାତ୍ର ରୁଦ୍ରଙ୍କ କହିବାନୁଯାୟୀ, ଆଜି ତାଙ୍କୁ ଆମ୍ବେଦକର ହଷ୍ଟେଲର କିଛି ସିନିୟର୍ ଘୋଷାଡ଼ି ଛାତ୍ରାବାସ କ୍ୟାମ୍ପସ୍‌କୁ ନେଇଥିଲେ। ସେଠାରେ ହଷ୍ଟେଲର ଵାର୍ଡେନ୍‌ଙ୍କ ଉପସ୍ଥିତିରେ ୩୦ରୁ ୪୦ଜଣ ସିନିୟର୍ ଛାତ୍ର ନିସ୍ତୁକ ମାଡ଼ ମାରିବା ସହିତ ମୋବାଇଲ୍ ଓ ୨ହଜାର ଟଙ୍କା ଛଡ଼ାଇ ନେଇଥିଲେ। କିନ୍ତୁ ଏନେଇ ହଷ୍ଟେଲ ମ୍ୟାନେଜର୍ ପ୍ରଫୁଲ୍ଲ କୁମାର ମଲ୍ଲିକଙ୍କ କହିବା କଥା ରୁଦ୍ର ମିଛ କହୁଛନ୍ତି। ପୂର୍ବରୁ ରୁଦ୍ର ହଷ୍ଟେଲ୍ ବିରୋଧରେ ପିଲାମାନଙ୍କୁ କହିଥିବାରୁ ବିବାଦ ଉପୁଜିଥିଲା ଓ ଏହି ବିବାଦର ସମାଧାନ ପାଇଁ ଆମ୍ବେଦକର ହଷ୍ଟେଲର ଛାତ୍ରମାନେ ତାଙ୍କୁ ଡାକିଥିଲେ ଓ ସେମାନଙ୍କ ମଧ୍ୟରେ ଆପୋସ ବୁଝାମଣା ହୋଇଥିଲା।

ପୁଲିସ ସୂଚନାନୁସାରେ ଗତ ୬ତାରିଖରେ ରୁଦ୍ର ବାଇକ୍‌ ଚଳାଇ ଯାଉଥିବା ବେଳେ ଜଣେ ବାହାର ଲୋକକୁ ଧକ୍କା କରିଥିଲେ। ଏହି ଦୁର୍ଘଟଣାକୁ ନେଇ ଗଣ୍ଡଗୋଳ ହୋଇଥିଲା ଓ ରୁଦ୍ର ଆମ୍ବେଦକର ହଷ୍ଟେଲ ଅନ୍ତେବାସୀଙ୍କ ବିରୋଧରେ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। ମାତ୍ର ତଦନ୍ତରୁ ଜଣାପଡ଼ିଥିଲା ଯେ ବାହାର ଲୋକଙ୍କ ସହ ରୁଦ୍ରଙ୍କର ବଚସା ହୋଇଥିଲା। ସେହି ଘଟଣାକୁ ନେଇ ଆଜି ରୁଦ୍ରଙ୍କର କିଛି ସହପାଠୀ ତାଙ୍କୁ ସାଙ୍ଗରେ ଡାକିନେଇ ଆମ୍ବେଦକର ହଷ୍ଟେଲ୍‌କୁ ଯାଇଥିଲେ। ଉକ୍ତ ଝଗଡ଼ାରେ ହଷ୍ଟେଲ୍ ପିଲାଙ୍କର କିଛି ସଂପୃକ୍ତି ନଥିବାରୁ ସେମାନେ ରୁଦ୍ରକୁ ଏକ ଲେଖା ମାଗିଥିଲେ। ଏହାକୁ ନେଇ ରୁଦ୍ରଙ୍କ ସହିତ ହଷ୍ଟେଲ୍ ପିଲାଙ୍କର ପୁଣି ଝଗଡ଼ା ହୋଇଥିଲା। ଏନେଇ ଉଭୟ ରୁଦ୍ର ଓ ଆମ୍ବେଦକର ହଷ୍ଟେଲର ପିଲାମାନେ ଥାନାର ଦ୍ବାରସ୍ଥ ହୋଇଛନ୍ତି। ଉଭୟ ଗୋଷ୍ଠୀର ଅଭିଯୋଗକୁ ପୁଲିସ ତଦନ୍ତ କରୁଛି।

ସମ୍ବନ୍ଧିତ ଖବର